ଭୁବନେଶ୍ବର , ଜାନୁଆରୀ ୦୫ : ନୂଆ ଖଣି ଆଇନ ସଂଶୋଧନ ପରେ ଯେଉଁ ରାଜ୍ୟର ଖଣି ସେଇ ରାଜ୍ୟ ନିଲାମ ଅର୍ଥର ୯୦ ପ୍ରତିଶତ ପାଇବେ। ଏମିତି ବ୍ୟବସ୍ଥା ରଖି କେନ୍ଦ୍ର ସରକାର ୨୦୧୫ ମସିହାରେ ଖଣି ଓ ଖଣିଜ ବିକାଶ ଓ ନିୟନ୍ତ୍ରଣ (ଏମଏମଡିଆର) ଆଇନର ସଂଶୋଧନ କରିଥିବା କହିଥିଲେ। ହେଲେ ସଂଶୋଧିତ ଆଇନରେ ଯେ, ଏତେ ପେଞ୍ଚ ଅଛି େଯ ଖଣିଜ ସଂପଦ ରାଜ୍ୟମାନଙ୍କର ମୁଣ୍ଡବିନ୍ଧା ବଢାଇ େଦଇଛନ୍ତି।
ଖଣି ପଟ୍ଟାଧାରୀ ଜେ.ଏସ.ଡବ୍ଲ୍ୟୁ ଷ୍ଟିଲ ଲିମିଟେଡର ଏକ ମାମଲାର ଶୁଣାଣି ବେଳେ ଦିଲ୍ଲୀ ହାଇକୋର୍ଟ ଏଭଳି କିଛି ଗଳାବାଟ ସଂପର୍କରେ ସୂଚାଇ ଓଡ଼ିଶା ଖଣି ନିଲାମ ଉପରେ ରୋକ ଲଗାଇଛନ୍ତି। ଏହା ଓଡ଼ିଶା ଭଳି ରାଜ୍ୟ ପାଇଁ ଘାତକ ସଦୃଶ େହାଇଛି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଖଣି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ରାଜ କୁମାର ଶର୍ମା କେନ୍ଦ୍ର ଖଣି ସଚିବଙ୍କୁ ଗତ ଡିସେମ୍ବର ୨୭ ତାରିଖରେ ଚିଠି ଲେଖି ସ୍ପଷ୍ଟୀକରଣ ଲୋଡିଛନ୍ତି।
ଆଇନର ବ୍ୟବସ୍ଥା ଅନୁଯାୟୀ,େଗାଟିଏ ରାଜ୍ୟରେ ଯେଉଁ ସଂସ୍ଥା ଗୋଟିଏ କିମ୍ବା ଏକାଧିକ ଖଣି ମିଶି ୧୦ ବର୍ଗ କିଲୋମିଟର ଅଞ୍ଚଳରେ ଲିଜ େନଇଥିବେ, ସେମାନେ ଆଉ ପରବର୍ତ୍ତୀ ଖଣି ନିଲାମରେ ଭାଗ ନେଇପାରିବେ ନାହିଁ। ଖାସ୍ ଏହି କାରଣରୁ ଅଧିକ ଦରରେ ଖଣି ନିଲାମ ଧରିବାକୁ ଯୋଗ୍ୟ ହେଉଥିବା ଲିଜଧାରୀଙ୍କ ରାସ୍ତା ଓଗାଳିଛି ମୂଳ ଆଇନ। ଏ େନଇ ଓଡ଼ିଶା ଆପତ୍ତି ଉଠାଇଛି।
ମିଳିଥିବା ଚିଠି ଅନୁଯାୟୀ, ଗତବର୍ଷ ଫେବ୍ରୁଆରୀ ୨୩ ତାରିଖରେ ପୁରେଇବାହାଲ ଏବଂ ଚାନ୍ଦିପୋଷ ଲୁହାପଥର ଖଣି ସହିତ ୩ଟି ଚୁନପଥର ବ୍ଲକ ନିଲାମ ପାଇଁ ରାଜ୍ୟ ସରକାର ଟେଣ୍ଡର ଆହ୍ବାନ କରିଥିଲେ। ଖଣି ନିଲାମ ପ୍ରକ୍ରିୟା ଚାଲୁ ରହିଥିବା ବେଳେ ୨୦୧୮ େମ ୪ ତାରିଖରେ ଖଣି ନିଲାମର ଇ-ଅକସନ ପ୍ରକ୍ରିୟା ବନ୍ଦ କରିବାକୁ ଦିଲ୍ଲୀ ହାଇକୋର୍ଟରେ ଜେ.ଏସ.ଡବ୍ଲ୍ୟୁ ଷ୍ଟିଲ ଲିମିଟେଡ ପକ୍ଷରୁ ମାମଲା ଦାୟର କରାଗଲା। ମାମଲାକୁ ଗ୍ରହଣ କରି ଦିଲ୍ଲୀ ହାଇକୋର୍ଟ ସମ୍ପୃକ୍ତ ଖଣିଗୁଡ଼ିକର ନିଲାମ ବନ୍ଦ କରିବାକୁ ଅନ୍ତରୀଣ ଆଦେଶ ଦେଇଛନ୍ତି। ଏ ନେଇ କେନ୍ଦ୍ର ସରକାରଙ୍କୁ ହାଇକୋର୍ଟ ଜବାବ ତଲବ କରିଥିଲେ ହେଁ, ଖଣି ମନ୍ତ୍ରାଳୟ ତାରିଖ ପରେ ତାରିଖ ଗଡ଼ାଇଚାଲିଛି। ଗତ ନଭେମ୍ବର ୨୭ ତାରିଖ ମାମଲାର ଶୁଣାଣି ବେଳେ କେନ୍ଦ୍ର ପକ୍ଷରୁ କିଛି ବି ଜବାବ ରଖାଯାଇନାହିଁ। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ଫେବ୍ରୁଆରୀ ୬ ତାରିଖକୁ ଧାର୍ଯ୍ୟ କରିଛନ୍ତି ଦିଲ୍ଲୀ ହାଇକୋର୍ଟ।
ଚଠିରେ ଖଣି ସଚିବ ଆହୁରି ଦର୍ଶାଇଛନ୍ତି, ରାଜ୍ୟ ଖଣି ନିର୍ଦ୍ଦେଶକ ୨୦୧୭ ଜୁଲାଇ ୨୬ରେ ଅନୁଷ୍ଠିତ ଭାରତ ସରକାରଙ୍କ ଖଣି ବିଭାଗ ଦ୍ବାରା ଆୟୋଜିତ ସଂଶୋଧିତ ଖଣି ରୁଲ ସମୀକ୍ଷା କମିଟି ବୈଠକରେ ଏହି କଥା ଉଠାଇଥିଲେ। ହେଲେ ତାକୁ ବି ଗୁରୁତ୍ବ ଦେଇନାହାନ୍ତି କେନ୍ଦ୍ର ଖଣି ମନ୍ତ୍ରାଳୟ। େକନ୍ଦ୍ର ସରକାରଙ୍କ ଅବହେଳା ଯୋଗୁଁ ଓଡ଼ିଶା ୨୦୧୮-୧୯ ଆର୍ଥିକ ବର୍ଷ ସରିବାକୁ ବସିଲାଣି ଏ ଯାଏଁ ଗୋଟିଏ ବି ଖଣି ନିଲାମ କରିପାରୁନି।
ଏପରିକି ଖଣି ବିଭାଗ ଲେଖିଛି , ୧୦ ବର୍ଗ କିଲୋମିଟର ସୀମାକୁ ବୃଦ୍ଧି କରି ୭୫ ବର୍ଗ କିଲୋମିଟର କରିବାକୁ ଗତବର୍ଷ ମାର୍ଚ୍ଚ ୧୩ ତାରିଖରେ ରାଜ୍ୟସରକାର କେନ୍ଦ୍ରକୁ ପ୍ରସ୍ତାବ ପଠାଇଥିଲେ। ଅଥଚ ଓଡ଼ିଶା ସରକାରଙ୍କ ପ୍ରସ୍ତାବ ଉପରେ େକନ୍ଦ୍ର ନିରବ ରହିଛି।
ଏବେ ରାଜ୍ୟ ସରକାର ଚଳିତ ଆର୍ଥକ ବର୍ଷ ଶେଷସୁଦ୍ଧା ଗୋଟିଏ ଲେଖାଏଁ ଲୁହାପଥର ଓ ମାଙ୍ଗାନିଜ ଖଣି ସମେତ,୭ଟି ଲୁହାପଥର,ଦୁଇଟି ଗ୍ରାଫାଇଟ ଖଣି,ଗୋଟିଏ ମାଙ୍ଗାନିଜ,୪ଟି ଚୁନପଥର ମିଶି ୧୬ଟି ଖଣି ନିଲାମ ପାଇଁ ଲକ୍ଷ୍ୟ ରଖିଛନ୍ତି। ହେଲେ କେନ୍ଦ୍ର ସରକାରଙ୍କ ଅବହେଳା ଏ ଦିଗରେ ବାଧକ ସାଜୁଛି। ଖାଲି ସେତିକି ନୁହେଁ, ଆଗକୁ ୨୦୨୦ ମାର୍ଚ୍ଚ ସୁଦ୍ଧା ୩୧ଟି ଚାଲୁରହିଥିବା ଖଣିର ଲିଜ ଅବଧି ସମାପ୍ତ ହେବ। ଲିଜ ଅବଧି ସରିବାର ଯଥେଷ୍ଟ ପୂର୍ବରୁ ଖଣି ଗୁଡ଼ିକର ନିଲାମ ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବା କଥା। କିନ୍ତୁ କେନ୍ଦ୍ର ସରକାରଙ୍କ ସ୍ଥାଣୁତା କାରଣରୁ ଏସବୁ ମଧ୍ୟ ପ୍ରଭାବିତ େହବାକୁ ବସିଛି।
ଜଣେ ଅଧିକାରୀ କହିଛନ୍ତି, ଯଦି ଏବେ ନିଲାମ ପ୍ରକ୍ରିୟା ତ୍ବରାନ୍ବିତ ନ ହୁଏ, ତେବେ ୨୦୨୦ ବେଳକୁ ରାଜ୍ୟର ଲୁହାପଥର ଉପରେ ନିର୍ଭର କରୁଥିବା ଇସ୍ପାତ ଶିଳ୍ପ ଗୁଡ଼ିକ କଞ୍ଚାମାଲ ପାଇପାରିବେ ନାହିଁ। ଏହାଦ୍ବାରା ରାଜ୍ୟ କୋଟି କୋଟି ଟଙ୍କାର ରାଜସ୍ବ ହରାଇପାେର।