Sun. Nov 24th, 2024

ବରଗଡ଼ ଜିଲ୍ଲାରେ ୨୦ ବାଘ!

By amfnews Aug 4, 2019 #Featured
151 Views

ବରଗଡ଼ : ଓଡ଼ିଶାରେ ମହାବଳ ବାଘ ସଂଖ୍ୟା ସ୍ଥିର ରହିଥିବା ନେଇ ରିପୋର୍ଟ ଆସିବା ପରେ ବିବାଦ ସୃଷ୍ଟି ହୋଇଛି। ରାଜ୍ୟରେ ବାଘବଂଶ ବଢ଼ିଥିବା ଦାବି କରି ପୁନର୍ବାର ଗଣନା କରିବାକୁ ନିଷ୍ପତ୍ତି ହୋଇଛି। କିନ୍ତୁ ବରଗଡ଼ ଜିଲ୍ଲାରେ ବର୍ତମାନ ପାଖାପାଖି ୨୦ଟି ବାଘ ଥିବା ବନବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା‌ ଦେଇଛନ୍ତି। ତେବେ ଏଥିରୁ ଅଧିକାଂଶ ହେଉଛନ୍ତି ଚିତାବାଘ ବା କଲରାପତରିଆ ବାଘ। ପାଇକମାଳ ବ୍ଲକ ଗନ୍ଧମାର୍ଦ୍ଦନ ପର୍ବତ, ଡେବ୍ରିଗଡ଼ ଅଭୟାରଣ୍ୟ, ଦେଚୁଆଁ ଜଂଗଲ ଏବଂ ବୁଢ଼ା ଡଂଗର ଅଂଚଳରେ ବାଘ ରହିଛନ୍ତି। ତେବେ ଏସବୁ ଜଂଗଲରେ ମହାବଳ ବାଘ ଅଛନ୍ତି ନା ନାହିଁ, ତାହା ସ୍ପଷ୍ଟ ହୋଇନାହିଁ। ରାଜ୍ୟସ୍ତରରୁ ବିଧିବଦ୍ଧ ନିର୍ଦ୍ଦେଶ ଆସିବା ପରେ ଆସନ୍ତା ବର୍ଷ ମାର୍ଚ୍ଚ କିମ୍ବା ଏପ୍ରିଲ ମାସରେ ବାଘ ଗଣନା ହୋଇପାରେ ବୋଲି ଅଧିକାରୀ ଜଣକ କହିଛନ୍ତି।

ଚାରିବର୍ଷ ତଳେ ବାଘ ଗଣନା ବେଳେ ଜିଲ୍ଲାରେ ୧୮ଟି ବାଘ ଥିବା ଜଣାପଡ଼ିଥିଲା। ଇତିମଧ୍ୟରେ କୌଣସି ସ୍ଥାନରୁ ବାଘ ମୃତ୍ୟୁ ଘଟଣା ସାମନାକୁ ଆସିନାହିଁ। ତେଣୁ ଅତିକମ୍‌ରେ ସେତିକି ବାଘ ସୁରକ୍ଷିତ ଥିବା କୁହାଯାଉଛି। ଗତବର୍ଷ ଡେବ୍ରିଗଡ଼ ଅଭୟାରଣ୍ୟରେ ବାଘ ଗତିବିଧି ଜାଣିବା ପାଇଁ କ୍ୟାମେରା ଖଞ୍ଜା ଯାଇଥିଲା। ଏଥିରୁ ଗୋଟିଏ ମହାବଳ ବାଘର ଚଳପ୍ରଚଳ ଜଣାପଡ଼ିଥିଲା। କିନ୍ତୁ ଗତବର୍ଷ ଅକ୍ଟୋବର ୨୮ ତାରିଖ ବାଘର ଗଳିତ ଶବ ଖଜୁରଟିକ୍ରା ଜଂଗଲରୁ ଉଦ୍ଧାର ହୋଇଥିଲା। ଏହି ଏକମାତ୍ର ମହାବଳ ବାଘକୁ ଶିକାରୀମାନେ ହତ୍ୟା କରିଥିଲେ। ତେଣୁ ବାଘବଂଶ ବିପଦରେ ଥିବା ନେଇ ଆଶଂକା ପ୍ରକାଶ ପାଇଥିଲା। ଏହି ଘଟଣା ପରେ ଡେବ୍ରିଗଡ଼ ବ୍ୟାଘ୍ର ଅଭୟାରଣ୍ୟ ମାନ୍ୟତା ପାଇବା ନେଇ ଆଶଂକା ସୃଷ୍ଟି ହୋଇଥିଲା।

୧୯୮୫ ମସିହାରେ ଡେବ୍ରିଗଡ଼କୁ ଅଭୟାରଣ୍ୟ ମାନ୍ୟତା ମିଳିଥିଲା। ଏଠାରେ ଚିତାବାଘ, ହାତୀ, ବାର୍‌ହା, ଭାଲୁ, ସମ୍ବର, ହରିଣଙ୍କ ସଂଖ୍ୟା ଉତ୍ସାହଜନକ ରହିଛି। ଡେବ୍ରିଗଡ଼ ଅଭୟାରଣ୍ୟ ୩୫୩.୮୧ ବର୍ଗ କିଲୋମିଟର୍‌ ପର୍ଯ୍ୟନ୍ତ ବ୍ୟାପିଛି। ନିକଟସ୍ଥ ଦେଚୁଆଁ ସଂରକ୍ଷିତ ଜଂଗଲର ୭୦.୮୮ ବର୍ଗ କିଲୋମିଟର୍‌ ଏବଂ ନିକଟସ୍ଥ ୭୮ ବର୍ଗ କିଲୋମିଟର୍‌ର ଜଂଗଲକୁ ମିଶାଇ ମୋଟ୍‌ ୫୦୩.୨୧ ବର୍ଗ କିଲୋମିଟର୍‌ରେ ବ୍ୟାଘ୍ର ଅଭୟାରଣ୍ୟ କରିବାକୁ ପ୍ରସ୍ତାବ ରହିଛି। ଅଭୟାରଣ୍ୟ ଭିତରେ ବାସ କରୁଥିବା ଡେବ୍ରିଗଡ଼ ଏବଂ ଝଗଡ଼ାବେହେରା ଗ୍ରାମବାସୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ବର୍ତମାନ ମଧ୍ୟ ବାଘ ବଂଶ ସୁରକ୍ଷିତ ଥିବାରୁ ଡେବ୍ରିଗଡ଼ ବ୍ୟାଘ୍ର ଅଭୟାରଣ୍ୟ ପାଇଁ ପ୍ରମୁଖ ଦାବିଦାର ରହିଛି। ଯଦି ସରକାରୀ ନିର୍ଦ୍ଦେଶ ମିଳେ ତେବେ ଡେବ୍ରିଗଡ଼ ସମେତ ଅନ୍ୟ ଜଂଗଲରେ ବାଘ ଗଣିବାକୁ କ୍ୟାମେରା ସମେତ ପାରମ୍ପାରିକ ଜ୍ଞାନ କୌଶଳ ବ୍ୟବହାର ହେବ ବୋଲି ଜଣାପଡ଼ିଛି।

By amfnews

Related Post