Sat. Mar 7th, 2026

ବରଗଡ଼ ଧନୁଯାତ୍ରା ଅବଗଣନା ଆରମ୍ଭ: ଗୋପପୁରରେ ଶୁଭସ୍ତମ୍ଭ ସ୍ଥାପନ

198 Views

ବରଗଡ଼ : ବରଗଡ଼ ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା ପାଇଁ ଅବଗଣନା ଆରମ୍ଭ ହୋଇଯାଇଛି। ଏହି କ୍ରମରେ ସୋମବାର ଗୋପପୁର କମିଟି ପକ୍ଷରୁ ଶୁଭସ୍ତମ୍ଭ ସ୍ଥାପନ ସହ କୃଷ୍ଣ, ବଳରାମ ଭୂମିକା ପାଇଁ ଅଭିନୟ କରୁଥିବା ଶିଶୁ କଳାକାରଙ୍କୁ ବରଣ କରାଯାଇଛି। ଗୋପପୁର (ଅମ୍ବାପାଲି) ସମଲେଶ୍ୱରୀ ମନ୍ଦିରରୁ ପୂଜାର୍ଚ୍ଚନା ପରେ ଏକ ସାଂସ୍କୃତିକ ଶୋଭାଯାତ୍ରା ବୃନ୍ଦାବନ ପଡ଼ିଆକୁ ପହଂଚିବା ପରେ ଶୁଭଲଗ୍ନରେ ଶୁଭସ୍ତମ୍ଭ ସ୍ଥାପନ କରାଯାଇଛି। ଏହାପରେ ଚଳିତ ବର୍ଷ କୃଷ୍ଣ-ବଳରାମ ଭୂମିକାରେ ଅଭିନୟ କରୁଥିବା ଶିଶୁ କଳାକାର ଆୟୁଷ ବିର୍ତିଆ ଏବଂ ଆଶୁତୋଷ ବିର୍ତିଆଙ୍କୁ ବରଣ କରାଯାଇଥିଲା। ପରେ ସାଂସ୍କୃତିକ ଶୋଭାଯାତ୍ରା ଅମ୍ବାପାଲି ଗ୍ରାମ ପରିକ୍ରମା କରିଥିଲା। ବୃନ୍ଦାବନ ପଡ଼ିଆଠାରେ ପୁରୋହିତ ଭଗବାନ ବିର୍ତିଆ ଦଶଦିଗପାଳ ସମେତ ଅଷ୍ଟଗୁଲା ନାଗ ଓ ଧ୍ୱଜା ପୂଜା କରିଥିଲେ।

ଏହି ଅବସରରେ ଗୋପପୁର କମିଟି ଆବାହକ ତଥା ଉପଜିଲ୍ଳାପାଳ ପ୍ରଭାସ ଡନସେନା, ତହସିଲଦାର ସବ୍ୟସାଚୀ ପଣ୍ଡା, ପୌର ନିର୍ବାହୀ ଅଧିକାରୀ ରାଜେଶ ସାହୁ, ଧନୁଯାତ୍ରା ମହୋତ୍ସବ ସମିତି ସଂପାଦକ ସୁରେଶ୍ୱର ଶତପଥୀଙ୍କ ସମେତ ଧନୁଯାତ୍ରା କମିଟିର ବହୁ ସଦସ୍ୟ ତଥା କଳାକାର ଉପସ୍ଥିତ ଥିଲେ।

By amfnews

Related Post