Sun. Mar 8th, 2026

ବଜାରରେ ପ୍ରବେଶ କଲା ପ୍ରଥମ ଇଥାନଲ୍ ବାଇକ୍

168 Views

ନୂଆଦିଲ୍ଲୀ  : ଭାରତର ଅଗ୍ରଣୀ ଦୁଇ ଚକିଆ ଗାଡି ନିର୍ମାତା ଟିଭିଏସ କମ୍ପାନୀ ଦେଶର ପ୍ରଥମ ଇଥାନଲ ବାଇକ୍ ବଜାରକୁ ଆଣିଛି। ଏହି ବାଇକ୍ ପେଟ୍ରୋଲ୍ ଓ ଡିଜେଲ ପରିବର୍ତ୍ତେ ଇଥାନଲରେ ଚାଲିବ। ଏହା ପେଟ୍ରୋଲ୍ ଓ ଡିଜେଲ୍ ତୁଳନାରେ କମ୍ ପ୍ରଦୂଷଣ କରିବ।
ଆପାଚି ଆରଟିଆର ମଡେଲର ୨୦୦ ସିସିରେ ଏହି ଇଥାନଲ୍ ଚାଳିତ ବାଇକ୍ ବଜାରକୁ ଆସିଛି। ଏଫଆଇ ମଡେଲର ଏହି ଗାଡ଼ିର ଦାମ୍ ୧ ଲକ୍ଷ ୨୦ ହଜାର ଟଙ୍କା ରହିଛି। 
ତେବେ ମୁଖ୍ୟତଃ ଇଥାନଲ୍ ପ୍ରସ୍ତୁତ ହେଉଥିବା ରାଜ୍ୟରେ ଏହି ଗାଡ଼ି ଅଳ୍ପ ପରିମାଣରେ ଉପଲବ୍ଧ ହେବ। ପ୍ରାଥମିକ ଭାବେ ବିଶେଷ କରି ମହାରାଷ୍ଟ୍ର, ଉତ୍ତର ପ୍ରଦେଶ ଏବଂ କର୍ଣ୍ଣାଟକାରେ ଏହି ଗାଡ଼ି ବିକ୍ରି ହେବ।
ସୂଚନାଯୋଗ୍ୟ, ଏବେ କେନ୍ଦ୍ର ସରକାର ସବୁଜ ପରିବେଶକୁ ଅଧିକ ଗୁରୁତ୍ୱ ଦେଉଛନ୍ତି। ଏଥିସହ ବଢ଼ୁଥିବା ପେଟ୍ରୋଲ ଓ ଡିଜେଲ ଦରକୁ ଦେଖି ସରକାର ବ୍ୟାଟେରୀ ଚାଳିତ ଓ ଇଥାନଲ ଚାଳିତ ଗାଡ଼ି ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି। ଏଥିପାଇଁ ନିକଟରେ କେନ୍ଦ୍ର ସରକାର ଆଗତ କରିଥିବା ବଜେଟରେ ମଧ୍ୟ ବ୍ୟାଟେରୀ ଚାଳିତ ଗାଡ଼ି କିଣିଲେ ଋଣରେ ସୁଧ ହାର କମ୍ ପଡ଼ିବ ବୋଲି ଘୋଷଣା କରିଛନ୍ତି। ଏଥିସହ ୨୦୨୫ ସୁଦ୍ଧା ୧୫୦ସିସିରୁ କମ୍ ସିସି ଥିବା ବାଇକକୁ ବ୍ୟାଟେରୀ ଚାଳିତ କରିବାକୁ କେନ୍ଦ୍ର ସରକାର ଜୋର୍ ଦେଇଛନ୍ତି।
ପେଟ୍ରୋଲ୍ ଓ ଡିଜେଲ ଉତ୍ପାଦନ ପାଇଁ ବାହାର ଦେଶର ଅଶୋଧିତ ତେଲ ଉପରେ ଆମକୁ ନିର୍ଭର କରିବାକୁ ପଡୁଛି। ହେଲେ ଇଥାନଲ୍ ଧାନ ନଡ଼ାରୁ ପ୍ରସ୍ତୁତ ହୋଇଥାଏ। ଆମ ଦେଶ ଚାଷ ଉପରେ ନିର୍ଭରଶୀଳ ଥିବାରୁ ନଡାର ଅଭାବ ନାହିଁ। ତେଣୁ ଇଥାନଲର ବ୍ୟବହାର ବଢ଼ିଲେ ଦେଶର ଚାଷୀ ମଧ୍ୟ ବଳକା ନଡ଼ାକୁ ବିକ୍ରି କରି ଭଲ ରୋଜଗାର କରିପାରିବ। ଇଥାନଲ୍‌ର ଲିଟର ପିଛା ଦାମ୍ ପେଟ୍ରୋଲ୍‌ଠାରୁ ପାଖାପାଖି ୧୫ ଟଙ୍କା କମ୍ ରହିବ।

By amfnews

Related Post