Sat. Mar 7th, 2026

ବରାଦୀ ଭୋଗରେ ହେଲା ଅବଢ଼ା ରୋଷେଇ, ସପ୍ତାହେ ଭିତରେ ଆସିବ ଦରଦାମ୍‌ ରିପୋର୍ଟ

290 Views

ପୁରୀ, ଡିସେମ୍ବର ୫: ବହୁ ବାଦବିବାଦ ଭିତରେ ଆଜି ଶ୍ରୀମନ୍ଦିର ରୋଷ ଘରେ ପରୀକ୍ଷାମୂଳକ ଅବଢ଼ା ରୋଷେଇ ଶେଷ ହୋଇଛି। ଏଥିରେ କାନକା, ଖେଚୁଡ଼ି, ଡାଲି, ଡାଲମା, ବେସର, ମହୁର ଭଳି ଅନେକ ବ୍ୟଞ୍ଜନ ପ୍ରସ୍ତୁତ ହୋଇଛି। ତେବେ ଏହାର ଖର୍ଚ୍ଚ ଆକଳନ ହୋଇନି। ଖର୍ଚ୍ଚ ଆକଳନ ପରେ ଦରଧାର୍ଯ୍ୟ ହେବ ଏବଂ ଶ୍ରୀମନ୍ଦିର ପରିଚାଳନା କମିଟିର ଅନୁମୋଦନକ୍ରମେ ଆନନ୍ଦ ବଜାରରେ ଦର ତାଲିକା ଲାଗିବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ କୁମାର ମହାପାତ୍ର ଆଜି ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି।

ଅବଢ଼ା ଦରଦାମକୁ ନେଇ ଭକ୍ତଙ୍କ ମହଲରେ ଅସନ୍ତୋଷ ଓ ଆନନ୍ଦ ବଜାରରେ ଶୃଙ୍ଖଳା ଆଣିବାକୁ ସୁପ୍ରିମକୋର୍ଟଙ୍କ ଆଦେଶ ପରେ ଶ୍ରୀମନ୍ଦିର ପ୍ରଶାସନ ଅବଢ଼ାର ଦର ତାଲିକା ଲଗାଇବା ପାଇଁ ଦୁଇ ମାସ ତଳେ ନିଷ୍ପତ୍ତି ନେଇଥିଲା। ଏଥିପାଇଁ ପରୀକ୍ଷାମୂଳକ ଅବଢ଼ା ରୋଷେଇ ପାଇଁ ନିଷ୍ପତ୍ତି ହୋଇଥିଲା। ପ୍ରଥମେ ନୃସିଂହ ମନ୍ଦିର ଓ ପରେ କୋଠଭୋଗରେ ଅବଢ଼ା ରୋଷେଇ କରି ଦର ଧାର୍ଯ୍ୟ କରିବାକୁ ନିଷ୍ପତ୍ତି ହୋଇଥିଲା। କିନ୍ତୁ ବାରମ୍ବାର ବିବାଦ ମୁଣ୍ଡ ଟେକିବାରୁ ଆଜି ପର୍ଯ୍ୟନ୍ତ ପରୀକ୍ଷାମୂଳକ ଅବଢ଼ା ରୋ‌ଷେଇ ସମ୍ଭବ ହୋଇନଥିଲା।

ଶେଷ ଥର ପାଇଁ ଗତ ରବିବାର ଅବଢ଼ା ରୋଷେଇ ପାଇଁ ନିଷ୍ପତ୍ତି ହୋଇଥିଲେ ବି କୋଠଭୋଗ ସୁଆରଙ୍କ ଅସହଯୋଗ ଯୋଗୁ ଏହା ସମ୍ଭବ ହୋଇ ପାରିନଥିଲା। ଆପୋଷ ବୁଝାମଣା ପରେ ଆଜି ଦରଧାର୍ଯ୍ୟ ପାଇଁ ଅବଢ଼ା ରୋ‌ଷେଇ ହୋଇଛି। ବରାଦି ଭୋଗରେ ଆଜି ସୁଆର ମହାସୁଆର ନିଯୋଗ ସହଯୋଗରେ ଶ୍ରୀମନ୍ଦିର ପ୍ରଶାସନ ପରୀକ୍ଷାମୂଳକ ଅବଢ଼ା ରୋଷେଇ କରିଛି। ନିଜେ ଶ୍ରୀମନ୍ଦିର ପ୍ରଶାସନ ଆଜି ସକାଳୁ ଡାଲି, ଚାଉଳ, ଘିଅ, ପରିବା ଆଦି ଯୋଗାଇ ଦେଇଥିଲା।

ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ ଓ ସୁଆର ମହାସୁଆର ନିଯୋଗର କର୍ମକର୍ତାଙ୍କ ଉପସ୍ଥିତିରେ ସକାଳ ପ୍ରାୟ ୯ଟାରେ ବରାଦି ଭୋଗରେ ଏହି ଅବଢ଼ା ସ୍ବତନ୍ତ୍ର ଭାବେ ରୋଷେଇ କରାଯାଇଥିଲା। ଏ ସଂପର୍କରେ ମୁଖ୍ୟ ପ୍ରଶାସକ ଶ୍ରୀ ମହାପାତ୍ର କହିଛନ୍ତି, ଯେଉଁମାନେ ଅବଢ଼ା ରୋଷେଇ ସମୟରେ ଉପସ୍ଥିତ ଥିଲେ ଓ ଏଥିରେ ସଂପୃକ୍ତ ଥିଲେ ସେମାନେ ସପ୍ତାହକ ଭିତରେ ଶ୍ରୀମନ୍ଦିର ପ୍ରଶାସନକୁ ଚୂଡ଼ାନ୍ତ ରିପୋର୍ଟ ଦେବେ। କୁଡୁଆ, ଡାଲି, ଚାଉଳ, ଘିଅ ଆଦିରେ କେତେ ଖର୍ଚ୍ଚ ହେଲା ତାର ହିସାବ ରିପୋର୍ଟ ଆସିବା ପରେ ଦରଦାମ କେତେ ରହିବ ତା’ ଉପରେ ନୀତିଗତ ନିଷ୍ପତ୍ତି ନିଆଯିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

By amfnews

Related Post