ନୂଆଦିଲ୍ଲୀ : ଜମ୍ମୁ କଶ୍ମୀର ଏବଂ ଲଦାଖକୁ କେନ୍ଦ୍ର ସରକାର ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରିବାକୁ ଘୋଷଣା କରିଛନ୍ତି। ଏହି ଘୋଷଣା କାର୍ଯ୍ୟକାରୀ ହେବା ପରେ ଜମ୍ମୁ କଶ୍ମୀର ହେବ ଆକାର ଦୃଷ୍ଟିରୁ ଦେଶର ସର୍ବବୃହତ୍ କେନ୍ଦ୍ରଶାସିତ ଅଞ୍ଚଳ। ସେହିଭଳି ଲଦାଖ ଦ୍ବିତୀୟ ବୃହତ୍ କେନ୍ଦ୍ର ଶାସିତ ଅଞ୍ଚଳ ହେବ। ଏହି ଦୁଇଟି ନୂଆ କେନ୍ଦ୍ର ଶାସିତ ଅଞ୍ଚଳ ଘୋଷଣା ପରେ ଦେଶରେ ମୋଟ କେନ୍ଦ୍ର ଶାସିତ ଅଞ୍ଚଳ ସଂଖ୍ୟା ୯କୁ ବୃଦ୍ଧି ପାଇବ। ସେହି କେନ୍ଦ୍ର ଶାସିତ ଅଞ୍ଚଳ ଗୁଡ଼ିକ ହେଲା ଜମ୍ମୁ କଶ୍ମୀର, ଲଦାଖ, ଦିଲ୍ଲୀ, ପୁଡ଼ୁଚେରି, ଡାମନ ଏବଂ ଡିଉ, ଦାଦ୍ରା ଏବଂ ନଗର ହାବେଳି, ଚଣ୍ଡିଗଡ଼, ଲାକ୍ଷାଦୀପ ଏବଂ ଆଣ୍ଡାମାନ ଓ ନିକୋବର। ବର୍ତ୍ତମାନ ଦେଶରେ ଥିବା ୭ଟି କେନ୍ଦ୍ର ଶାସିତ ଅଞ୍ଚଳ ମଧ୍ୟରୁ ମାତ୍ର ଦୁଇଟିରେ ଯଥା ଦିଲ୍ଲୀ ଏବଂ ପୁଡ଼ୁଚେରିରେ ବିଧାନସଭା ରହିଛି। ଜମ୍ମୁ କଶ୍ମୀରରେ ବିଧାନସଭା ରହିବା ଦ୍ବାରା ଦେଶର ୩ଟି କେନ୍ଦ୍ର ଶାସିତ ଅଞ୍ଚଳରେ ବିଧାନସଭା ରହିବ। ଅନ୍ୟପକ୍ଷରେ ଏବେ ଦେଶରେ ରାଜ୍ୟ ସଂଖ୍ୟା ୨୯ ପରିବର୍ତ୍ତେ ୨୮କୁ ଖସିଆସିଛି।
୧୯୪୭ରୁ ୨୦୧୯
ନୂଆଦିଲ୍ଲୀ : ଭାରତ ପାକିସ୍ତାନ ବିଭାଜନ ସମୟରେ ମହାରାଜ ହରି ସିଂହ କଶ୍ମୀରର ରାଜା ଥିଲେ। ମୁସଲିମ୍ ବହୁଳ ରାଜ୍ୟର ସେ ଜଣେ ହିନ୍ଦୁ ଶାସକ ଥିଲେ। ଭାରତ-ପାକିସ୍ତାନ ବିଭାଜନ ପାଇଁ ଭୌଗୋଳିକ ସୀମା ନିର୍ଦ୍ଧାରଣ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିଲେ ମଧ୍ୟ ହରି ସିଂହ ତାଙ୍କ ସାମ୍ରାଜ୍ୟକୁ ନିଜ ନିୟନ୍ତ୍ରଣରେ ରଖିବା ପାଇଁ ସମସ୍ତ କସରତ କରିଥିଲେ। ଜମ୍ମୁ କଶ୍ମୀରରେ ସ୍ଥାୟୀ ବାସିନ୍ଦା ସମ୍ପର୍କିତ ଆଇନ ମହାରାଜ ହରି ସିଂହଙ୍କ ଦ୍ବାରା ଅଣାଯାଇଥିଲା। ତେବେ ଏହି ଆଇନ ୧୯୪୭ ପର୍ଯ୍ୟନ୍ତ ବଳବତ୍ତର ରହିଥିଲା। ୧୯୪୭ ଅକ୍ଟୋବର ୨୬ରେ ଜମ୍ମୁ କଶ୍ମୀର ଭାରତରେ ସାମିଲ ହୋଇଥିଲା। ଏହି ଅବସରରେ ଜମ୍ମୁ କଶ୍ମୀର ମହାରାଜାଙ୍କୁ ପ୍ରତିରକ୍ଷା, ବୈଦେଶିକ ଓ ଯୋଗାଯୋଗ ଭଳି କ୍ଷମତା ହରାଇବାକୁ ପଡ଼ିଥିଲା। ତେବେ ପରେ ସ୍ଥାୟୀ ବାସିନ୍ଦା ସମ୍ପର୍କିତ ଆଇନ ଭାରତୀୟ ସମ୍ବିଧାନର ଧାରା ୩୭୦ ଓ ୩୫-ଏରେ ସ୍ଥାନ ପାଇଥିଲା। ଧାରା ୩୭୦ ଆଧାରରେ ୩୫ ଏ ଆଇନକୁ ସମ୍ବିଧାନରେ ସ୍ଥାନିତ କରାଯାଇଥିଲା। ୧୯୪୯ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ୍ ନେହରୁ ଓ ଜମ୍ମୁ କଶ୍ମୀର ନେତା ଶେଖ୍ ଅବଦୁଲ୍ଲାଙ୍କ ମଧ୍ୟରେ ଏକ ସର୍ତ୍ତମୂଳକ ଆଲୋଚନାକ୍ରମେ ଏହା ସମ୍ବିଧାନରେ ଅନ୍ତର୍ଭୁକ୍ତ କରାଯାଇଥିଲା। ଏହି ଆଇନକୁ ଭିତ୍ତି କରି ଜମ୍ମୁ କଶ୍ମୀର ୧୯୫୬ରେ ନିଜସ୍ବ ସମ୍ବିଧାନ ପ୍ରଣୟନ କରିଥିଲା। ଶେଖ୍ ଅବଦୁଲ୍ଲା ମହାରାଜା ହରିସିଂହଙ୍କୁ ପ୍ରବଳ ବିରୋଧ କରୁଥିଲେ।
ଧାରା ୩୬୮ ଅଧୀନରେ ସମ୍ବିଧାନ ସଂଶୋଧନ ଜରିଆରେ ଧାରା ୩୫-ଏକୁ ଅନ୍ତର୍ଭୁକ୍ତ କରାଯାଇନଥିବା ଦର୍ଶାଇ ୨୦୧୪ରେ ସୁପ୍ରିମକୋର୍ଟରେ ଏହି ଆଇନକୁ ଚ୍ୟାଲେଞ୍ଜ କରାଯାଇଥିଲା। କଣେ କଶ୍ମୀର ମହିଳା ଏହି ଆଇନକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ଆଜି ସରକାର ଏକ ଐତିହାସିକ ନିଷ୍ପତ୍ତି ନେଇ ଧାରା ୩୭୦ର ସମସ୍ତ ପ୍ରାବଧାନକୁ ଅଚଳ କରିଦେଇଛନ୍ତି।