Tue. Dec 24th, 2024

ବାଜି ଲାଗୁଛି ଜୀବନ:ରାସ୍ତା ମରଣଯନ୍ତା ସାଙ୍ଗକୁ ଦଦରା ଡଙ୍ଗାରେ ବିପଦପୂର୍ଣ୍ଣ ଯାତ୍ରା

amfnews2018@gmail.com' By Kalpana Das Sep 11, 2018 #Featured
286 Views

ମାଲକାନଗିରି :
ଦଶନ୍ଧି ପରେ ଦଶନ୍ଧି ବିତି ଯାଇଛି ହେଲେ ସମସ୍ୟା ସେପରି ରହିଛି। ସାମାନ୍ୟ ବର୍ଷା ହେଲେ ନଦୀର ଗଭୀରତା ବଢିବାରେ ଲାଗିଥାଏ । ଏଥିଯୋଗୁ ବର୍ଷା ସମୟରେ ଗ୍ରାମବାସୀଙ୍କ ଜୀବନ ବାଜି ଲାଗୁଛି। ଅପରପକ୍ଷେ ଗାଁକୁ ସଂଯୋଗ କରୁଥିବା ରାସ୍ତାର ଅବସ୍ଥା ବିଷୟରେ ନ କହିବା ଭଲ। ଚାଲିଯିବା ମଧ୍ୟ ଅନୁରୂପ ଭାବେ ସମ୍ଭବ ନୁହେଁ।
ଏପରି କରୁଣ ଦୁର୍ଦ୍ଦଶାରେ ଜୀବନ ବିତାଉଛନ୍ତି ମାଲକାନଗିରି ଜିଲା ଖଇରପୁଟ ବ୍ଲକ ତଥା ମାଥିଲି ଥାନା ଅନ୍ତର୍ଗତ ଗୋବିନ୍ଦପାଲି ପଞ୍ଚାୟତର ୫ ଗୋଟି ଗ୍ରାମବାସୀ । ଚାଲିଯିବା ପାଇଁ ଖଣ୍ତେ ଭଲ ରାସ୍ତାଟିଏ ନାହିଁ । ଆମ୍ବୁଲାନ୍ସ ଆସିବା ସ୍ବପ୍ନ । ଅତି ଆବଶ୍ୟକ ପଡିଲେ ଶେଷ ସମୟରେ ଖଟିଆରେ ବୋହି ଆଣି ସ୍ବାସ୍ଥ୍ୟକେନ୍ଦ୍ରରେ ଆସୁଛନ୍ତି।
ସାମାନ୍ୟ ଜ୍ବରବ୍ୟଥା ହେଲେ ନିକଟ ଦିଶାରିଙ୍କ ଦ୍ବାରା ଫୁଙ୍କା ଝଡା ସାହାରା ପାଲଟିଛି।ଗୋବିନ୍ଦପାଲି ପଞ୍ଚାୟତ ଅଧିନ ମାଲାଗୁଡା , ପାକନାଗୁଡା, କମଳାପଦର , ଗୋଜିଆଗୁଡା, ଭେନସଯୋଡି ଆଦି ଗ୍ରାମର ଏ ହେଉଛି କରୁଣ କାହାଣୀ। ପଞ୍ଚାୟତ ସଦର ଠାରୁ ୫ କିମି ଦୂରରେ ଥିବା ଏହି ଗାଁ ଗୁଡିକରେ ସ୍ବାସ୍ଥ୍ୟସେବା, ଗମନାଗମନ, ପୋଲ ଭଳି ମୌଳିକ ସୁବିଧା ଅପହଞ୍ଚ ।
ସରକାରୀ ଯୋଜନା ପାଇବା ପାଇଁ ସଦରକୁ ବହୁ ସମସ୍ୟାର ସମ୍ମୁଖୀନ ହୋଇ ଆସିବାକୁ ପଡୁଛି । ଗତ କିଛି ଦିନ ପୂର୍ବେ ଗୋଜିଆଗୁଡା ଗ୍ରାମରେ ଝାଡାବାନ୍ତି ଆକ୍ରାନ୍ତରେ ୩ ଜଣଙ୍କ ଜୀବନ ଯାଇଥିଲା। ଶୋଚନୀୟ ରାସ୍ତା ଏବଂ ନଦୀର ଭୟାଭୟ ପ୍ରଖର ସ୍ରୋତ ଯୋଗୁ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣୁଥିବା ଆକ୍ରାନ୍ତ ଲୋକଙ୍କୁ ପୁଣି ନଦୀ ଘାଟରୁ ଘରକୁ ଫେରାଇ ନିଆଯାଉଛି। କମଳାପଦର ଗ୍ରାମର ଜଣେ ଜୈନିକ ମହିଳା ଗତ ୫ ଦିନ ହେବ ଜ୍ବରରେ ଆକ୍ରାନ୍ତ ହୋଇଛନ୍ତି ।
କିନ୍ତୁ ଶୋଚନୀୟ ରାସ୍ତାରେ ଯାତାୟତ ହୋଇପାରୁ ନ ଥିବାରୁ ଦିଶାରୀଙ୍କ ଦ୍ବାରା ଝଡାଫୁଙ୍କା ହୋଇ ଘରେ ରହିଛନ୍ତି। ଗତ ବର୍ଷେ ହେଲାଣି ଗୋବିନ୍ଦପାଲିଠାରୁ ଗୋଜିଆଗୁଡା ପର୍ଯ୍ୟନ୍ତ ରାସ୍ତା ର୍ନିମାଣ କାମ ଆରମ୍ଭ ହୋଇଛି । କିନ୍ତୁ ଆଜି ପର୍ଯ୍ୟନ୍ତ ଶେଷ ହୋଇପାରିନାହିଁ । ପୂର୍ବରୁ ଥିବା ରାସ୍ତା ଅପେକ୍ଷା, କାମ ଆରମ୍ଭ ହେବା ଦିନରୁ ରାସ୍ତା ଅତି ଶୋଚନୀୟ ହୋଇପଡିଛି। ଖାଲଖମା ଥିଲେ ମଧ୍ୟ ଯାତାୟତ ଏକପ୍ରକାର ହୋଇପାରୁଥିଲା । ହେଲେ କାମ ଆରମ୍ଭ ହେବା ପରେ ଚାଲିଯିବା କଷ୍ଟକର ହୋଇପଡ଼ୁଛି ।
ଅପରପକ୍ଷେ ଗୋଜିଆଗୁଡ଼ା ଘାଟରେ ପୋଲ ନିର୍ମାଣ କରିବାକୁ ପ୍ରଶାସନ ତରଫରୁ ଶୁଭାରମ୍ଭ ହୋଇଛି ସତ। ହେଲେ କାମ ଆଗକୁ ବଢିପାରୁନାହିଁ । ନିର୍ବାଚନ ସମୟରେ ଲୋକ ପ୍ରତିନିଧିମାନେ ଗାଁକୁ ଆସି ବିଭିନ୍ନ ପ୍ରତିଶ୍ରୁତି ଦେଉଥିଲେ ହେଁ ଏହା ସଫଳ ରୂପାୟନ ନେଇପାରୁନାହିଁ। ଆସନ୍ତା ୨୦୧୯ ନିର୍ବାଚନ ସୁଦ୍ଧା ପୋଲ କିମ୍ବା ରାସ୍ତା ନିର୍ମାଣ ଶେଷ ନ ହେବା ପର୍ଯ୍ୟନ୍ତ ଯଦି କୌଣସି ନେତା ଭୋଟ ପାଇଁ ଆସିବେ ତାହାଲେ ସେମାନଙ୍କୁ କୈଣସି ମତେ ଗାଁରେ ପଶେଇ ଦେବୁ ନାହିଁ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି। ଏଥିସହ ଆବଶ୍ୟକ ପଡ଼ିଲେ ନିର୍ବାଚନକୁ ବର୍ଜନ କରିବାକୁ ସେମାନେ ନିଷ୍ପତ୍ତି ନେବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି । ତେଣୁ ଏଥିପ୍ରତି ଜିଲା ପ୍ରଶାସନ ଖୁବ୍‌ଶିଘ୍ର ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

Related Post