Wed. Dec 25th, 2024

ବଡଚଣା ରାଜନୀତିରେ ଅମରଙ୍କ ବିରୋଧରେ ନିରାଶାବାଦୀଙ୍କ ଅପପ୍ରଚାର

By amfnews Sep 4, 2018 #Featured
678 Views

ଯାଜପୁର,୪/୯:ଯାଜପୁର ଜିଲ୍ଲାରେ ବଡଚଣା ବିଧାନସଭା କ୍ଷେତ୍ରରେ ଏବେ ନିରାଶାବାଦୀଙ୍କ ଅପପ୍ରଚାର ସମସ୍ତ ସୀମା ଉଲଂଗନ କରିଛି । ଏଠାରୁ ପ୍ରତିନିଧିତ୍ୱ କରୁଥିବା ରାଜ୍ୟର ପୂର୍ବତନ ମନ୍ତ୍ରୀ ତଥା ବିଧାନସଭାର ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀଙ୍କ ବିରୋଧରେ ଚାଲିଛି ଏହି ଚକ୍ରାନ୍ତ । ଏଭଳି ନକାରାତ୍ମକ କାର୍ଯ୍ୟଧାରା ନେଇ ରାଜନୈତିକ ଓ ବୁଦ୍ଧିଜୀବି ମହଲରେ ବେଶ କୌତୁହଳ ପ୍ରକାଶ ପାଉଛି ।

ମଙ୍ଗଳବାର ସକାଳୁ ସକାଳୁ ବଡଚଣା ଅଞ୍ଚଳରେ ବିଭିନ୍ନ ସ୍ଥାନରେ ବରିଷ୍ଠ ବିଧାୟକ ଅମର ପ୍ରସାଦ ଶତପଥୀଙ୍କ କୁତ୍ସାରଟନା କରିବାକୁ ଯାଇ ଏକ ପୋଷ୍ଟର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଥିଲା । ଏଥିରେ ଅମରଙ୍କ ସହ କେତେକ ମହିଳା ଓ ଝିଅଙ୍କ ଫଟୋ ରହିଥିଲା । ହେଲେ ଅମର ନିଜେ ଉକ୍ତ ଫଟୋ ଗୁଡିକ ସର୍ବସାଧାରଣ ଅବଗତି ନିମନ୍ତେ ଉଠାଇଥିବାର ସ୍ପଷ୍ଟ ଫଟୋର ପୋଜରୁ ଜଣା ପଡୁଥିଲା । ସେ ନେତା-କର୍ମୀ ସମ୍ପର୍କ ହେଉ କିମ୍ବା ବାପା-ଝିଅ ପରି ସମ୍ପର୍କକୁ କଦର୍ଥ କରି ଅପପ୍ରଚାର କରାଯିବାର ରୁଗଣ ମାନସିକତାକୁ ସାଧାରଣରେ ନାପସନ୍ଦ କରାଯାଉଛି । ଏପରିକି ଅମରଙ୍କ ପ୍ରତିଭା ଓ ପ୍ରତିଷ୍ଠାରେ ଅସହି÷ଷ୍ଣୁ ମାନଙ୍କ ଏଭଳି ଭୂମିକା ନେଇ ବେଶ କୌତୁହଳ ମଧ୍ୟ ପ୍ରକାଶ ପାଉଛି ।

ସେହିପରି ଟିଟୋ ଲିଙ୍କ ନେଇ ସିଧାସଳଖ ପ୍ରମାଣ ଯୋଗାଡ କରିବା ସହ ଏହାକୁ ଉପସ୍ଥାପନା କରିବାର ପ୍ଲାଟଫର୍ମ ମଧ୍ୟ ରହିଛି । ଜିଲ୍ଲାରେ ଟିଟୋ ଲିଙ୍କରେ ଧର୍ମଶାଳା ଏବଂ ବଡଚଣାରେ ଯଥାକ୍ରମେ ପଥର ଓ ବାଲି , ମୋରମ ବେପାର ସମସ୍ତ ସୀମା ଉଲଂଘନ କରିବାରେ ସତ୍ୟତା ଅସ୍ୱୀକାର କରାଯାଇ ନପାରେ । ଏପରିକି ଟିଟୋ ଲିଙ୍କରେ ରାଜ୍ୟର ବହୁ କ୍ଷମତାସୀନ ନେତା ଥିବାର ମଧ୍ୟ ଅଭିଯୋଗ ହେଉଛି । ଏହା ତଦନ୍ତ ସାପେକ୍ଷ ଏବଂ ଭିନ୍ନ ପ୍ରସଙ୍ଗ । ଏ ସଂକ୍ରାନ୍ତରେ ତଦନ୍ତକାରୀ ସଂସ୍ଥା ଠିକଣା ପଦକ୍ଷେପ ଗ୍ରହଣ ନକଲେ, ବିରୋଧୀ ମାନେ ସାଧାରଣରେ ଗଣମାଧ୍ୟମରେ ଅଧିକ ପ୍ରମାଣଯୋଗ୍ୟ ତଥ୍ୟ ଉପସ୍ଥାପନ କରିପାରିବେ । ଏହି ପ୍ରସଙ୍ଗରେ ମଧ୍ୟ ବିଭିନ୍ନ ଦଳର ବିଧାୟକମାନେ ବିଧାନସଭାରେ ଉପଯୁକ୍ତ ଯୁକ୍ତି ଓ ତଥ୍ୟ ଉପସ୍ଥାପନ କରିପାରିବେ । ରାଜନୀତିକୁ ଅପରାଧମୁକ୍ତ କରିବାକୁ ଚାହୁୁଁଥିବା ବୁଦ୍ଧିଜୀବି ମୁଖ୍ୟମନ୍ତ୍ରୀ କିମ୍ବା ତଦନ୍ତକାରୀ ସଂସ୍ଥାର ମୁଖ୍ୟଙ୍କୁ ସାକ୍ଷାତ କରି ନିଜର ତଥ୍ୟ ଉପସ୍ଥାପନ କରିପାରିବେ । ହେଲେ ରାସ୍ତା ଘାଟରେ ଏଥିନେଇ ପୋଷ୍ଟର ମରା ରାଜନୀତିରୁ ଅପରାଧ ମୁକ୍ତ କରିବା ଉଦ୍ୟମ ଅପେକ୍ଷା ଅଧିକ ରାଜନୈତିକ ସ୍ୱାର୍ଥ ସମ୍ବଳିତ ବୋଲି ଆଲୋଚନା ହେଉଛି ।

ବିଭିନ୍ନ ସମୟରେ ବଡଚଣା ରାଜନୈତିକ ଚକ୍ରାନ୍ତର ଶୀକାର ହୋଇଛି । ସେଥିପାଇଁ ବଡଚଣାର ନେତୃତ୍ୱକୁ ଦୁର୍ବଳ କରିବାର ପୂର୍ବରୁ ମଧ୍ୟ ଦୃଷ୍ଟାନ୍ତଯୋଗ୍ୟ ପଦକ୍ଷେପ ନିଆଯାଇଛି । ଏପରିକି ବଡଚଣାକୁ ମଧ୍ୟ ବଡ ବଡ ପ୍ରକଳ୍ପରୁ ବଂଚିତ କରିବାକୁ ସଫଳ ଉଦ୍ୟମ ହୋଇଛି । ଏଥିରେ ବଡଚଣାରୁ କିଛି ଲୋକଙ୍କୁ ବ୍ୟବହାର କରାଯାଇଛି । ଅତୀତରେ ଅମର ଶତପଥୀଙ୍କ ଟିକେଟ କଟିଥିବା ପାଂଚ ବର୍ଷରେ ବଡଚଣାର ବିକାଶ କ୍ଷେତ୍ରରେ ବଡ ଅନ୍ତରାୟ ସୃଷ୍ଟି ହୋଇଥିଲା । ଜୟପ୍ରକାଶ ନାରାୟଣଙ୍କ ଡାକରାରେ ସାମିଲ ହୋଇ ରାଜ୍ୟ ରାଜନୀତିରେ ଜଣାଶୁଣା ପ୍ରଭାବଶାଳୀ ଯୁବଛାତ୍ର ନେତାରୁ ବଡଚଣାରେ ବିଧାୟକ ହୋଇଥିବା ଅମର ଜଣେ ସୁନାମଧନ୍ୟ, ଜ୍ଞାନୀ, ଗୁଣୀ ବିଧାୟକ ଭାବେ ସମଗ୍ର ରାଜ୍ୟରେ ସୁପରିଚିତ । ଦେଶର ରାଷ୍ଟ୍ରପତି ଶାସନ ସମୟରେ ଅଢେଇ ବର୍ଷ କାରାବରଣ କରି ସେ ସମୟରେ ଇନ୍ଦିରା ଗାନ୍ଧୀଙ୍କ ବିରୋଧ କରି ଚର୍ଚ୍ଚାକୁ ଆସିଥିବା ଅମର ନିଜର ବ୍ୟକ୍ତିତ୍ୱ ଓ ସ୍ୱଭାବ ପାଇଁ ମଧ୍ୟ ସାଧାରଣରେ ବେଶ ଆଦୃତ ଓ ଆଦରଣୀୟ ।

ଏସବୁ ସତ୍ୱେ ବି ତାଙ୍କ ନିର୍ବାଚନ ମଣ୍ଡଳୀରେ ଏବେ ତାଙ୍କର ଏକାନ୍ତ ଅନୁଗତ ସାଜିଥିବା କେତେକ ଆଙ୍ଗୁଠି ଗଣତି ଆଗୁଆ କର୍ମୀଙ୍କ ପାଇଁ ଅମର ସାଧାରଣରେ ବଡ ପ୍ରଶ୍ନବାଚୀର ସମ୍ମୁଖୀନ ହେଉଛନ୍ତି । ଏହି ପାଂଚ ଜଣ ବଡଚଣାରେ ଦଳରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ଥିବା ସହ ରାଜନୀତି ନାମରେ ଠିକାଦାରୀ କରି ଅଦୃଶ୍ୟ କ୍ଷମତାକେନ୍ଦ୍ର ସାଜିଛନ୍ତି । ବଡଚଣା ରାଜନୀତିର ଅପ୍ରତିଦ୍ୱନ୍ଦୀ ସଂଗଠକ ତଥା ତକ୍ରାଳୀନ ବି.ଜେ.ଡି ସଭାପତି ଅକ୍ଷୟ ଧଳଙ୍କ ପରଲୋକ ଏବଂ ଦୁଇ ତିନଜଣ ଏକାନ୍ତ ଆତ୍ମିୟ କର୍ମୀ ଅମରଙ୍କ ଠାରୁ କୌଣସି କାରଣରୁ ଦୂରେଇ ରହିବା ସୁଯୋଗରେ ଏହି ବାବୁମାନେ ଅଧିକ ପ୍ରଭାବଶାଳୀ ହୋଇଛନ୍ତି ।

ଏହି ଅଦୃଶ୍ୟ କ୍ଷମତାକେନ୍ଦ୍ର ଏପରିକି ତଳସ୍ତରର ସାଧାରଣ ଭୋଟରଙ୍କ ନିକଟରେ ବି ଅଛୁଆଁ ହୋଇ ପଡିଛନ୍ତି । କେବଳ କ୍ଷମତାରେ ଥିବାରୁ ଲୋକେ ମୁହଁରେ ତୁଣ୍ଡି ଦେଇଥିବା ବେଳେ ନିର୍ବାଚନ ବେଳେ ଏମାନଙ୍କ ପାଇଁ ଅମର ବହୁମୂଲ୍ୟ ଦେବାକୁ ପଡିପାରେ । ଅମର କ୍ଷମତାରେ ନଥିବା ବେଳେ ଏମାନେ ଅମରଙ୍କ ସହ ନଥିବା ବେଳେ ସୁବିଧାବାଦୀ ନୀତିରେ କ୍ଷମତା ସହ ରହୁଥିବା ଏହି ବାବୁମାନେ ମଧ୍ୟ ଅମରଙ୍କୁ ସେ ସମୟରେ ବିରୋଧ କରୁଥିଲେ । ଏମାନଙ୍କ ପିଛିଲା ଜୀବନ ଅତ୍ୟନ୍ତ ଦୟନୀୟ , ନିନ୍ଦନୀୟ ଥିବା ବେଳେ ଏବେ ଅଚାନକ ବିପୁଳ ଧନ ବୃଦ୍ଧି କେବଳ ଅମର ତ ନୁହନ୍ତି ବରଂ ଦଳ ପାଇଁ ବଡ ସଙ୍କଟ ହୋଇଛି । ଏହି ଆକ୍ରୋଶରେ ଅମରଙ୍କ ବିରୋଧରେ ହେଉଥିବା ଅଯଥା ଷଡଯନ୍ତ୍ରକୁ ବି ଅନେକ କ୍ଷେତ୍ରରେ ସମର୍ଥନ ମିଳୁଥିବାର ଆଲୋଚନା ହେଉଛି ।

By amfnews

Related Post