Wed. Dec 25th, 2024

ଫୁଲୁଛି ମହାନଦୀ, ବ୍ରାହ୍ମଣୀ: ତଳିଆ ଅଂଚଳରେ ବନ୍ୟା ଜଳ, ରାସ୍ତାରେ ୫ ଫୁଟ ପାଣି

By amfnews Aug 28, 2020 #Featured
152 Views

ଭୁବନେଶ୍ୱର, ଅଗଷ୍ଟ ୨୮ : ହୀରାକୁଦ ଜଳ ଭଣ୍ଡାରରୁ ୨୦ଟି ଗେଟ ଦେଇ ଜଳ ନିଷ୍କାସିତ ହେବା ଏବଂ ମହାନଦୀର ଉପନଦୀ ଗୁଡ଼ିକରେ ବନ୍ୟା ଜଳ ଆସିବା ଫଳରେ ତଳିଆ ଅଂଚଳର ଲୋକଙ୍କୁ ଅସୁବିଧା ହୋଇଛି । ମହାନଦୀ ଫୁଲିଥିବାରୁ ତଳିଆ ଅଂଚଳରେ ବନ୍ୟା ଜଳ ପ୍ରବେଶ କରିଛି । କଟକ ଜିଲ୍ଲା ବାଙ୍କୀ ବ୍ଲକ ଅନ୍ତର୍ଗତ ସିମିଳିପୁର ପଂଚାୟତର ଶୁଖିଆଖଳା ଗାଁକୁ ମହାନଦୀର ବନ୍ୟା ଜଳ ପ୍ରବେଶ କରିଛି । ଏଠାରେ ରାସ୍ତା ଉପରେ ୫ ଫୁଟ ପାଣି ପ୍ରବାହିତ ହୋଇଛି । ଫଳରେ ଏହି ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । 

ମହାନଦୀର ଜଳସ୍ତର ବଢ଼ିଥିବାରୁ ବାଙ୍କୀ ଓ ତିଗିରିଆ ବ୍ଲକରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବାଙ୍କୀର ୪ଟି ଓ ତିଗିରିଆର ଗୋଟିଏ ପଂଚାୟତ ପାଣିଘେରରେ ରହିଛି । ଉତ୍ତରବାଙ୍କୀର ହୁଜୁହୁଜା ପୋଲ ଉପରେ ୬ ଫୁଟର ବନ୍ୟାଜଳ ପ୍ରବାହିତ ହେଉଛି । ସେହିପରି ତିଗିରିଆ ବ୍ଲକର ବଡ଼ବନ୍ଧିଆଣି ରାସ୍ତାରେ ୫ ଫୁଟର ବନ୍ୟାଜଳ ଚାଲିଛି । ଚଷାଅରା ଗାଁ ରାସ୍ତାରେ ୩ ଫୁଟର ପାଣି ପ୍ରବାହିତ ହୋଇଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି ।

ସେହିପରି ବନ୍ୟା ଜଳ ଯୋଗୁଁ ବ୍ରାହ୍ମଣୀ ନଦୀ ଫୁଲୁଛି । ଯାଜପୁର ଜିଲ୍ଲାର ଜେନାପୁରରେ ବିପଦ ସଂକେତର ୪ ଫୁଟ ଉପରେ ପାଣି ପ୍ରବାହିତ ହେଉଛି । ଏଠାରେ ବିପଦ ସଂକେତ ୬୭ ଫୁଟ ଥିବା ବେଳେ ଜଳସ୍ତର ୭୧.୪୦ ଫୁଟ ଦେଇ ପ୍ରବାହିତ ହେଉଛି । ପ୍ରଶାସନ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ୩ଟି ସ୍ଥାନରେ ଘାଇ ସୃଷ୍ଟି ହୋଇଛି । ମାଟିଆଗଡ଼ା, ଅରୁଆଳ ଏବଂ ରୁଦ୍ରପୁରବାସୀ ଆତଙ୍କିତ ହୋଇଉଠିଛନ୍ତି ।

By amfnews

Related Post