ଆଜି ୧୫୦ ମିମି ପର୍ଯ୍ୟନ୍ତ ବର୍ଷା ସମ୍ଭାବନା
ଭୁବନେଶ୍ୱର : ବାତ୍ୟା ‘ଡାଏ’ ଗୋପାଳପୁର ଓ ଉତ୍ତର ଆନ୍ଧ୍ରପ୍ରଦେଶ ଛୁଇଁବାକୁ ଥିବାବେଳେ ପାଣିପାଗ ବିଭାଗ ରାଜ୍ୟର ୫ଟି ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରିଛି। ଏଥିରେ ଖୋର୍ଦ୍ଧା ଜିଲ୍ଲା ଥିବାରୁ ରାଜଧାନୀବାସୀଙ୍କୁ ବାତ୍ୟା ଭୟ ଘାରିଛି। ଯଦିଓ ୧୯୯୯ ମହାବାତ୍ୟା ଓ ୨୦୧୨ ଫାଇଲିନ୍ ଭଳି ଏହା ପ୍ରଳୟଙ୍କାରୀ ହେବନି କିନ୍ତୁ ରାଜଧାନୀବାସୀ ବାତ୍ୟା ‘ଡାଏ’କୁ ନେଇ ଭୟଭୀତ ହୋଇଯାଇଛନ୍ତି। ବାତ୍ୟାର ମୁକାବିଲା ପାଇଁ ପ୍ରଶାସନ ତତ୍ପର ହୋଇ ଉଠିଥିବାବେଳେ ରାଜଧାନୀବାସୀ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ସହ ଦୁଇରୁ ତିନି ଦିନ ପାଇଁ ଖାଦ୍ୟ ସାମଗ୍ରୀ ଯୋଗାଡ଼ କରିବାରେ ଲାଗିପଡ଼ିଛନ୍ତି।
କେତେକ ସ୍ଥାନରେ ଆବଶ୍ୟକସ୍ଥଳେ ବସ୍ତି ବାସିନ୍ଦାଙ୍କୁ ସ୍ଥାନାନ୍ତର କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିବାବେଳେ ସହର ମଧ୍ୟରେ ଯେପରି ଜଳବନ୍ଦୀ ସମସ୍ୟା ସୃଷ୍ଟି ନହେବ ସେଥିପାଇଁ ବିଏମ୍ସି ପକ୍ଷରୁ ଜୋରଦାର ପ୍ରସ୍ତୁତି ହୋଇଛି। ରାଜଧାନୀରେ ଶୁକ୍ରବାର ୬୦ରୁ ୭୦କିମି ବେଗରେ ପବନ ବହିବା ସହ ୧୦୦ରୁ ୧୫୦ମିମି ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ଥିବାରୁ ସମସ୍ତ ସରକାରୀ କାର୍ଯ୍ୟାଳୟର ମହରମ୍ ଛୁଟି ବାତିଲ୍ କରାଯାଇଛି। ଶୁକ୍ରବାର ସମସ୍ତ ସରକାରୀ କାର୍ଯ୍ୟାଳୟ ଖୋଲା ରହିବ। ବିଏମ୍ସି ପକ୍ଷରୁ ଖୋଲା ଯାଇଥିବା କଣ୍ଟ୍ରୋଲ ରୁମ୍କୁ ଅଧିକ କ୍ରିୟାଶୀଳ କରାଯାଇଛି।
ଏଥିରେ ଅଗ୍ନିଶମ ବିଭାଗ, ବିଡିଏ, ବିଏମ୍ସି, ଜନସ୍ୱାସ୍ଥ୍ୟ ଓ ପ୍ରାଚୀ ଡିଭିଜନ୍ର ଅଧିକାରୀଙ୍କୁ ନିୟୋଜିତ କରାଯାଇଛି। କଣ୍ଟ୍ରୋଲ ରୁମ୍କୁ ଆସିବାକୁ ଥିବା ଅଭିଯୋଗର ତୁରନ୍ତ ସମାଧାନ କରିବା ସହ ଆବଶ୍ୟକୀୟ ପଦକ୍ଷେପ ନେବାକୁ କୁହାଯାଇଛି। ରାଜଧାନୀବାସୀ ବର୍ଷା କି ବାତ୍ୟା ଜନିତ କୌଣସି ସମସ୍ୟାରେ ପଡ଼ିଲେ ତୁରନ୍ତ ୧୮୦୦୩୪୫୦୦୬୧ ଏବଂ ୦୬୭୪-୨୪୩୨୨୮୧ ନମ୍ବରରେ କଲ୍ କରିବାକୁ କୁହାଯାଇଛି। ବିଏମ୍ସିର ୧୩ଟି ସବ୍ଜୋନ୍ର ନୋଡାଲ ଅଧିକାରୀ ଏବଂ ତାଙ୍କର ଟିମ୍, ୪୦ ଜଣ ଇଂଜିନିୟରଙ୍କୁ ସଜାଗ ରହିବାକୁ କୁହାଯାଇଛି। ସମ୍ବେଦନଶୀଳ ଥିବା ୨୭ଟି ୱାର୍ଡର ବିଭିନ୍ନ ସ୍ଥାନରେ ଆଗୁଆ ପାଣି ପମ୍ପ ରଖାଯାଇଛି। ଏଠାରେ ଯେପରି ଜଳବନ୍ଦୀ ସମସ୍ୟା ସୃଷ୍ଟି ନହେବ ସେଥିପାଇଁ ସଜାଗ ରହିବାକୁ କୁହାଯାଇଛି।