Mon. Nov 25th, 2024
127 Views

ଶ୍ରୀନଗର: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ଅଟକ ଥିବା ରାଜନେତାଙ୍କୁ କେନ୍ଦ୍ର ସରକାର ଓ ସ୍ଥାନୀୟ ପ୍ରଶାସନ ମୁକ୍ତ କରିବାକୁ ପ୍ରକ୍ରିୟା ଆରମ୍ଭ କରିଛି। ହେଲେ ଅଟକରୁ ମୁକୁଳିବାକୁ ହେଲେ କଶ୍ମୀର ରାଜନେତାଙ୍କ ଆଗରେ କଡ଼ା ସର୍ତ୍ତ ଉପସ୍ଥାପନ କରାଯାଇଛି।

ଏପରି ଏକ ବଣ୍ଡ ମଧ୍ୟ ପ୍ରସ୍ତୁତ କରାଯାଇଛି। ଯଦି ଅଟକ ଥିବା ରାଜନେତାମାନେ ମୁକୁଳିବାକୁ ଚାହୁଁଛନ୍ତି, ତା’ହେଲେ ସେମାନଙ୍କୁ ଉକ୍ତ ବଣ୍ଡରେ ଦସ୍ତଖତ କରିବାକୁ ପଡ଼ିବ। ଏଥିରେ କୁହାଯାଇଛି ଯେ ଯଦି କଶ୍ମୀର ରାଜନେତାମାନେ ଗୋଟିଏ ବର୍ଷ ଯାଏ ଧାରା ୩୭୦ ଉଚ୍ଛେଦ ସମ୍ପର୍କରେ ମତ ନ ଦେବେ କିମ୍ବା ଜମ୍ମୁ-କଶ୍ମୀରରେ କୌଣସି ବିକ୍ଷୋଭ ସମାବେଶ ଆୟୋଜନ ନ କରିବେ, ତା’ହେଲେ ଯାଇ ରାଜନେତାମାନଙ୍କୁ ଅଟକ ଦଣ୍ଡରୁ ମୁକ୍ତି ମିଳିବ।

ଖାଲି ସେତିକି ନୁହେଁ, ବଣ୍ଡରେ ଆହୁରି କୁହାଯାଇଛି ଯେ ଜମ୍ମୁ-କଶ୍ମୀରରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ରାଜନେତାଙ୍କୁ ସମସ୍ତ ପଦକ୍ଷେପ ନେବାକୁ ପଡ଼ିବ। ଏହି କଟକଣା ଗୋଟିଏ ବର୍ଷ ପାଇଁ ପାଳନ କରିବାକୁ ପଡ଼ିବ। ଅଟକ ଥିବା ରାଜନେତାମାନେ ମୁକୁଳିବା ପାଇଁ ୧୦ ହଜାର ଟଙ୍କାର ସ୍ୟୁରିଟି ଦାଖଲ କରିବେ।

ସେହିପରି ନିୟମ ଭଙ୍ଗି ବର୍ଷକ ମଧ୍ୟରେ ଧାରା ୩୭୦ ଉପରେ ମତାମତ ଦେଲେ ମୁକୁଳିଥିବା ରାଜନେତାମାନଙ୍କୁ ଅତିରିକ୍ତ ୪୦ ହଜାର ଟଙ୍କା ଦାଖଲ କରିବାକୁ ପଡ଼ିବ। ବଣ୍ଡରେ ଏକଥା ମଧ୍ୟ ଉଲ୍ଲେଖ ରହିଛି।

ଅଗଷ୍ଟ ୫ରୁ ପ୍ରଶାସନ ସମସ୍ତ କଶ୍ମୀର ନେତାଙ୍କୁ ଅଟକ କରି ରଖିଥିଲା। କିଛି ଦିନ ପରେ ଜମ୍ମୁର ସମସ୍ତ ରାଜନେତାଙ୍କୁ ମୁକ୍ତ କରାଯାଇଥିଲା। ସେମାନେ ମୁକ୍ତି ପାଇଥିଲେ ହେଁ ଏଯାଏ କୌଣସି ରାଲି କିମ୍ବା ଧାରା ୩୭୦ ଉପରେ ପ୍ରତିକ୍ରିୟା ଦେଇନାହାନ୍ତି। ତେଣୁ ସେମାନେ ପ୍ରଶାସନ ଦ୍ୱାରା ପ୍ରସ୍ତୁତ ବଣ୍ଡରେ ଦସ୍ତଖତ କରିଥିବା ସ୍ପଷ୍ଟ ହୋଇଛି।

ଏବେ ବି କଶ୍ମୀରରେ ଫାରୁକ ଅବଦୁଲ୍ଲା, ଓମାର ଅବଦୁଲ୍ଲା ଓ ମେହେବୁବା ମୁଫତିଙ୍କ ଭଳି ରାଜନେତାମାନେ ଅଟକ ରହିଛନ୍ତି। ସେମାନଙ୍କୁ ମୁକ୍ତ କରିବା ପାଇଁ ପ୍ରଶାସନ ପ୍ରସ୍ତୁତ କରିଥିବା ବଣ୍ଡ ଏବେ ଭାଇରାଲ ହେବାରେ ଲାଗିଛି।

କିଛିଦିନ ତଳେ ଫାରୁକଙ୍କ ଭଉଣୀ ଓ ଝିଅଙ୍କ ସମେତ ଶତାଧିକ ମହିଳା ଲାଲ ଚୌକରେ ଧାରା ୩୭୦ ଉଚ୍ଛେଦ ବିରୋଧରେ ବିକ୍ଷୋଭ କରିଥିଲେ। ସେମାନଙ୍କୁ ସୁରକ୍ଷାକର୍ମୀ ଉଠାଇ ନେଇଥିଲା। ଏହାପରେ ସମସ୍ତଙ୍କୁ ୧୦ ହଜାର ଟଙ୍କାର ବ୍ୟକ୍ତିଗତ ବଣ୍ଡ ଓ ୪୦ ହଜାର ଟଙ୍କାର ସ୍ୟୁରିଟି ବଳରେ ଜାମିନ ମିଳିଥିଲା।

By amfnews

Related Post