Wed. Nov 20th, 2024

ବାଣ ଦୋକାନ ଜାଗା ଚିହ୍ନଟକୁ ନେଇ ବ୍ୟବସାୟୀ ମହଲରେ ଅସନ୍ତୋଷ

By amfnews Nov 5, 2018 #Featured
97 Views

ରାଉରକେଲା,ନଭେମ୍ବର,୪: ରାଉରକେଲା ସହର ଓ ବାସନ୍ତୀ କଲୋନୀ ଅଞ୍ଚଳରେ ବାଣ ବ୍ୟବସାୟ କରୁଥିବା କିଛି ବ୍ୟବସାୟୀଙ୍କ ମଧ୍ୟରେ ବାଣ ଦୋକାନ ଖୋଲିବାକୁ ନେଇ ଅସନ୍ତୋଷ ଦେଖା ଦେଇଛି । ଗତବର୍ଷ ପାୱାର ହାଉସ୍ ରୋଡ଼ ପାର୍କିଂ ଏରିଆରେ ହୋଇଥିବା ବାଣ ଦୋକାନରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି ସହ ଜଣଙ୍କ ମୃତ୍ୟୁ ଘଟିଥିଲା । ନିକଟରେ ଓଡ଼ିଶା ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ ଥିଲେ ମଧ୍ୟ ଏହି ନିଆଁକୁ ଆୟତ୍ତ କରିବା କଷ୍ଟକର ହୋଇପଡ଼ିଥିଲା ।

ତେଣୁ ଚଳିତ ବର୍ଷ ଦିପାବଳୀରେ ସତର୍କତା ଦୃଷ୍ଟି କୋଣରୁ ସ୍ଥାନୀୟ ପ୍ରଶାସନ ପକ୍ଷରୁ ବାଣ ଦୋକାନୀଙ୍କ ପାଇଁ ବିଭିନ୍ନ ନିୟମ କରାଯିବା ସହ ରୂପଟୋଲ ବସ୍ତି ବାଲୁଘାଟ ପଡ଼ିଆ ଠାରେ ବାଣଦୋକାନ ଖୋଲିବା ପାଇଁ ଜାଗା ଚୟନକୁ ନେଇ ବ୍ୟବସାୟୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଚଳିତ ବର୍ଷ ତହସିଲଦାରଙ୍କ ପକ୍ଷରୁ ସହର ଠାରୁ ୫ କିଲୋମିଟର ଦୂରତାରେ ବାଣ ଦୋକାନ ଖୋଲିବାକୁ ସ୍ଥାନ ବଛାଯାଇଛି । ଫଳରେ ବାଣ ବ୍ୟବସାୟୀଙ୍କ ମଧ୍ୟରେ ଏହି ନିଷ୍ପତ୍ତି ଅସନ୍ତୋଷର କାରଣ ହୋଇଛି ।

ତେଣୁ ସେମାନେ ଏହାର ବିରୋଧ କରିବା ସହ ପୁନର୍ବିଚାର ପାଇଁ ଦାବି କରିଛନ୍ତି । ଅନ୍ୟପଟେ ବାଣ ବ୍ୟବସାୟୀମାନେ ନିଜ ଦୋକାନରେ ଅଗ୍ନି ସୁରକ୍ଷା ସାମଗ୍ରୀ ରଖିବା ସାଙ୍ଗକୁ କୌଣସି ବିପଦଜନକ ବାଣ ରଖିପାରିବେ ନାହିଁ ଭଳି ବିଭିନ୍ନ ନିୟମ କରାଯାଇଛି । ଯଦି କୌଣସି ବ୍ୟବସାୟୀ ଏହି ନିୟମ ଉଲ୍ଲଘଂନ କରନ୍ତି ତେବେ ତାଙ୍କ ଠାରୁ ଜୋରିମାନା ଆଦାୟ ସହ ବାଣ ଦୋକାନ ଲାଇସେନ୍ସ ରଦ୍ଦ କରାଯିବା ପାଇଁ ବ୍ୟବସ୍ଥା କରାଯାଇଛି । ପ୍ରଶାସନର ଏଭଳି କଠୋର ପଦକ୍ଷେପକୁ ନେଇ ସହରର ବାଣ ଦୋକାନୀମାନେ ବିରୋଧ କରିବା ସହ ସ୍ଥାନୀୟ ଉପଜିଲ୍ଲାପାଳ ବିଶ୍ୱଜିତ ମହାପାତ୍ରଙ୍କୁ ଭେଟି ଅବଗତ କରାଇଥିଲେ ।

ତେବେ ବାଣ ଦୋକାନ ପାଇଁ ତହସିଲଦାର ସ୍ଥାନ ଚୟନ କରିଥିବା ସହ ସହରବାସୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଥିବା ଶ୍ରୀ ମହାପାତ୍ର ବ୍ୟବସାୟୀଙ୍କୁ କହିଛନ୍ତି । ଏଥିରେ ବାଣ ବ୍ୟବସାୟୀ ସଂଘର ଦୀପକ ରାଉତ, କପିଳ ସାହୁ, ନିଶିକାନ୍ତ ସାହୁ, ପ୍ରସନ୍ନ ସାହା, ବନୱାରୀଲାଲ ବାଗାଡ଼ିଆ, ଏକାଦଶୀ ସିଂ, ହିମାଦ୍ରି ମହାନ୍ତି, ଏଲ୍ଏନ୍ ପରିଡ଼ା, ସମ୍ବିତ ପରିଡ଼ା, ମନୋଜ ନାୟକ, ଶିବାନନ୍ଦ ବିଶ୍ୱାଳ, ନୀଳକଣ୍ଠ ସାହୁଙ୍କ ସମେତ ଶତାଧିକ ବାଣ ଦୋକାନୀ ଉପସ୍ଥିତ ଥିଲେ ।

By amfnews

Related Post