Sat. Mar 7th, 2026

ବଲାଙ୍ଗୀର: ନାବାଳକକୁ ବଳି ଦେବା ଘଟଣାରେ ସଂପର୍କୀୟ ମାମୁ ଓ ଭାଇ ଗିରଫ

355 Views

ଭୁବନେଶ୍ୱର: ବଲାଙ୍ଗୀର ଜିଲ୍ଲାର ବଙ୍ଗୋମୁଣ୍ଡା ବ୍ଲକ ସିନ୍ଧେକେଲା ଥାନା ଅନ୍ତର୍ଗତ ଶୁଣ୍ଢିମୁଣ୍ଡା ଗାଁ ନିକଟରେ ନାବାଳକକୁ ବଳି ଦେବା ଘଟଣାରେ ପୁଲିସ ୨ ଜଣ ସଂପର୍କୀୟ ମାମୁ ଓ ଭାଇକୁ ଗିରଫ କରିଛି। ପୁଲିସ ମଙ୍ଗଳବାର ସକାଳୁ ୯ ବର୍ଷର ବାଳକ ଘନଶ୍ୟାମ ଓରଫ ମିଥୁନ ରଣାଙ୍କ ମୁଣ୍ଡ କଟା ଶବ ଉଦ୍ଧାର କରିବା ପରେ ତଦନ୍ତରେ ବ୍ୟସ୍ତ ଥିଲା।

ଥାନାରେ ପିତାଙ୍କ ଅଭିଯୋଗ କ୍ରମେ, ଯେହେତୁ ତାଙ୍କର କାହାରି ସହିତ ଶତ୍ରୁତା ନଥିଲା, ତେଣୁ ତାଙ୍କ ପୁଅକୁ ବଳି ଦିଆଯାଇଥାଇପାରେ। ପୁଲିସ ପିତାଙ୍କ ଅଭିଯୋଗ ଅନୁସାରେ ତଦନ୍ତ କରୁଥିଲା ଓ ଶେଷରେ ସଫଳ ହୋଇଥିଲା। ସଂପର୍କୀୟ ମାମୁ କୁଞ୍ଜ ରଣା ଓ ସଂପର୍କୀୟ ଭାଇ ଶୋଭାବନ ରଣା ତନ୍ତ୍ର ସାଧନା ପାଇଁ ବଳି ଦେଇଥିଲେ ବୋଲି ପୁଲିସ କହିଛି। ପୁଲିସ ଉୟଭ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ପୁଲିସ ମୃତ ଶିଶୁର ବାପା ହୀରା ରଣାଙ୍କ ଅଭିଯୋଗ ଅନୁସାରେ, ତାଙ୍କର କାହା ସହ ଶତ୍ରୁତା ନାହିଁ। ଦଶହରା ପୂଜା ଥିବା ବେଳେ ପୁଅକୁ ଅପହରଣ କରିନେଇ ବଳି ଦିଆଯାଇଥିବା ସେ ସନ୍ଦେହ କରୁଛନ୍ତି। ଏଇଠୁ ହିଁ ଆରମ୍ଭ ହେଉଛି ବଙ୍ଗୋମୁଣ୍ଡା ଅଞ୍ଚଳରେ ବଳି ପ୍ରସଙ୍ଗ। ମଙ୍ଗଳବାର ମିଳିଥିବା ଶିଶୁର ମୁଣ୍ଡ କଟା ଶବ ପ୍ରଥମ ଘଟଣା ନୁହେଁ। ପୂର୍ବରୁ ମଧ୍ୟ ଏଭଳି ଘଟଣା ଘଟିଛି ଏହି ଅଞ୍ଚଳରେ। ୨ ବର୍ଷ ତଳେ ସେହି ବଙ୍ଗୋମୁଣ୍ଡା ବ୍ଲକ ଚୁଲିଫୁଙ୍କା ପଞ୍ଚାୟତର ଝାଲିପଦର ଗାଁର ଦାଶରଥୀ ପରାଭୁଏ(୭ ବର୍ଷ) ନିଖୋଜ ହୋଇ ଯାଇଥିଲେ। ଠିକ ଏହି ଦଶହରା ସମୟରେ। ତାଙ୍କର ମୁଣ୍ଡ କଟା ଶବ ଗାଁ ନିକଟରୁ ମିଳିଥିଲା। ବଙ୍ଗୋମୁଣ୍ଡା ପୁଲିସ ମାମଲାର ଅନୁସନ୍ଧାନ କରୁଥିବା ବେଳେ ଜଣାପଡ଼ିଥିଲା ଯେ, ମୃତ ଦାଶରଥୀକୁ ତନ୍ତ୍ର ସାଧନା କରୁଥିବା ବାଙ୍କ ବେହେରା ଅପହରଣ କରିନେଇ ବଳି ଦେଇଥିଲେ। ଏହି ଘଟଣାରେ ଗିରଫ ହୋଇଥିଲେ ବାଙ୍କ। ସେ ବର୍ତ୍ତମାନ ଜେଲରେ।

କେବଳ ସେତିକି ନୁହେଁ, ପ୍ରାୟ ୩ ବର୍ଷ ତଳେ କଣ୍ଟାବାଞ୍ଜିରେ ଆଜାଦ କ୍ଲବ ପକ୍ଷରୁ ରାବଣ ପୋଡି ଉତ୍ସବ ଆୟୋଜିତ ହୋଇଥିଲା। ଏଥିରେ ହଜାର ହଜାର ଲୋକ ସମବେତ ହୋଇ ରାବଣ ପୋଡ଼ି ଉତ୍ସବ ଉପଭୋଗ କରୁଥିଲେ। କିନ୍ତୁ କୁକୁଡ଼ାହାଡ଼ ଗାଁର ୧୦ ବର୍ଷର ଝିଅ ସ୍ବପ୍ନା ସରାଫ ରାବଣ ପୋଡ଼ି ମେଳାରୁ ‌ନିଖୋଜ ହୋଇଯାଇଥିଲେ। କଣ୍ଟାବାଞ୍ଜି ପୁଲିସ ମାମଲା ରୁଜୁ କରି ତଦନ୍ତ କରିଥିଲେ ବି ସ୍ବପ୍ନାର ଆଜି ଯାଏଁ କୌଣସି ଖୋଜଖବର ନାହିଁ। ସେ କେଉଁଠି? ମୃତ ନା ଜୀବିତ ତାହା କାହାରିକୁ ଜଣାନାହିଁ। ପୁଲିସ ତଦନ୍ତ କରିଥିଲେ ବି କିଛି ବି ସୁରାକ ପାଇ ପାରି ନାହିଁ। ସ୍ବପ୍ନାକୁ ବି ବଳି ଦିଆଯାଇଥିବା ଆଶଙ୍କା କରୁଛନ୍ତି ସ୍ଥାନୀୟ ଲୋକେ।

By amfnews

Related Post