Sat. Mar 7th, 2026

ବରଗଡ଼ ଧନୁଯାତ୍ରା : ଏଥର କଂସ ବା ଅନ୍ୟ କଳାକାର ଚୟନ ହେବନି

237 Views

ବରଗଡ଼ : ବିଶ୍ବପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ପାଇଁ କଂସ ଚୟନକୁ ଦୀର୍ଘ ୧୨ ଦିନ ଧରି ଚାଲିଥିବା ବାଦବିବାଦର ଅନ୍ତ ଘଟିଛି। ଗୁରୁବାର ଜିଲ୍ଲାପାଳ ଜ୍ୟୋତିରଂଜନ ପ୍ରଧାନଙ୍କ ଅଧ୍ୟକ୍ଷତ‌ାରେ ବସିଥିବା ଧନୁଯାତ୍ରା କାର୍ଯ୍ୟକାରୀ କମିଟି ବୈଠକରେ ଚଳିତ ବର୍ଷ କଂସ ଏବଂ ଅନ୍ୟ କଳାକାର ଚୟନ ହେବନି ବୋଲି ଚୂଡ଼ାନ୍ତ ନିଷ୍ପତ୍ତି ହୋଇଛି। ଫଳରେ ଭୁବନେଶ୍ବର ପ୍ରଧାନ କ୍ରମାଗତ ତୃତୀୟ ବର୍ଷ ପାଇଁ କଂସ ଭୂମିକାରେ ଅବତୀର୍ଣ୍ଣ ହେବେ। ଧନୁଯାତ୍ରା ପାଇଁ ଆଉ କମ୍‌ ସମୟ ରହିଛି। ଏହାବାଦ୍‌ କୌଣସି ଲିଖିତ ପାଣ୍ଡୁଲିପି ନ ଥିବାରୁ ନୂଆ କଳାକାର ଅସୁବିଧା ଭୋଗିବେ। ତେଣୁ କଳାକାର ଚୟନକୁ ସର୍ବସମ୍ମତିକ୍ରମେ ସ୍ଥଗିତ ରଖାଯାଇଛି। ଅନ୍ୟପକ୍ଷରେ ଡିସେମ୍ବର ୧ ତାରିଖ ଶୁଭସ୍ତମ୍ଭ ସ୍ଥାପନ ହେବ। ହାଟପଦାରେ ସପ୍ତାହେ ବ୍ୟାପି ଚାଲୁଥିବା ରାଜ ଦରବାରକୁ ସ୍ଥାନାନ୍ତର ନେଇ ଚୂଡ଼ାନ୍ତ ନିଷ୍ପତ୍ତି ‌ହୋଇନାହିଁ।

ଏହା ଉପରେ ଆଗକୁ ଆହୁରି ବିଚାରବିମର୍ଶ ଚାଲିବ। ଅନ୍ୟପକ୍ଷରେ ଧନୁଯାତ୍ରା କମିଟିର ବିଭିନ୍ନ ଉପକମିଟିରେ ଥିବା ଶୂନ୍ୟ ପଦରେ ନୂଆ ନିଯୁକ୍ତି ହେବ ବୋଲି ସ୍ଥିର ହୋଇଛି। କିଛି ଦିନ ହେଲା ଧନୁଯାତ୍ରାର ସଂଳାପ କୋଶଲୀ ଭାଷାରେ କରିବାକୁ ବିଭିନ୍ନ ସଂଗଠନ ଦାବି କରୁଥିଲେ। ତେବେ ଭାଷାକୁ ନେଇ ଧନୁଯାତ୍ରାରେ କୌଣସି ପ୍ରତିବନ୍ଧକ ନାହିଁ। କୌଣସି ଲିଖିତ ପାଣ୍ଡୁଲିପି ନଥିବାରୁ କଳାକାରମାନେ ଯେକୌଣସି ଭାଷାରେ ସଂଳାପ କହିପାରିବେ। ଧନୁଯାତ୍ରା ଗୋଟିଏ ଭାଷାରେ ସୀମିତ ନୁହେଁ ବୋଲି ମତ ପ୍ରକାଶ ପାଇଛି। ସୂଚନାଯୋଗ୍ୟ ଯେ ଏଥର କଂସ ସମେତ ଅନ୍ୟ କଳାକାର ଚୟନ ପାଇଁ କଳାକାର ସମନ୍ବୟ ସମିତି ନିଷ୍ପତ୍ତି ନେଇଥିଲା। ଏହି କ୍ରମରେ ୧୬ ତାରିଖ ସୁଦ୍ଧା ଆବେଦନ କରିବାକୁ କୁହାଯାଇଥିଲା। ଗୁରୁବାର ଯାଏ କଂସ ଭୂମିକା ପାଇଁ ୧୦ଜଣ ଆବେଦନ କରିସାରିଥିଲେ। କିନ୍ତୁ ବିଭିନ୍ନ ସଂଗଠନ ପକ୍ଷରୁ କ୍ରମାଗତ ଦାବି ପରେ କଳାକାର ଚୟନକୁ ସ୍ଥଗିତ ରଖାଯାଇଛି।

By amfnews

Related Post