Sat. Mar 7th, 2026

ବଜାର ମଝିରେ ଯୁବକଙ୍କୁ ହତ୍ୟା

175 Views

ପାଲଲହଡ଼ା : ଅନୁଗୋଳ ଜିଲ୍ଲା ପାଲଲହଡ଼ା ଇଲେକ୍ଟ୍ରି ଅଫିସ୍‌ ଛକରେ ଜଣେ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ ନରେନ୍ଦ୍ର ବେହେରା। ତାଙ୍କ ଘର ପାଲଲହଡ଼ା ଉଦିତନଗର ସାହିରେ।

ଆଜି ସକାଳେ ନରେନ୍ଦ୍ର ଚା’ ପିଇବା ପାଇଁ ଇଲେକ୍ଟ୍ରି ଅଫିସ୍‌ ଛକକୁ ଯାଇଥିଲେ। ରାସ୍ତାରେ ବାଇକ୍‌ ରଖି ଦୋକାନକୁ ପଶିବା ବେଳେ ଜଣେ ଯୁବକ ସେଠାରେ ପହଞ୍ଚି ଏକ ମୁନିଆ ଅସ୍ତ୍ରରେ ତାଙ୍କ ଛାତିକୁ ଆକ୍ରମଣ କରିଥିଲା। ଏହା ପରେ ନରେନ୍ଦ୍ର ଜୀବନ ବଞ୍ଚାଇବାକୁ ପାଖରେ ଥିବା ଏକ ଘରକୁ ଦୌଡ଼ି ଯାଇଥିଲେ ଓ ସେଠାରେ ପଡ଼ିଥିବା ଏକ ଖଟରେ ପଡ଼ି ଯାଇଥିଲେ। ଅନ୍ୟପକ୍ଷରେ ଆକ୍ରମଣକାରୀ ସେଠାରୁ ଫେରାର ହୋଇଯାଇଥିଲା।

ପାଲଲହଡ଼ା ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ନରେନ୍ଦ୍ରଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ପୁଲିସ୍ ଘଟଣାର ତଦନ୍ତ କରୁଛି।

ସୂଚନାଯୋଗ୍ୟ, ନରେନ୍ଦ୍ର ଏକ ନାବାଳିକା ଝିଅକୁ ଅପହରଣ କରିବା ମାମଲାରେ ଜେଲ୍ ଯାଇଥିଲେ।  କିଛି ଦିନ ପୂର୍ବରୁ ସେ ଜାମିନରେ ଆସିଥିଲେ।

By amfnews

Related Post