Fri. Mar 6th, 2026

ବରଗଡ଼ ଧନୁଯାତ୍ରା ଆରମ୍ଭ : ମଥୁରାନଗରୀରେ ଆରମ୍ଭ ହେଲା ମହାରାଜ କଂସଙ୍କ ରାଜୁତି

335 Views

ମଥୁରାନଗରୀ : ମଥୁରାନଗରୀରେ ଆରମ୍ଭ ହେଲା ମହାରାଜ କଂସଙ୍କ ରାଜୁତି। ପ୍ରବଳପ୍ରତାପୀ ମହାରାଜ କଂସଙ୍କ ପ୍ରକୋପରେ ଥରହର  ମଥୁରା ନଗରବାସୀ । ବିଶ୍ୱର ସର୍ବବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ୭୧ତମ ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ ମଂଗଳବାର ବିଧିବଦ୍ଧ ଭାବେ ଉଦ୍‌ଘାଟିତ ହୋଇଛି। ଅପରାହ୍ନରେ  ବିଭିନ୍ନ ପ୍ରାନ୍ତରୁ ଆସିଥିବା କଳାକାରମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିଲା ସାଂସ୍କୃତିକ ଶୋଭାଯାତ୍ରା। ଏହା ନଗର ପରିକ୍ରମା କରିବାପରେ  ବରଗଡ଼ର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ୱରୀଙ୍କ ମନ୍ଦିରରେ ପହଂଚିଥିଲା।  ସେଠାରେ ଆଶୀର୍ବାଦ ଭିକ୍ଷା କରିବା ପାଇଁ ମହାରାଜ ଉଗ୍ରସେନ, ମନ୍ତ୍ରୀ ପାରିଷଦ ବର୍ଗ ସମେତ ଅତିଥିମାନଙ୍କୁ ନେଇ ମନ୍ଦିରରେ ପାରମ୍ପରିକ ପୂଜାର୍ଚ୍ଚନା ପରେ ସଜ୍ଜିତ ହାତୀ, ଘୋଡ଼ା ଗାଡ଼ି ସହ ଏକ  ଶୋଭାଯାତ୍ରା ସହର ପରିକ୍ରମା କରି ହାଟପଦାସ୍ଥିତ ରାଜ ଦରବାରରେ ପହଞ୍ଚିଥିଲେ। ସେଠାରେ ଧନୁଯାତ୍ରା ମହୋତ୍ସବ ଉଦ୍‌ଘାଟନ ହୋଇଥିଲା। ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ସାଂସଦ ସୁରେଶ ପୂଜାରୀ, ବିଧାୟକ ଦେବେଶ ଆଚାର୍ଯ୍ୟ, ଜିଲ୍ଲାପାଳ ଜ୍ୟୋତିରଂଜନ ପ୍ରଧାନ, ଏସ୍‌ପି ପଦ୍ମିନୀ ସାହୁ ପ୍ରମୁଖ ଉପସ୍ଥିତ ରହି ମହୋତ୍ସବକୁ ଉଦ୍‌ଘାଟନ କରିଥିଲେ। ଧନୁଯାତ୍ରାକୁ ଜାତୀୟ ମାନ୍ୟତା ପାଇଁ ମିଳିତ ଭାବେ ପ୍ରୟାସ ହେବ ବୋଲି ନେତୃବୃନ୍ଦ ଘୋଷଣା କରିଥିଲେ। ମହୋତ୍ସବ ସମିତି ସଂଯୋଜକ ସୁରେଶ୍ୱର ଶତପଥୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ରାଜଦରବାର କମିଟି ଆବାହକ ରାଜେନ୍ଦ୍ର ପ୍ରସାଦ ସିଂହ ଧନ୍ୟବାଦ ଦେଇଥିଲେ।

ଆନୁଷ୍ଠାନିକ ସଭା ପରେ ଆରମ୍ଭ ହୋଇଥିଲା  ଧନୁଯାତ୍ରାର ନାଟ୍ୟାଭିନୟ। ପ୍ରଥମେ ସଂପନ୍ନ ହୋଇଥିବା ଦେବକୀ ଓ ବସୁଦେବଙ୍କ ବିବାହ। ପରେ ଦେବକୀର ଅଷ୍ଟମ ଗର୍ଭର ସନ୍ତାନ ନିଜ ମୃତ୍ୟୁର କାରଣ ହେବ ବୋଲି ଜାଣିବାକୁ ପାଇ ଯୁବରାଜ କଂସ  ବିଚଳିତ ହୋଇପଡ଼ିଥିଲେ। ପିତା ଉଗ୍ରସେନଙ୍କୁ ଗାଦିଚ୍ୟୁତ କରି କଂସ ସିଂହାସନ ଅକ୍ତିଆର କରିଛନ୍ତି। ଏହାପରେ ଦେବକୀ ଏବଂ ବସୁଦେବଙ୍କୁ କାରାଗାରକୁ ପ୍ରେରଣ କରିଛନ୍ତି।

By amfnews

Related Post