120 Views
ଗଂଜାମ, ଅକ୍ଟୋବର ୨୭ : ତିତଲି ବନ୍ୟା ପାଣିରେ ଗଂଜାମ ଜିଲ୍ଲା ଗାଜଲବାଡି ପଂଚାୟତ ଭୂତପଙ୍କାଳ ଗାଁର ୬ ଜଣ ନିଖୋଜ ଘଟଣାରେ ଆଉଜଣଙ୍କର ମୃତଦେହ ଉଦ୍ଧାର ହୋଇଛି । ଗାଁ ଠାରୁ ଏକ କିଲୋମିଟର ଦୂରରୁ ଏହି ମୃତଦେହ ଉଦ୍ଧାର କରାଯାଇଛି ।
ମୃତଦେହଟି ବାଲିରେ ପୋତି ହୋଇ ରହିଥିବା ଅବସ୍ଥାରେ ଉଦ୍ଧାର ହୋଇଛି । ବର୍ତମାନ ସୁଦ୍ଧା ୪ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିବାବେଳେ ୨ ଜଣ ଏବେ ମଧ୍ୟ ନିଖୋଜ ରହିଛନ୍ତି ।
ସୂଚନା ମୁତାବକ, ଭୂତପଙ୍କାଳ ଗାଁରେ ତିତଲିରୁ ବର୍ତିବା ପାଇଁ ଗୋଟିଏ ପରିବାରର ୪ ଜଣଙ୍କ ସହ ଆଶ୍ରୟ ନେଇଥିବା ୨ ଜଣ ବ୍ୟକ୍ତି ବନ୍ୟା ପାଣିରେ ଭାସି ଯାଇଥିଲେ । ବଣଜଙ୍ଗଲ ଘେରା ଭୂତପଙ୍କାଳ ଗାଁର ବିଜୟ ମଲ୍ଲିକଙ୍କ ଘର ବନ୍ୟାରେ ରସାତଳଗାମୀ ହୋଇ ପଡିଥିବାବେଳେ ତାଙ୍କ ସହ ତାଙ୍କ ପରିବାରର ତିନିଜଣ ବନ୍ୟା ପାଣିରେ ନିଖୋଜ ହୋଇ ଯାଇଥିଲେ । ସେମାନଙ୍କ ମଧ୍ୟରୁ ପ୍ରଥମେ ବିଜୟଙ୍କ ସ୍ତ୍ରୀ ରଜନୀ ମଲ୍ଲିକଙ୍କ ମୃତଦେହ ମିଳିଥିଲା । ପରେ ଅନ୍ୟ ଦୁଇଜଣଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା ।