Sat. Nov 23rd, 2024
190 Views

ଉପେନ୍ଦ୍ର ମଉସା, ଫୁଜି ଗୁରୁଜୀ ଓ ଧଉଳି ଶାନ୍ତି ସ୍ତୂପ

ଅବଶିଷ୍ଟାଂଶ….

ମଉସା ବସ୍ତୁତଃ ପାଟନାରେ ରହୁଥିବାରୁ ଜମି କ୍ରୟରେ ସେ କୌଣସି ଭୂମିକା ଗ୍ରହଣ କରିବା ସମ୍ଭବ ନଥିଲା । ବୌଦ୍ଧ ଭିକ୍ଷୁ ଶାନ୍ତି ସୁଗେଇ ଜାପାନର ନାଗରିକ ହୋଇଥିବାରୁ ସେ କୌଣସି ପ୍ରତ୍ୟକ୍ଷ ଭୂମିକା ଗ୍ରହଣ କରିବା ଆଇନ ସମ୍ମତ ହେବନାହିଁ ବୋଲି ଧଉଳି ଯୋଜନା ସହ ସଂପୃକ୍ତ ଭୁବନେଶ୍ୱର ତହସିଲଦାର ଶ୍ରୀ ଦୟାନିଧି ପଟ୍ଟନାୟକ ମତବ୍ୟକ୍ତ କରିଥିଲେ । ସେତେବେଳକୁ ଭିକ୍ଷୁ ସୁଗେଇ ବିହାରର ରାଜ୍ୟପାଳ ଶ୍ରୀ ନିତ୍ୟାନନ୍ଦ କାନୁନଗୋଙ୍କ ଅନୁମୋଦନ କ୍ରମେ ନିଜର ଜାପାନି ନାମ ପରିବର୍ତ୍ତନ କରି ଶାନ୍ତି ସୁଗେଇ ନାମରେ ନାମିତ ହେବା ସହ ଭାରତୀୟ ନାଗରିକତା ପାଇଁ ଦରଖାସ୍ତ କରିସାରିଥିଲେ । ଏ ଦିଗରେ ଶ୍ରୀ କାନୁନଗୋ ଆବଶ୍ୟକୀୟ ପଦକ୍ଷେପ ନେବାପାଇଁ ସେ ଶ୍ରୀ କାନୁନଗୋଙ୍କୁ ବାରମ୍ବାର ପ୍ରବର୍ତ୍ତାଉଥିଲେ । ସୁଗେଇଙ୍କ ଅତୀତ ଓ ବର୍ତ୍ତମାନର କାର୍ଯ୍ୟକଳାପ ତଥା ତାଙ୍କ ଉଦ୍ଧେଶ୍ୟ ସଂପର୍କରେ କେନ୍ଦ୍ର ଗୁଇନ୍ଦା ବିଭାଗର ଇନ୍ସପେକ୍ଟର ଥିବା ଶ୍ରୀ ବଶିଂଧର ଦାସ ତଦନ୍ତ କରି ନିର୍ଦ୍ଧିଷ୍ଟ ମତାମତ ଦେବାରେ ବିଳମ୍ବ ହେଉଥିବାରୁ ସୁଗେଇଙ୍କୁ ଭାରତୀୟ ନାଗରିକତ୍ୱ ମିଳିବାରେ ବିଳମ୍ବ ହେଉଥିଲା । ଏହିଭଳି ପରିସ୍ଥିତିରେ ଫୁଜୀ ପୁସ୍କରିଣୀ ନିମନ୍ତେ ଆବଶ୍ୟକିୟ ୧୮ ଏକର ଜମି କ୍ରୟ ଓ ରେଜିଷ୍ଟ୍ରେସନ ନିମନ୍ତେ ପଦକ୍ଷେପ ନେବା ଲାଗି ମୋ ଉପରେ ଦାୟୀତ୍ୱ ଦିଆଯାଇଥିଲା ଏବଂ ମୁଁ ତାହା ସୁଚାରୁ ରୂପେ ତୁଲାଇ ପାରିଥିଲି ।

ସେତେବେଳକୁ ଗୁରୁଜୀଙ୍କ ନେତୃତ୍ୱରେ ଜାପାନରୁ ଆସିଥିବା ବୌଦ୍ଧ ଭିକ୍ଷୁମାନେ ଧଉଳି ପାହାଡ଼ର ପାଦଦେଶରେ ସଧର୍ମ ବିହାର ନିର୍ମାଣ କାର୍ଯ୍ୟରେ ବ୍ୟସ୍ଥ ରହିଥାନ୍ତି ସରକାରଙ୍କ ପ୍ରତିଶ୍ରୁତି ଅନୁଯାୟୀ ପୁର୍ତ୍ତ ବିଭାଗ ବିଦ୍ୟୁତ ବିଭାଗ ଓ ଜନଶାସ୍ତ୍ର ବିଭାଗ ତରଫରୁ ପାହାଡ଼ର ପାଦ ଦେଶରୁ ସ୍ତୂପ ନିର୍ମାଣ ପାଇଁ ଚିହ୍ନିତ ସ୍ଥାନ ପର୍ଯ୍ୟନ୍ତ ପକ୍କା ରାସ୍ତା ନିର୍ମାଣ ନିମନ୍ତେ ମୁଖ୍ୟଯନ୍ତ୍ରୀ ଶେଖ୍ ମମତାଜ ଅଲ୍ଲିଙ୍କ ନିର୍ଦ୍ଧେଶ କ୍ରମେ ସବଡ଼ିଭିଜନାଲ ଇଞ୍ଜିନିୟର ଶ୍ରୀ ଖିତିଶ ଚନ୍ଦ୍ର ପଟ୍ଟନାୟକ ମନପ୍ରାଣ ଲଗାଇ କାର୍ଯ୍ୟ କରାଉଥାନ୍ତି । ଶ୍ରୀ ପଟ୍ଟନାୟକ ଥିଲେ ପୁରୀର ଜନପ୍ରୀୟ ଡ଼ାକ୍ତର ବାଳକୃଷ୍ଣ ମହାନ୍ତିଙ୍କ ଜାମାତା ତଥା ଚନ୍ଦ୍ରପ୍ରଭାଙ୍କ ଘନିଷ୍ଟ ବନ୍ଧୁ ନୃତ୍ୟପଟ୍ଟୟୀଷି ଅନୁରାଧାଙ୍କ ସ୍ୱାମୀ । ତାଙ୍କର ଶାଳକ ଯୁଗଳ କିଶୋର ମହାନ୍ତି ଥିଲେ ପୁରୀ ସାମନ୍ତ ଶେଖର କଲେଜରେ ମୋର ସହଧ୍ୟାୟୀ । ଏହିଭଳି ଘନିଷ୍ଟ ସଂପର୍କର ସୁଯୋଗ ନେଇ ମୁଁ ଇଞ୍ଜିନିୟର ଶ୍ରୀ ମହାନ୍ତିଙ୍କ ଉପରେ ଚାପ ପକାଇବା ଲାଗି କୁଣ୍ଠିତ ହେଉନଥିଲେ ମଧ୍ୟ ଶ୍ରୀ ମହାନ୍ତି କେବେ ହେଲେ ତାଙ୍କ କର୍ତ୍ତବ୍ୟରେ ସାମାନ୍ୟତମ ଅବହେଳା କରୁନଥିଲେ । ମାତ୍ର ଦୁଇ ବର୍ଷ ସମୟ ମଧ୍ୟରେ ଶାନ୍ତି ସ୍ତୂପ ନିର୍ମାଣ କାର୍ଯ୍ୟ ସମାପ୍ତ କରିବା ଲାଗି ଗୁରୁଜୀ ସମୟ ନିର୍ଦ୍ଧାରଣ କରିଥିବାରୁ ସବୁକାମ ଯୁଦ୍ଧ ଭିର୍ତ୍ତିରେ କାର୍ଯ୍ୟକାରୀ କରାଇବା ଲାଗି ଉଦ୍ୟମ ହେଉଥିଲା ।

ସେତେବେଳେ ଜନଶାସ୍ତ୍ର ବିଭାଗରେ ସୁପରିଟେଣ୍ଡିଙ୍ଗ ଇଞ୍ଜିନିୟର ଦାଇତ୍ୱରେ ଥିବା ଶ୍ରୀକାନ୍ତ ନାରାୟଣ ଜୋଷିଙ୍କ ସହ ମୋର ବ୍ୟକ୍ତିଗତ ଘନିଷ୍ଠତା ଥିବା ଯୋଗୁଁ ସେ ମଧ୍ୟ ଅତ୍ୟନ୍ତ ଆନ୍ତରିକତା ସହ ଜଳଯୋଗାଣ କାର୍ଯ୍ୟକ୍ରମକୁ ତ୍ୱରାନିତ କରିବା ପାଇଁ ଚେଷ୍ଟିତ ଥିଲେ । ଶ୍ରୀ ଜୋଷିଙ୍କ ନିଜ ଜନ୍ମ ସ୍ଥାନ ମହାରାଷ୍ଟ୍ର ଏବଂ ସେ ଜଣେ ଗଭୀର ସଂସ୍କୃତି ପ୍ରେମୀ ବ୍ୟକ୍ତି ଥିଲେ । ଧଉଳି ଯୋଜନାକୁ ନିଦ୍ଧିଷ୍ଟ ସମୟ ମଧ୍ୟରେ ରୂପରେଖ ଦେବାଲାଗି ସେ ଅତ୍ୟନ୍ତ ତପ୍ତରତର ପ୍ରକାଶ କରୁଥିଲେ । ଯେତେବେଳେ କୌଣସି ବାଧା ବିଘ୍ନର ସମ୍ମୁଖିନ ହେଉଥିଲେ ସର୍ବଦା ସେଥିପ୍ରତି ମୋ ଦୃଷ୍ଟି ଆକର୍ଷଣ କରୁଥିବାରୁ ତାହାର ସମାଧାନ ନିମନ୍ତେ ମୁଁ ମୋ ଶକ୍ତିମତେ ଏବଂ ଆବଶ୍ୟକସ୍ଥଳେ ଶ୍ରୀ କାନୁନଗୋଙ୍କ ହସ୍ତକ୍ଷେପ ଫଳରେ ତାହାର ସମାଧାନ କରାଇବା ସମ୍ଭବ ହେଉଥିଲା ।

ସଧର୍ମ ବିହାରଟି ବୌଦ୍ଧିୟ ନିର୍ମାଣ ଶୈଳିରେ ନିର୍ମାଣ କରିବା ଦିଗରେ ଚେଷ୍ଟା କରାଯାଉଥିଲା । ଏହାର ଉପର ମହଲାରେ ଥିଲା ଗୋଟିଏ ସୁଦୀର୍ଘ ପ୍ରାର୍ଥନା ଗୃହ ଯେଉଁଠାରେ କି ମଉସାଙ୍କ ଦ୍ୱାରା ନିର୍ମିତ ଏକ ବିଶାଳକାୟ ବୁଦ୍ଧମୁର୍ତ୍ତି ସହ ଗୁରୁଜୀ ଏବଂ ନିଚିରାନ ସଂପ୍ରଦାୟର ଭିକ୍ଷୁମାନଙ୍କର ଫଟୋଚିତ୍ର ସହ ମୁର୍ତ୍ତିମାନ ସ୍ଥାପିତ ହୋଇଥିଲା । ସେଠାରେ ଏକ ବିରାଟକାୟ କାଠ ଓ ଚମଡ଼ା ନିର୍ମିତ ବାଦ୍ୟଯନ୍ତ୍ର ସହ ବୌଦ୍ଧ ଭିକ୍ଷୁମାନେ ବଜାଇବା ଲାଗି ଚମଡ଼ା ନିର୍ମିତ ବାଜା ରଖାଯାଇଥିଲା । ଗୁରୁଜୀ ଓ ଶିଷ୍ୟମାନେ ପ୍ରତ୍ୟହ ପ୍ରାର୍ଥନା ସମୟରେ ଏହି ବାଦ୍ୟଯନ୍ତ୍ର ବ୍ୟବହାର କରୁଥିବାରୁ ଏହାର ଧ୍ୱନି ଏବଂ ‘ନ ମୁ ମୋ ହୋ ରେ ଙ୍ଗେ କ୍ୱ’ ଶବ୍ଦରେ ସମଗ୍ର ଅଞ୍ଚଳଟି ମୁଖରିତ ହୋଇଉଠୁଥିଲା ।

ସଧର୍ମ ବିହାରର ତଳ ମହଲାଟିରେ ଗୁରୁଜୀଙ୍କ ବସବାସ ପାଇଁ ଏକ ସୁସଜ୍ଜିତ କକ୍ଷ ବ୍ୟତୀତ ସନ୍ୟାସୀମାନେ ବସବାସ କରିବା ଲାଗି କେତେଗୋଟି କ୍ଷୁଦ୍ର କକ୍ଷ ରହିଥିଲା । ଏହି ତଳମହଲାରେ ଥିବା ଛୋଟ ଭଣ୍ଡାର ଘରଟିରେ ସନ୍ୟାସିମାନଙ୍କ ବ୍ୟବହାର ପାଇଁ ଆବଶ୍ୟକୀୟ ଉପକରଣମାନ ରଖାଯାଇଥିଲା । ସେହି ନିକଟରେ ରନ୍ଧନଶାଳା ଏବଂ ଖାଇବା ସମୟରେ ବସିବା ଲାଗି କାଠ ଓ ବାଉଂସ ନିର୍ମିତ ଟେବୁଲ ଚୌକି ରହିଥିଲା ।
ଜାପାନି ବୌଦ୍ଧ ଭିକ୍ଷୁମାନେ ସବୁ ସମୟରେ ଶାରିରୀକ ପରିଶ୍ରମକୁ ଅଗ୍ରାଧିକାର ଦେଉଥିଲେ । ଏପରିକି ସେମାନେ ଧଉଳିର ଅସ୍ଥାୟୀ ଝାଟିମାଟି ଘରକୁ ଯିବା ପୂର୍ବରୁ ଯେତେବେଳେ ରାଜଧାନୀର ଅଶୋକ ନଗର ସ୍ଥିତ ମୋର ୧୭/୨ଟାଇପ୍ ୫ଏ ସରକାରୀ ବାସଭବନର ହତା ଭିତରେ ଆଶ୍ରୟ ନେଇଥିଲେ ସେତେବେଳେ ସେମାନେ ପ୍ରତ୍ୟହ ସକାଳୁ ଉଠି ରାଜଗିରିରୁ ଆଣିଥିବା ଛୋଟ ନିସାନ ପିକ୍ ଅପ ଟ୍ରକରେ ଧଉଳିକୁ ଯାଇ ସଧର୍ମ ବିହାର ନିମନ୍ତେ ନିର୍ଧାରିତ ସ୍ଥାନକୁ ପରିସ୍କାର କରିବାରେ ବ୍ୟସ୍ଥ ରହୁଥିଲେ । ଆମ୍ଭମାନଙ୍କ ଭଳି ସେମାନଙ୍କର ନିତ୍ୟକ୍ରମ ସାରିବାରେ ବିଶେଷ ଆବଶ୍ୟକତା ନଥିଲା । ଦିନ ସାରା ଅକ୍ଲାନ୍ତ ପରିଶ୍ରମ କରି ସନ୍ଧ୍ୟାରେ ଫେରିବା ପରେ ସେମାନେ ମୋ କ୍ୱାଟର ପରିସରରେ ଥିବା ଟ୍ୟାପରୁ ପାଣିନେଇ ଦାନ୍ତ ଘସୁଥିଲେ ଏବଂ ଗାଧୁଆ ପାଧୁଆ ସାରି ରାତ୍ରୀ ଭୋଜନ ପରେ ବିଶ୍ରାମ ନେଉଥିଲେ । ସେମାନଙ୍କର ଖାଇବା ପିଇବାରେ କୌଣସି ବାରଣ ନଥିଲା ଭାତ ଓ ମାଛ ପ୍ରାୟତଃ ଥିଲା ସେମାନଙ୍କର ପ୍ରିୟ ଖାଦ୍ୟ ।

ଫୁଜୀ ଗୁରୁଜୀଙ୍କ ନିଷ୍ପତି କ୍ରମେ ଏବଂ ମଉସାଙ୍କ ନିର୍ଦ୍ଧେଶ ଅନୁଯାୟୀ ଧଉଳି ଠାରେ କିଣା ଯାଇଥିବା ୧୮ ଏକର ପରିମିତ ଜମିରେ ପ୍ରଥମେ ଫୁଜୀ ସରୋବର ଖନନ କାମକୁ ଅଗ୍ରାଧିକାର ଦେବା ଲାଗି ଖନନ କାର୍ଯ୍ୟ ଆରମ୍ଭ କରିବାର ବ୍ୟବସ୍ଥା କରାଯାଇଥିଲା । ଇତି ମଧ୍ୟରେ ମଉସା ଶ୍ରୀ କାନୁନ ଗୋ ଏବଂ ଟୋକିଓ ବିଶ୍ୱବିଦ୍ୟାଳୟର ସ୍ଥପତି ବିଭାଗର ମୁଖ୍ୟ ମିନରୁଓକା ଧଉଳି ପରିଦର୍ଶନ କରି ସମସ୍ଥ ଯୋଜନା ଚୁଡ଼ାନ୍ତ କରିଥିବାରୁ ପ୍ରସ୍ଥାବିତ ଫୁଜୀ ସରୋବର ଖନନ କାର୍ଯ୍ୟ ଆରମ୍ଭ କରାଯାଇଥିଲା । ଏହି ସମୟରେ ମାଟିତଳୁ କେତେକ ପୁରାତନ ଅସ୍ତ୍ର ଶସ୍ତ୍ରର ଭଗ୍ନାବଶେଷ ଖାଦ୍ୟ ଓ ପାନୀୟ ପରିବେଷଣର ପାତ୍ର ସବୁର ଭଗ୍ନାବଶେଷ ଉଧାର କରାଯାଇଥିଲା । ଏ ସମସ୍ତ ସାମଗ୍ରୀ ସଂପର୍କରେ ବିସ୍ତୃତ ଗବେଷଣା କଲେ ସମ୍ରାଟ ଅଶୋକଙ୍କ କଳିଙ୍ଗ ଯୁଦ୍ଧ ସଂପର୍କରେ ବହୁ ତଥ୍ୟ ଓ ପ୍ରମାଣ ମିଳିପାରିବ ବୋଲି ମନେକରି ମୁଁ ଅତି ଆନନ୍ଦ ଓ ଆଗ୍ରହରେ ରେଭରେଣ୍ଟ ସୁଗେଇ, ଶ୍ରୀ କାନୁନ ଗୋ, ଡ଼. ରାଧାନାଥ ରଥ ଓ ମଉସାଙ୍କୁ ଜଣାଇଥିଲି । ମୋ ଠାରୁ ଖବର ପାଇ ସମସ୍ତେ ଆନନ୍ଦିତ ହୋଇଥିଲେ । ମାତ୍ର ସମାଜ ସମ୍ପାଦକ ଡ଼. ରାଧାନାଥ ରଥ ମୋ ଉପରେ ଉତଖିପ୍ତ ହୋଇ ଧଉଳିରୁ ମିଳିଥିବା ପ୍ରତ୍ନତାତ୍ୱିକ ଅମୁଲ୍ୟ ପଦାର୍ଥ ବିଷୟରେ ସାଧାରଣରେ ପ୍ରକାଶ ନକରିବା ପାଇଁ ସାବଧାନ କରାଇ ଦେଇଥିଲେ । ତାଙ୍କ ଯୁକ୍ତି ଥିଲା ଏହି ସମ୍ବାଦ ପ୍ରକାଶିତ ଓ ପ୍ରଚାରିତ ହେଲେ କେନ୍ଦ୍ରର ପ୍ରତ୍ନତ୍ୱତ ବିଭାଗ ଓ ରାଜ୍ୟର ପ୍ରତ୍ନତତ୍ୱ ବିଭାଗ ଏ ସଂପ୍ରକରେ ଅଧିକ ତଥ୍ୟ ସଂଗ୍ରହ ପାଇଁ ହୁଏତ ସମଗ୍ର ଅଞ୍ଚଳଟିକୁ ନିଜ ଅକ୍ତିଆରକୁ ନେଇଯାଇପାରନ୍ତି । ମୁଁ ତାଙ୍କ କଥାରେ ସହମତ ନହେବାରୁ ସେ ଅତିମାତ୍ରାରେ କ୍ଷୁବ୍ଧ ହୋଇଯାଇଥିଲେ ଏବଂ ଧଉଳି ସଂକ୍ରାନ୍ତିୟ କୌଣସି କାର୍ଯ୍ୟ ବା ନିଷ୍ପତିରେ ମୁଣ୍ଡ ଖେଳାଇବା ଉଚିତ ନୁହେଁ ବୋଲି ରୋକଠୋକ କହିଦେଇଥିଲେ ।

ଇତି ମଧ୍ୟରେ ଧଉଳି ଯୋଜନାରୁ ମଉସାଙ୍କୁ ବାଦ ଦେବା ଲାଗି ଷଡ଼ଯନ୍ତ୍ର ଆରମ୍ଭ ହୋଇଯାଇଥିଲା । ମଉସା ପାଟନା ଠାରେ ରହୁଥିବାରୁ ଏହି ଯୋଜନା ସଂପର୍କରେ କୌଣସି କାର୍ଯ୍ୟ ତଦାରଖ କରିବା ସମ୍ଭବ ହେଉନଥିବାରୁ ତାଙ୍କ ସ୍ଥାନରେ ରେଭରେଣ୍ଟ ସୁଗେଇଙ୍କୁ ଦାଇତ୍ୱ ଦେବାଲାଗି ସେ ଶ୍ରୀ କାନୁନ ଗୋଙ୍କୁ ପ୍ରସ୍ଥାବ ଦେଇଥିଲେ । ମଉସା ଏବିଷୟ ଜାଣିବା ପରେ ସ୍ୱତଃପ୍ରବୃତ ନିଜ ପଦବିରୁ ଇସ୍ତଫା ଦେଇ ଶ୍ରୀ କାନୁନ ଗୋଙ୍କୁ ଜଣାଇ ଦେଇଥିଲେ । ସେ ଏହି ନିଷ୍ପତିରେ ବ୍ୟଥିତ ହୋଇଥିଲେ ମଧ୍ୟ ଡ଼.ରଥଙ୍କ ଭଳି ଜଣେ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ କ୍ଷୁବ୍ଧ କରିବା ପାଇଁ ଚାହୁଁନଥିବାରୁ ବାଧ୍ୟ ହୋଇ ନିରବ ରହିଥିଲେ ।
୧୯୭୨ମସିହା ଧଉଳି ଶାନ୍ତି ସ୍ତୂପର ନିର୍ମାଣ କାର୍ଯ୍ୟ ସମାପ୍ତ ନିମନ୍ତେ ଗୁରୁଜୀ ସ୍ଥିର କରିଥିବାରୁ ଧଉଳି ଠାରେ ଏହି କାର୍ଯ୍ୟ ଜୋର ସୋରରେ ଚାଲିଥିଲା । ଇତି ମଧ୍ୟରେ ୩ ଡ଼ିସେମ୍ବର ୧୯୭୧ମସିହାରେ ଭାରତ ପାକିସ୍ଥାନ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯାଇଥିବାରୁ ଦେଶରେ ସିମେଣ୍ଟ ଓ ଲୁହାରଡ଼ ମିଳିବାରେ କଟକଣା ଲାଗୁ ହୋଇଯାଇଥିଲା । ପୂର୍ବରୁ ଖୋଲା ବଜାରରୁ ଧଉଳି ଯୋଜନା ପାଇଁ ସିମେଣ୍ଟ ଏବଂ ହିନ୍ଦୁସ୍ଥାନ ଷ୍ଟିଲ ଭୁବନେଶ୍ୱର ଶାଖାରୁ ଆବଶ୍ୟକିୟ ଲୁହା ରଡ଼ ପ୍ରଭୃତି ନିୟନ୍ତ୍ରୀତ ଦରରେ ପାଇବାର ବ୍ୟବସ୍ଥା କରାଯାଇଥିଲା । ଶ୍ରୀ ଭି.ଥୋମାସ ଥିଲେ ହିନ୍ଦୁସ୍ଥାନ ଷ୍ଟିଲ ଓଡ଼ିଶା ଶାଖାର ମୁଖ୍ୟ ଏବଂ ତାଙ୍କ ସହ ମୋର ବ୍ୟକ୍ତିଗତ ସଂପର୍କ ହେତୁ ସେ ଧଉଳି ଯୋଜନା ପାଇଁ ସବୁ ପ୍ରକାର ସହଯୋଗ କରିବା ଲାଗି ଆଗେଇ ଆସୁଥିଲେ । ମାତ୍ର ଯୁଦ୍ଧ ଜନିତ ପରିସ୍ଥିତି ଫଳରେ ତାଙ୍କର କ୍ଷମତା ସଂକୁଚିତ ହୋଇଯିବାରୁ ସେ ସାହାଯ୍ୟ ଓ ସହଯୋଗ କରିବା ଲାଗି ଅକ୍ଷମତା ପ୍ରକାଶ କରିଥିଲେ ।

କିଭଳି ଭାବରେ ଶାନ୍ତି ସ୍ତୂପ ନିର୍ମାଣ କାର୍ଯ୍ୟ ଅବ୍ୟାହତ ରଖାଯିବ ସେ ସଂପର୍କରେ ପୁର୍ତ ବିଭାଗର ମୁଖ୍ୟ ଯନ୍ତ୍ରୀ ସୟାଦ ମମତାଜ ଅଲ୍ଲୀ ପରାମର୍ଶ ଦେଇଥିଲେ ଯେ, ତାଙ୍କ ବିଭାଗର ନିର୍ମାଣ ପାଇଁ ସେ ଜଏଣ୍ଟ ପ୍ଲାଣ୍ଟ କମିଟି ତରଫରୁ ନିୟନ୍ତ୍ରିତ ମୁଲ୍ୟରେ ଆଣୁଥିବା ଲୁହା ଧଉଳି ଭଳି ଏକ ଯୋଜନା ପାଇଁ ଦେବାଲାଗି ବିଶେଷ କିଛି ସମସ୍ୟା ସୃଷ୍ଟି ହୋଇନପାରେ । ମାତ୍ର ଏଥିପାଇଁ ସରକାରଙ୍କ ଅନୁମୋଦନ ଓ ଅନୁମତିର ଆବଶ୍ୟକତା ରହିଛି । ତାଙ୍କ ପରାମର୍ଶ ଅନୁଯାୟୀ ଆବଶ୍ୟକିୟ ଲୁହା ଓ ସିମେଣ୍ଟ ପୁର୍ତ ବିଭାଗରୁ କ୍ରୟ କରିବା ଲାଗି ମୁଁ ଲିଖିତ ପ୍ରସ୍ଥାବ ଦେଇଥିଲି ଏବଂ ଏ ବିଷୟରେ ଶ୍ରୀ କାନୁନ ଗୋ, ମଉସା ଓ ଡ଼.ରଥଙ୍କୁ ମଧ୍ୟ ଜଣାଇ ଦେଇଥିଲି ।

ମଉସାଙ୍କୁ ସବୁ ବିଷୟରେ ଗୁରୁଜୀ ଓ ଶ୍ରୀ କାନୁନ ଗୋ ସମର୍ଥନ କରୁଥିବାରୁ ଧଉଳି ଯୋଜନା କାର୍ଯ୍ୟକାରୀ ହେବାରେ କୌଣସି ପ୍ରତିବନ୍ଧକ ସୃଷ୍ଟି ହେଉନଥିଲା । ମାତ୍ର ଫୁଜୀ ସରୋବର ଖନନ ନିମନ୍ତେ କାର୍ଯ୍ୟ ଆରମ୍ଭ ହେବା ସମୟରେ ସେଠାରେ ମିଳିଥିବା ଦୁର୍ମୁଲ୍ୟ ପ୍ରତ୍ନତାତ୍ୱକ ସାମଗ୍ରୀ ଦେଖି ଅଧିକ ଖନନ କାର୍ଯ୍ୟ ନକରିବା ଲାଗି ଡ଼. ରଥ ପରାମର୍ଶ ଦେବା ପେର ଖନନ କାର୍ଯ୍ୟକୁ ଆଉ ଆଗକୁ ବଢ଼ିବା ପାଇଁ ଦିଆଯାଇନଥିଲା । ଏଥିରେ ମୁଁ ଅସନ୍ତୋଷ ପ୍ରକାଶ କରିବାରୁ ଡ଼.ରଥ ମୋ ଉପରେ କ୍ଷୁବ୍ଧ ହୋଇଥିଲେ ଓ ଧଉଳି ଯୋଜନା ସହ ମୁଁ କିଭଳି ସଂପୃକ୍ତ ନହୁଏ ସେଥିପାଇଁ ଉଦ୍ୟମ ଆରମ୍ଭ କରିଥିଲେ ।

ପୁର୍ତ ବିଭାଗରୁ ଲୁହା ରଡ଼ ଓ ସିମେଣ୍ଟ ପ୍ରଭୃତି ତତ୍କାଳିକ ମୂଲ୍ୟରେ ନକିଣି ସେସବୁ ଧାର ସୁତ୍ରରେ ଆଣିବା ସହ ଯୁଦ୍ଧ ପରେ ଲୁହା ଓ ସିମେଣ୍ଟ ଉପରୁ କଟକଣା ଉଠିଯିବା ପରେ ଧାର ସୁତ୍ରରେ ଅଣାଯାଇଥିବା ଲୁହା ଓ ସିମେଣ୍‌ଟ ସରକାରଙ୍କୁ ଫେରାଇ ଦେବା ପାଇଁ ଲିଖିତ ପ୍ରସ୍ଥାବ ଦେବାକୁ ଡ଼. ରଣା ପରାମର୍ଶ ଦେଇଥିଲେ । ମାତ୍ର ଏଭଳି ପ୍ରସ୍ଥାବ କୌଣସି ମତେ ଧଉଳି ଯୋଜନା ପାଇଁ ଲାଭ ଦାୟକ ହେବ ନାହିଁ ବୋଲି ଶ୍ରୀ ଅଲ୍ଲୀ ମତବ୍ୟକ୍ତ କରିଥିଲେ । କାରଣ ଯୁଦ୍ଧ ପରେ ସେସବୁ ଜିନିଷର ମୂଲ୍ୟରେ ନିଶ୍ଚିତ ଭାବରେ ବୃଦ୍ଧି ପାଇବ ଏସଂପର୍କରେ ସେ ନିଃସନ୍ଦେହ ଥିଲେ ।
ତୁରନ୍ତ  ସିମେଣ୍ଟ  ଓ ଲୁହା ଦେବାଲାଗି ଡ଼.ରଥଙ୍କ ଉଦ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ଚାପ ପଡ଼ିବାରୁ ଅନ୍ୟ ଉପାୟ ନଦେଖି ଆବଶ୍ୟକିୟ ଲୁହା ଓ ସିମେଣ୍ଟ ଦେବା ଲାଗି ଶ୍ରୀ ଅଲ୍ଲୀ ବିଭାଗୀୟ ସ୍କୋର ଦାଇତ୍ୱରେ ଥିବା ଇଞ୍ଜିନିୟର ଶ୍ରୀ ଚର୍ତୁଭୁଜ ମିଶ୍ରଙ୍କୁ ନର୍ଦ୍ଧେଶ ଦେଇଥିଲେ । ଶ୍ରୀ ମିଶ୍ର ମୋ ସରକାରୀ ବାସଭବନ ନିକଟରେ ଏକ ସରକାରୀ ଘରେ ବସବାସ କରୁଥିଲେ ଏବଂ ମୋ ସହ ତାଙ୍କର ଯଥେଷ୍ଟ ଘନିଷ୍ଟତା ଥିଲା । ତାଙ୍କ ସାନ ପୁଅ ତରୁଣକାନ୍ତି ବିଜେବି କଲେଜରେ ଛାତ୍ର ଥିବା ସମୟରୁ ଭଲ ଗପ ଲେଖୁଥିଲେ ଏବଂ ପରେ ସେ ଆଇ.ଏ.ଏସ୍ ପଦବିରେ ନିଯୁକ୍ତି ପାଇଥିଲେ । ଶ୍ରୀ ମିଶ୍ରଙ୍କ ବଡ଼ପୁଅ ଅରୁଣକାନ୍ତି ବୈଷୟୀକ ଶିକ୍ଷା ସମାପ୍ତି ପରେ ଆମେରିକାରେ ଏକ ସମ୍ମାନ ଜନକ ପଦବିରେ ଅଧିଷ୍ଟିତ ହୋଇଥିଲେ । ଅରୁଣକାନ୍ତି ରାଜ୍ୟ କୃଷି ବିଭାଗର ଉଚ୍ଚପଦସ୍ତ ଅଫିସର ତଥା ମୁଖ୍ୟମନ୍ତ୍ରୀ ଶ୍ରୀମତି ନନ୍ଦିନୀ ଶତପଥିଙ୍କର ଦାଦାପୁଅ ଭାଇ ଡ଼. ନିହାର ରଞ୍ଜନ ପାଣିଗ୍ରାହିଙ୍କର କନ୍ୟା ପ୍ରଜ୍ଞାଙ୍କ ସହ ବିବାହ ହୋଇଥିଲା ।

ଶ୍ରୀ ମିଶ୍ରଙ୍କ ଠାରୁ ଧଉଳି ଯୋଜନା ପାଇଁ ଆବଶ୍ୟକୀୟ ଲୁହା ଓ ସିମେଣ୍ଟ ଧାର ସୁତ୍ରରେ ନେବା ଲାଗି ମୁଁ କୁଣ୍ଠିତ ହେବାରୁ ଧଉଳି ଠାରେ କାର୍ଯ୍ୟରତ ବରିଷ୍ଠ ଭିକ୍ଷୁ ରେଭରେଣ୍ଟ ଶାନ୍ତି ସୁଗେଇଙ୍କୁ ସମସ୍ତ ସାମଗ୍ରି ଦେବା ଲାଗି ଡ଼. ରଥ ପ୍ରସ୍ତାବ ଦେଇଥିଲେ ଏବଂ ତଦନୁଯାୟୀ ଆବଶ୍ୟକୀୟ କାଗଜପତ୍ରରେ ଦସ୍ତଖତ କରି ରେଭରେଣ୍ଟ ସୁଗେଇ ଲୁହା ଓ ସିମେଣ୍ଟ ଆଣଇପାରିଥିଲେ ।

ଭାରତ ପାକିସ୍ତାନ ଯୁଦ୍ଧ ସମାପ୍ତି ପରେ ମଧ୍ୟ ପୁର୍ତ ବିଭାଗରୁ ଧାର ସୁତ୍ରରେ ଅଣାଯାଇଥିବା ଲୁହା ଓ ସିମଣ୍ଟେ ଫେରାଇ ଦେବା ଦିଗରେ କୌଣସି ପଦକ୍ଷେପ ନନେଇ ସେସବୁକୁ ଓଡ଼ିଶା ସରକାରଙ୍କ ଦାନ ଭାବରେ ଦର୍ଶାଇବା ଲାଗି ଡ଼. ରଥ ନିର୍ଦ୍ଧେଶ ଦେଇଥିଲେ । ମାତ୍ର ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ଲିଖିତ ନିର୍ଦ୍ଧେଶର ଆମଶ୍ୟକତା ରହିଛି ବୋଲି ମୁଁ ବାରମ୍ବାର କହିବା ସତ୍ୱେ ଡ଼. ରଥ ସେଥିପ୍ରତି ସାମାନ୍ୟତମ ଧ୍ୟାନ ଦେଇନଥିଲେ । ପରବର୍ତ୍ତି ସମୟରେ ଇଞ୍ଜିନିୟର ଶ୍ରୀ ମିଶ୍ର ଚାକିରିରୁ ଅବସର ଗ୍ରହଣ କରିବା ପରେ ଧଉଳି ଯୋଜନା ପାଇଁ ଷ୍ଟୋରରୁ ସେ ଦେଇଥିବା ଜିନିଷ ପତ୍ରର ବୈଧତା ସଂପର୍କରେ ବିଭାଗ ତରଫରୁ ପ୍ରଶ୍ନ ଉଠାଯାଇ ତାଙ୍କ ପେନସନ ବନ୍ଦ କରାଯାଇଥିଲା । ଶ୍ରୀ ସୁଗେଇ ଜଣେ ବିଦେଶି ନାଗରିକ ହୋଇଥିବାରୁ ତାଙ୍କୁ ଏତେ ପରିମାଣର ନିର୍ମାଣ ସାମଗ୍ରୀ ଦିଆଯିବାର ବୈଦ୍ଧତା ସଂପର୍କରେ ମଧ୍ୟ ପ୍ରଶ୍ନ ଉଠିଥିଲା । ଏହି ସମସ୍ୟାର ସମାଧାନ ଲାଗି ରାଜ୍ୟର ସବୁଠାରୁ ଅଧିକ ପ୍ରଭାବଶାଳୀ ସାମ୍ବାଦିକ ଡ଼. ରଥ ଏ ସଂପର୍କରେ ପୁର୍ଣ୍ଣଛେଦ ପକାଇବା ଲାଗି ପଦକ୍ଷେପ ନେଇନଥିଲେ ।

ସ୍ତୂପ ନିର୍ମାଣ ଲାଗି ନିର୍ଦ୍ଧାରିତ ସ୍ଥାନର କିଛି ଦୂରରେ ରହିଥିବା ଏକ ଶିବ ମନ୍ଦିରର ଭଗ୍ନାବଶେଷ ଦୀର୍ଘଦିନ ଧରି ଅବହେଳିତ ଅବସ୍ଥାରେ ପଡ଼ିରହିଥିଲା ପ୍ରସ୍ତାବିତ ଶାନ୍ତି ସ୍ତୂପକୁ ରାସ୍ତା ନିର୍ମାଣ ପାଇଁ ପଦକ୍ଷେପ ନିଆଯିବା ସମୟରେ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ଅସନ୍ତୋଷ ବ୍ୟକ୍ତ କରିବାରୁ ସେହି ଭଗ୍ନାବଶେଷ ଥିବା ଅଷ୍ଟମରୁ ଦଶମ ଶତାବ୍ଦି ମଧ୍ୟରେ ନିର୍ମିତ ଧବଳେଶ୍ୱର ଶିବ ମନ୍ଦିରର ପୁର୍ନଉଦ୍ଧାର ପାଇଁ ତତ୍କାଳିନ ନଗର ଉନ୍ନୟନ ବିଭାଗର ସାଶନ ସଚ୍ଚିବ ଶ୍ରୀ ଦୁର୍ଗା ପ୍ରଶାଦ ତ୍ରିପାଠି ପଦକ୍ଷେପ ନେଇଥିଲେ । ପ୍ରଥମେ ପାହାଡ଼ର ପାଦଦେଶରୁ ଧବଳେଶ୍ୱର ମନ୍ଦିର ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରି ଏହି ଶୈବପିଠକୁ ଆକର୍ଷଣୀୟ କରିବା ସହ ସେଠାରେ ପହଞ୍ଚିବା ଲାଗି ଶ୍ରୀ ତ୍ରିପାଠି ତୁରନ୍ତ ପଦକ୍ଷେପ ନେଇଥିଲେ ।

ସ୍ତୂପ ନିମନ୍ତେ ସ୍ଥାନ ନିରୁପିତ ହୋଇଥିବାରୁ ସେହିଠାରେ ଭୂମିପୁଜା କରିବା ଲାଗି ଗୁରୁଜୀ ନିଷ୍ପତି ନେଇଥିଲେ ଏବଂ ତଦନୁଯାୟୀ ୧୯୭୧ ମସିହା ଜାନୁୟାରୀ ୨୧ ତାରିଖ ଦିନ ନିଜେ ଗୁରୁଜୀ ଅନ୍ୟାନ୍ୟ ଭିକ୍ଷୁମାନଙ୍କ ସହ ଭୂମିପୁଜା କାର୍ଯ୍ୟ ସମ୍ପର୍ଣ୍ଣ କରିଥିଲେ । ସ୍ତୂପଟିର ଚାରିଦିଗରେ ବୁଦ୍ଧଙ୍କର ପ୍ରତିମୂର୍ତ୍ତି ସ୍ଥାପନ ସହ ବୌଦ୍ଧ ଜାତକର କେତେକ ଗୁରୁତ୍ୱପୂର୍ଣ୍ଣ କାହାଣୀକୁ ନେଇ ପ୍ରସ୍ତର ଖୋଦିତ ଫଳକମାନ ସଜାଇବା ଲାଗି ନିଷ୍ପତି ନିଆଯାଇଥିବାରୁ ଏହି କାର୍ଯ୍ୟ ନିମନ୍ତେ ଦକ୍ଷ ପ୍ରସ୍ତର ଶିଳ୍ପିମାନଙ୍କୁ ସନ୍ଧାନ କରାଯାଇଥିଲା । ପୂରୀ ସହରରେ ଅନେକ ଦକ୍ଷ ପ୍ରସ୍ତାର ଶିଳ୍ପି ଥିବାରୁ ସେମାନଙ୍କ ମଧ୍ୟରୁ ଜଣେ ନିର୍ଭର ଯୋଗ୍ୟ ବ୍ୟକ୍ତିଙ୍କୁ ଏହି ଦାଇତ୍ୱ ଦେବା ଲାଗି ସ୍ତିର ହୋଇଥିଲା । ରେଭରେଣ୍ଟ ଇସିୟାମା ଚନ୍ଦ୍ରପ୍ରଭା ଓ ମୋ ସହ ପୁରୀ ଯାଇ ପ୍ରସ୍ତର ଶିଳ୍ପି ସନ୍ଧାନ କରିବା ସହ ଏହି ଦାଇତ୍ୱ ଦେବା ଲାଗି ଆଗ୍ରହ ପ୍ରକାଶ କରିଥିଲେ । ମୁଁ ୧୯୫୮ ମସିହାରେ ପୁରୀ ସାମନ୍ତ ଚନ୍ଦ୍ରଶେଖର ମହାବିଦ୍ୟଳୟର ଛାତ୍ର ଥିବା ସମୟରେ ମୋ ସହଧ୍ୟାୟୀ ଶ୍ରୀ ଏ. ଲକ୍ଷ ନାରାୟଣ ନାଇଡ଼ୁଙ୍କ ସହ ଘନିଷ୍ଟତା ଥିବାରୁ ଏବଂ ସେ ପୁରୀର ଏକ ସମ୍ମାନ ଜନକ ପରିବାରର ବ୍ୟକ୍ତି ଭାବରେ ସହରରେ ବେସ ପରିଚିତ ହୋଇଥିବାରୁ ଶିଳ୍ପି ଚୟନ ପାଇଁ ଶ୍ରୀ ନାଇଡ଼ୁଙ୍କୁ ଅନୁରୋଧ କରିଥିଲୁ । ଶ୍ରୀ ନାଇଡ଼ୁ କହିଥିଲେ ଯେ, ସ୍ଥାନିୟ କୁମୁଟି ସାହିରେ ସୁଦର୍ଶନ ସାହୁ ନାମଧ୍ୟାୟ ଜୌନେକ ଯୁବ ଶିଳ୍ପିଙ୍କ ସହ ତାଙ୍କର ପରିଚୟ ଅଛି ତେଣୁ ତାଙ୍କୁ ପ୍ରସ୍ତର ମୂର୍ତ୍ତି ନିର୍ମାଣ କାର୍ଯ୍ୟରେ ବିନିଯୋଗ କରାଯାଇପାରେ । ଶ୍ରୀ ନାଇଡ଼ୁଙ୍କ ପ୍ରସ୍ତାବ କ୍ରମେ ସୁଦର୍ଶନଙ୍କ ସହ ଯୋଗାଯୋଗ କରାଯାଇଥିଲା ଏବଂ ସେ ଏହି କାର୍ଯ୍ୟକୁ କରିବା ଲାଗି ବିଶେଷ ଆଗ୍ରହ ପ୍ରକାଶ କରିଥିଲେ । ମାତ୍ର, ତାଙ୍କର ଆର୍ଥିକ ସ୍ୱଚ୍ଛଳତା ନଥିବା ଦୃଷ୍ଟିରୁ ପ୍ରଥମେ ପ୍ରସ୍ତର କ୍ରୟ ପାଇଁ ତାଙ୍କୁ ଅନ୍ୱିନ ୫୦ ହଜାର ଟଙ୍କା ଅଗ୍ରିମ ଦେବା ଲାଗି ସେ ଅନୁରୋଧ କରିଥିଲେ । ତଦନୁଯାୟୀ ତାଙ୍କୁ ପ୍ରସ୍ତର କ୍ରୟ ପାଇଁ ଟଙ୍କା ଅଗ୍ରିମ ଦିଆଯାଇଥିଲା ଓ ସେ ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍‌ୟରେ ପ୍ରସ୍ତର ସଂଗ୍ରହ କରି ଆବଶ୍ୟକିୟ ମୁର୍ତ୍ତି ଗୁଡ଼ିକ ପ୍ରସ୍ତୁତ କରିବା ଲାଗି ପ୍ରତିଶ୍ରୁତି ଦେଇ ଚୁକ୍ତି ସ୍ୱାକ୍ଷର କରିଥିଲେ । ଯଦି ସେ ଯଥା ସମୟରେ କାର୍ଯ୍ୟ ସମାପ୍ତ କରିବାରେ ବିଫଳ ହୁଅନ୍ତି ତେବେ ସମସ୍ତ ଅଗ୍ରିମ ଅର୍ଥ ଫେରାଇବା ସହ ତାଙ୍କ ବିରୁଦ୍ଧରେ ଆଇନଗତ କାର୍ଯାନୁଷ୍ଠାନ ଗ୍ରହଣ କରାଯାଇପାରେ ବୋଲି ଏହି ଚୁକ୍ତିପତ୍ରରେ ଉଲ୍ଲେଖ ରହିଥିଲା ।

ଜାପାନିମାନେ ବ୍ୟବସାୟ ସଂପର୍କିୟ ବ୍ୟବସ୍ଥାରେ ସିଦ୍ଧହସ୍ତ । ସେମାନେ ପ୍ରାୟ ପ୍ରତିଶ୍ରୁତିରେ ବ୍ୟାଘାତ କରିନଥାନ୍ତି । ସୁଦର୍ଶନ ପଥୁରିଆ ସଂପ୍ରଦାୟର ନହୋଇଥିଲେ ମଧ୍ୟ ତାଙ୍କ ମା’ଙ୍କ ଠାରୁ ସେ ଖଡ଼ିପଥରରେ ଛୋଟଛୋଟ ମୁର୍ତ୍ତି ତିଆରି କରି ବିକ୍ରି କରୁଥିବା ନାଇଡ଼ୁଙ୍କୁ ଜଣାଥିଲା । ତେଣୁ ସୁଦର୍ଶନ ଯେ ଚୁକ୍ତି ଅନୁଯାୟୀ ଯଥା ସମୟରେ କାମ ସଂପୁର୍ଣ୍ଣ କରିବେ ଏବଂ ଏହାପରେ ଅନ୍ୟ କେତେଗୁଡ଼ିଏ କାମ ପାଇଁ ବରାଦ ନେଇ ପାରିବେ ଏହି ଦୃଢ଼ ବିଶ୍ୱାସ ନେଇ ଆମେ ଫେରିଆସିଥିଲୁ ।

ମାତ୍ର ନିର୍ଦ୍ଧାରିତ ଦିନ ମୁର୍ତ୍ତି ଆଣିବା ଲାଗି ରେଭରେଣ୍ଟ ଇସିୟାମାଙ୍କ ସହ ପୁରୀ ଯାଇ ପହଞ୍ଚିଲାବେଳକୁ ସୁଦର୍ଶନ କହିଲେ ଯେ ସେ ଯେଉଁ ବ୍ୟକ୍ତିଙ୍କୁ ପଥର ପାଇଁ ଟଙ୍କା ଦେଇଥିଲେ ସେ ପଥର ଯୋଗାଇନାହାନ୍ତି ତେଣୁ ତାଙ୍କ ପକ୍ଷେ ମୁର୍ତ୍ତି ତିଆରି କରିବା ସମ୍ଭବ ହୋଇପାରିନାହିଁ । ତାଛଡ଼ା ଯେଉଁ ବ୍ୟକ୍ତିଙ୍କୁ ସେ ଟଙ୍କା ଦେଇଥିଲେ ସେ ମଧ୍ୟ ଟଙ୍କା ଫେରାଇବା ଲାଗି ଧରାଛୁଆଁ ଦେଉନାହେନ୍ତି । ଏପରି ଅବସ୍ଥାରେ ଇସିୟାମା ବିଚଳିତ ହୋଇପଡ଼ିଥିଲେ ଓ ତାଙ୍କ ବିରୁଦ୍ଧରେ ଆଇନଗତ ପଦକ୍ଷେପ ନେଇ ଅର୍ଥ ଫେରିପାଇବା ପାଇଁ ବ୍ୟବସ୍ଥା କରିବା ଲାଗି ପ୍ରସ୍ତାବ ଦେଇଥିଲେ । ଏସଂପର୍କରେ ଚିନ୍ତାକରି ସ୍ଥିର କରିଥିଲି ଯେ ସୁଦର୍ଶନଙ୍କର ଆର୍ôଥକ ସ୍ଥିତି ଯାହା ସେଥିରେ ଆଇନ ଅନୁଯାୟୀ ପଦକ୍ଷେପ ନେଲେମଧ୍ୟ ତାଙ୍କ ଠାରୁ ଅର୍ଥ ଫେରସ୍ତ ପାଇବାର ସମ୍ଭ।।ବନା ଅତ୍ୟନ୍ତ କ୍ଷିନ୍ୱ ତେଣୁ ସେ ନିଜେ ଯଦି ଆଉ ଜଣେ ଦୁଇ ଜଣ ପଥର ଶିଳ୍ପିଙ୍କ ସହ ଧଉଳିଯାଇ ସେଠାରେ ରହି ମୁର୍ତ୍ତି ପ୍ରସ୍ତୁତିରେ ମନୋନିବେଶ କରିବେ ତେବେ ତାଙ୍କ ମଜୁରି ବାବଦ ଅର୍ଥ ପରିଶୋଧ କରିପାରିବେ । ମୋର ଏହି ପ୍ରସ୍ତାବରେ ନାଇଡ଼ୁ ମଧ୍ୟ ସହମତଥିଲେ ଏବଂ ସୁଦର୍ଶନ ପଥରଖୋଦେଇ ସାଜ ସାରଞ୍ଜମ ଧରି ଧଉଳି ଆସିବା ଲାଗି ବାଧ୍ୟ ହୋଇଥିଲେ ।

ସାଙ୍ଗରେ ଆଣିଥିବା ମାତ୍ର କେଇ ଜଣ ସହଯୋଗୀଙ୍କ ସହ ସୁଦର୍ଶନ ଧଉଳି ଠାରେ ରହି କାର୍ଯ୍ୟକରିବା ସମୟରେ ରେଭରେଣ୍ଟ ଇସିୟାମା ଏବଂ ଅନ୍ୟାନ୍ୟ ଭିକ୍ଷୁମାନଙ୍କ ବିଶ୍ୱାସ ଭାଜନ ହୋଇପାରିଥିଲେ । ପଥର ଖୋଦେଇ ନିମନ୍ତେ ପାରମ୍ପାରିକ ନିହଣ ମୁଗୁର ପ୍ରଭୃତି ବ୍ୟବହାର କଲେ ବସ୍ତୁତଃ ବହୁ ସମୟ ଅତିବାହିତ ହେଉଥିବାରୁ ଯାନ୍ତ୍ରିକ ପଦ୍ଧତି ବ୍ୟବହାର କରି ପଥର ମୁର୍ତ୍ତି ପ୍ରସ୍ତୁତି ନିମନ୍ତେ ପଦକ୍ଷେପ ନେବାଲାଗି ଜାପାନିମାନେ ଶିକ୍ଷା ଦେଇଥିଲେ । କେବଳ ଶୁକ୍ଷ୍ମ କାର୍ଯ୍ୟ ଗୁଡ଼ିକ ପାଇଁ ପାରମ୍ପାରିକ ହାତହତିଆର ବ୍ୟବହାର କରାଯାଇ ବହୁଶିଘ୍ର କାର୍ଯ୍ୟ ସମାପନ କରିବାର କଳାକୌଶଳ ଅନାୟାସରେ ସୁଦର୍ଶନ ଶିକ୍ଷା କରିଥିଲେ । ଜାପାନରେ ନିର୍ମାଣ ହେବାକୁଥିବା ସ୍ତୂପ ଓ ବୌଦ୍ଧ ମନ୍ଦିରମାନଙ୍କରେ କାର୍ଯ୍ୟକରିବା ଲାଗି ରେଭରେଣ୍ଟ ଇସିୟାମା ପରବର୍ତ୍ତୀ କାଳରେ ସୁଦର୍ଶନ ଏବଂ କୋଣାର୍କର ଦକ୍ଷ ପ୍ରସ୍ତରଶିଳ୍ପି ଉପେନ୍ଦ୍ର ମହାରଣା ପ୍ରଭୃତିଙ୍କୁ ଜାପାନ ଯିବା ଲାଗି ୧୯୭୬ ମସିହାରେ ବ୍ୟବସ୍ଥା କରିଥିଲେ ।

ସୁଦର୍ଶନ ଥିଲେ ଅତ୍ୟନ୍ତ ଚତୁର ସେ ଚନ୍ଦ୍ରପ୍ରଭାଙ୍କୁ ଭଉଣୀ ଭାବରେ ସମ୍ବୋଧନ କରି ମୋ ପରିବାର ସହ ଅନେକ ପରିମାଣରେ ଘନିଷ୍ଟ ହୋଇପଡ଼ିଥିଲେ । ୧୯୭୨ ମସିହାରେ ସୁଦର୍ଶନଙ୍କ ଦ୍ୱାରା ପ୍ରସ୍ତର ନିର୍ମିତ ଏକ ବୁଦ୍ଧ ମୃର୍ତ୍ତି ପାଇଁ ସେ ଯେତେବେଳେ ରାଜ୍ୟ ସରକାରଙ୍କ ଦ୍ୱାରା ପୁରସ୍କୃତ ହେବା ପାଇଁ ମନୋନିତ ହୋଇଥିଲେ ସେତେବେଳେ କେତେଜଣ ପ୍ରସ୍ତର ଶିଳ୍ପି ତାହା ବିରୁଦ୍ଧରେ ପ୍ରତିବାଦ କରିଥିଲେ ଏବଂ ସୁଦର୍ଶନଙ୍କ କୌଳିକ ବୃତ୍ତି ପ୍ରସ୍ତର ଖୋଦେଇ ହୋଇନଥିବାରୁ ଏବଂ ସେ ବସ୍ତୁତଃ ତେଲି ସଂପ୍ରଦାୟର ହୋଇଥିବାରୁ ତାଙ୍କୁ ପୁରସ୍କୃତ କରାଗଲେ ତାହା ଅନ୍ୟାୟ ହେବବୋଲି ଆପତି ଉଠା ଯାଇଥିଲା । ଫଳରେ ସୁଦର୍ଶନ ପକୃତରେ ଶିଳ୍ପିକି ନୁହନ୍ତି ତାହା ପ୍ରମାଣ କରିବା ପାଇଁ ଭୁବନେଶ୍ୱର ଆସି ସ୍ଥାନୀୟ ହସ୍ତଶିଳ୍ପ କାର୍ଯ୍ୟାଳୟରେ ଗୋଟିଏ ବୁଦ୍ଧ ମୁର୍ତ୍ତି କରିବା ଲାଗି ନିର୍ଦ୍ଧେଶ ଦିଆଯାଇଥିଲା । ଯେଉଁମାନେ ଏସଂପର୍କରେ ଆପତ୍ତି ଉଠେଇଥିଲେ ସେମାନେ ଆସି ମଧ୍ୟ ବୁଦ୍ଧ ମୁର୍ତ୍ତି ପ୍ରସ୍ତୁତ କରିବା ପାଇଁ କୁହାଯାଇଥିଲା । ସେସମୟରେ ମୋର ପଡ଼ୋଶି ଶ୍ରୀ ଗଙ୍ଗାଧର ଷଢ଼ଙ୍ଗି ଶିଳ୍ପ ବିଭାଗର ସହକାରୀ ନିର୍ଦ୍ଧେଶକ ଭାବରେ ହସ୍ତ ଶିଳ୍ପ ବିଭାଗ ଦାଇତ୍ୱରେ ଥିଲେ ଏବଂ ସୁଦର୍ଶନଙ୍କୁ ପୁରସ୍କୃତ କରିବା ଲାଗି ତାଙ୍କର ସାମାନ୍ୟତମ ଆଗ୍ରହ ନଥିଲା । ତେଲି ସଂପ୍ରଦାୟର ଜଣେ ଯୁବକ ଶିଳ୍ପି ଭାବରେ ସ୍ୱୀକୃତି ପାଇବା ଦିଗରେ ଯେଉଁମାନେ ବିରୋଧ କରୁଥିଲେ ଶ୍ରୀ ଷଢ଼ଙ୍ଗି ମୁଖ୍ୟତଃ ସେମାନଙ୍କୁ ସହଯୋଗ କରୁଥିଲେ । ଏଭଳି ବାଦ ବିବାଦ ଭିତରେ କେହିହେଲେ ହସ୍ତଶିଳ୍ପ ନିର୍ଦ୍ଧେଶଳାୟର କାର୍ଯ୍ୟାଳୟକୁ ଆସି ବୁଦ୍ଧ ମୁର୍ତ୍ତିଟିଏ କରିବା ଲାଗି ତପ୍ତରତା ପ୍ରକାଶ କରିନଥିଲେ ।

ଏହାଥିଲା ସୁଦର୍ଶନଙ୍କ ପାଇଁ ଅଗ୍ନିପରୀକ୍ଷା ପ୍ରସ୍ତର ଖୋଦେଇ ଯେଉଁମାନଙ୍କର କୌଳିକ ବୃତ୍ତି ନୁହେଁ ସେମାନେ ମଧ୍ୟ ଏଭଳି କାର୍ଯ୍ୟକୁ ଆପଣେଇ ପାରିବେ ଏହାର ପ୍ରମାଣ କରିବା ଲାଗି ଏହି ଘଟଣା ସଂପର୍କରେ ମୁଁ ଗଣମାଧ୍ୟମରେ ଉଲ୍ଲେଖ କରିବା ସହ ସୁଦର୍ଶନ ଏକ ପ୍ରସ୍ତର ମୁର୍ତ୍ତି ପ୍ରସ୍ତୁତ କରୁଥିବାର ଫଟୋ ସହ ସମ୍ବାଦ ସେସମୟର ବହୁଳ ପ୍ରସାରିତ ‘ଆସନ୍ତା କାଲି’ ପତ୍ରିକାରେ ପ୍ରକାଶ କରିଥିଲି । ପୁରୀର ଘୋଡ଼ା ବଜାର ନିକଟବର୍ତ୍ତି ଯେଉଁ ସ୍ଥାନରେ କେତେକ ଯୁବ ପ୍ରସ୍ତର ଶିଳ୍ପିଙ୍କୁ ନେଇ କେନ୍ଦ୍ର ସରକାରଙ୍କ ଅନୁଦାନରେ ତାଲିମ୍ ଦେଉଥିଲେ ସେହି ନିକଟରେ ଥିବା ମୁଖ୍ୟ ରାସ୍ତା ସମ୍ମୁଖରେ ନିଜର ଗୋଟିଏ ବିକ୍ରୟ କେନ୍ଦ୍ର ଖୋଲିବା ଲାଗି ନିଷ୍ପିତି ନେଇ ଏଥି ନିମନ୍ତେ ମୋର ସହଯୋଗ କାମନା କରିଥିଲେ । ତଦନାନ୍ତିନ ଶିଳ୍ପି ମନ୍ତ୍ରୀ ହରିଶଚନ୍ଦ୍ର ବକ୍ସିପାତ୍ରଙ୍କ ଦ୍ୱାରା ଯଦି ତାଙ୍କ ବିକ୍ରୟ ଓ ପଦର୍ଶନୀ କେନ୍ଦ୍ରଟି ଉଦ୍ଘାଟିତ ହୋଇପାରନ୍ତା ସେ ଅତ୍ୟନ୍ତ ଲାଭବାନ ହୋଇପାରନ୍ତେ ବୋଳି ଇଚ୍ଛା ବ୍ୟକ୍ତ କରିଥିଲେ । ହରିଶଚନ୍ଦ୍ର ବକ୍ସିପାତ୍ରଙ୍କ ସହିତ ମୋର ଦୀର୍ଘ ଦିନର ସଂପର୍କଥିଲା ସେ ଛାତ୍ର ଜୀବନରୁ ବାମପନ୍ଥି ଚିନ୍ତାଧାରେ ପ୍ରଭାବିତ ହୋଇ ଅଖିଳ ଭାରତ ଛାତ୍ର ସଂଘର ସଦସ୍ୟ ଓ ଜଣେ ଟାଣୁଆ ନେତା ଭାବରେ ନିଜକୁ ପ୍ରତିଷ୍ଠିତ କରିପାରିଥିଲେ । ସେହି ଦୃଷ୍ଟିରୁ ବାବାଙ୍କ ସହ ତଙ୍କର ଘନିଷ୍ଠ ସଂପର୍କ ରହିଥିଲା ।

ସୁଦର୍ଶନଙ୍କ ଅନୁରୋଧ ରକ୍ଷାକରି ତାଙ୍କ ବିକ୍ରୟ କେନ୍ଦ୍ର ଉଦ୍ଘାଟନ ନିମନ୍ତେ ମୁଁ ଶ୍ରୀ ବକ୍ସିପାତ୍ରଙ୍କୁ ଅନୁରୋଧ କରିଥିଲି ଏବଂ ମୋ ଅନୁରୋଧ ରକ୍ଷା କରି ଶ୍ରୀ ବକ୍ସିପାତ୍ର ପୁରୀ ଠାରେ ସୁଦର୍ଶନଙ୍କ ଦ୍ୱାରା ପ୍ରତିଷ୍ଠିତ ‘ସୁଦର୍ଶନ କ୍ରାପ୍ଟ ମିୟୁଜିୟମ ଉଦ୍ଘାଟନ କରିବା ଲାଗି ସ୍ୱକୃତି ଦେବା ପରେ ସେ ସଂପର୍କରେ କେତେକ ପ୍ରସ୍ତର ଶିଳ୍ପି ଆପତି ଉଠାଇଥିଲେ ଏବଂ ମନ୍ତ୍ରୀ ଯଦି ଜଣେ ଭିନ୍ନ ସଂପ୍ରଦାୟର ବ୍ୟକ୍ତିଙ୍କୁ ଏଭଳି ଉତ୍ସାହିତ କରନ୍ତି ତେବେ ଶିଳ୍ପିମାନେ ହୁଏତ ଦୁର୍ଦଶାର ସମ୍ମୁଖିନ ହେବେବୋଲି ସେମାନେ ଯୁକ୍ତି ବାଢ଼ିଥିଲେ । ଏ ବିଷୟ ଉଲ୍ଲେଖ କରି ମନ୍ତ୍ରୀ ଶ୍ରୀ ବକ୍ସିପାତ୍ରଙ୍କ ନିକଟକୁ କେତେକ ଅଭିଯୋଗ ପତ୍ର ମଧ୍ୟ ଆସିଥିଲା । ମାତ୍ର ଶ୍ରୀ ବକ୍ସିପାତ୍ର ଥିଲେ ସବୁପ୍ରକାର ସଂକିର୍ଣ୍ଣତା ଠାରୁ ଉଦ୍ଧ୍ୱରେ ତେଣୁ ସେ କୌଣସି ଆପତ୍ତି ଅଭିଯୋଗକୁ ବିଚାରକୁ ନନେଇ ମୋ ଅନୁରୋଧ ରକ୍ଷା କରି ସୁଦର୍ଶନ କ୍ରାପ୍ଟ ମିୟୁଜିୟମ ଉଦ୍ଘାଟନ କରିବା ଲାଗି ମୋ ସହ ପୁରୀ ଯାଇଥିଲେ । ୧୯୭୨ ମସିହାରେ ସୁଦର୍ଶନଙ୍କୁ ରାଜ୍ୟ ପୁରସ୍କାର ଦେବା ସଂପର୍କରେ ଯେଉଁ ବିବାଦ ସୃଷ୍ଟି ହୋଇଥିଲା ସେହି ବିବାଦ ସବୁଦିନ ପାଇଁ ଅମ୍ୟାଶିଂତ ହୋଇ ରହିଯାଇଥିଲା ।
ଶାନ୍ତି ସ୍ତୂପର ପୂର୍ବ ଦିଗରେ ଥିବା ବିଶାଳକାୟ ବୁଦ୍ଧ ମୁର୍ତ୍ତିଟିକୁ ନିର୍ମାଣ କରିବା ଲାଗି ରାଜ୍ୟର ଜଣାସୁଣା ପ୍ରସ୍ତର ଶିଳ୍ପି ରଘୁନାଥ ମହାପାତ୍ରଙ୍କୁ ଦାୟୀତ୍ୱ ଦିଆଯାଇଥିଲା କାରଣ ସେ ଜାତୀୟ ପୁରସ୍କାର ବିଜେତା ଥିବା ସହିତ ପଦ୍ମଶ୍ରୀ ଉପାଧି ମଧ୍ୟ ପାଇଥିଲେ । ଶ୍ରୀ ମହାପାତ୍ର ନିର୍ଦ୍ଧିଷ୍ଟ ସମୟରେ ମୁର୍ତ୍ତି କାର୍ଯ୍ୟ ସଂପୂର୍ଣ୍ଣ କରିଥିଲେ । ପରବର୍ତ୍ତି କାଳରେ ନିଜର ଦକ୍ଷତା ଯୋଗୁଁ ସେ କେନ୍ଦ୍ର ସରକାରଙ୍କ ଦ୍ୱାରା ପଦ୍ମଭୂଷଣ ଓ ପଦ୍ମ ବିଭୁଷଣ ଉପାଥିରେ ଭୁଷିତ ହୋଇଥିଲେ । କେବଳ ସେତିକି ନୁହେଁ ଶ୍ରୀ ମହାପାତ୍ର ରାଷ୍ଟ୍ରପତିଙ୍କ ଦ୍ୱାରା ରାଜ୍ୟସଭା ସଦସ୍ୟା ଭାବରେ ମନୋନିତ ହୋଇଥିଲେ ।
ପାରମ୍ପାରିକ ପ୍ରସ୍ତର ଶିଳ୍ପି ପରିବାରରେ ଜନ୍ମଗ୍ରହଣ ନକରି ମଧ୍ୟ ସୁଦର୍ଶନ ୧୯୭୮ ମସିହାରେ ପଦ୍ମଶ୍ରୀ ଉପାଧିରେ ଭୂଷିତ ହେବା ଲାଗି ମନୋନିତ ହୋଇଥିଲେ ।

ସୁଦର୍ଶନ କ୍ରାପ୍ଟ ମିୟୁଜିୟମ ସଲଗ୍ନ ସରକାରୀ ଜାଗା ଏବଂ ହେମନ୍ତ କୁମାର ବସୁଙ୍କ ମାଲିକାନାରେ ଥିବା ପୁରୀ ଜେନେରାଲ ଷ୍ଟୋର ଦ୍ୱାରା ଅଧିକୃତ ଜମି କ୍ରୟ କରି ଜାପାନି ଢ଼ାଞ୍ଚାରେ ଏକ ବୁଦ୍ଧ ମନ୍ଦିର ନିର୍ମାଣ ନିମନ୍ତେ ସୁଦର୍ଶନ ଚେଷ୍ଟିତ ହୋଇ ବହୁ ବାଧା ବିଗ୍ନ ସତ୍ୱେ ସଫଳ ହୋଇଥିଲେ । ଏଥିନିମନ୍ତେ ତାଙ୍କୁ ବହୁ କଳ ବଳ ଓ କୌଶଳ ପ୍ରୟୋଗ କରିବାକୁ ପଡ଼ିଥିଲା । ଶ୍ରୀ ବସୁ ତାଙ୍କ ଜମିକୁ ସୁଦର୍ଶନଙ୍କୁ ବିକ୍ରି କରିବା ଲାଗି ମନାକରିଦେବାରୁ କେତେଜଣ ସହଯୋଗିଙ୍କ ଜରୀଆରେ ମହାମାୟା କର୍ପୋରେସନ ନାମକ ଏକ ସଂସ୍ଥା ଗଠନ କରି ୧୯୮୨ ମସିହାରେ ଏହି ଜମିକୁ ନିଜ ଦଖଲକୁ ନେଇ ସେଠାରେ ଜାପାନି ଢ଼ାଞ୍ଚାରେ ବୁଦ୍ଧ ମନ୍ଦିରଟିଏ କରିବା ଲାଗି ସୁଦର୍ଶନ ସଫଳ ହୋଇଥିଲେ ।

ଶିଳ୍ପି ଭାବରେ ନିଜକୁ ପ୍ରତିଷ୍ଠିତ କରାଇବା ଲାଗି ସୁଦର୍ଶନଙ୍କ ଅଦମ୍ୟ ଆକାଂକ୍ଷା ପୁରଣ କରିବା ଲାଗି ରାଜଧାନୀ ଭୁବନେଶ୍ୱର ଠାରେ ଏକ ଗୁରୁତ୍ୱ ପୂର୍ଣ୍ଣ ସ୍ଥାନରେ ସରକାରୀ ଜମି ନେଇ ସେଠାରେ ସୁଦର୍ଶନ କ୍ରାପ୍ଟ ଭିଲେଜ ନାମରେ ଏକ ସଂସ୍ଥା ନିର୍ମାଣ କରିବା ଲାଗି ଉଦ୍ୟମ ଆରମ୍ଭ କରିଥିଲେ ଏବଂ ଶ୍ରୀ ଜାନକି ବଲ୍ଲବ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ଏଥିପାଇଁ ଦୁଇ ଏକର ୩୦୦ଡ଼େସିମିଲ ଜମି ରାଜଧାନୀର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ନାଲକୋ ମୁଖ୍ୟ ଦପ୍ତର ଓ ଓବରାଇ ହୋଟେଲ ନିକଟରେ ପାଇ ସେଠାରେ ନିଜର ବ୍ୟବସାୟ ସାମ୍ରାଜ୍ୟ ପ୍ରତିଷ୍ଠା କରି ଲାଭବାନ ହୋଇଥିଲେ ।
ଧଉଳି ଶାନ୍ତି ସ୍ତୂପ ପ୍ରତିଷ୍ଠା ପୂର୍ବରୁ ଓ ପରେ ମଧ୍ୟ କଳିଙ୍ଗ ନିପନ ବୁଦ୍ଧ ସଂଘ ସହ ମୋର ଘନିଷ୍ଟ ସଂପର୍କ ଥିବା ଯୋଗୁଁ ଏବଂ ଜାପାନି ବୌଦ୍ଧ ଭିକ୍ଷୁମାନେ ମୋ ସହ ଘନିଷ୍ଠ ସଂପର୍କରେ ଯୋଡ଼ିହୋଇଥିବା ଯୋଗୁଁ ଚନ୍ଦ୍ରପ୍ରଭା ମଧ୍ୟ ବିଶେଷ ଭାବରେ ସଂପୃକ୍ତ ହୋଇଯାଇଥିଲା । ରେଭରେଣ୍ଟ ଇସିୟାମା ରେଭରେଣ୍ଟ ଇକାଡ଼ା ଏବଂ ରେଭରେଣ୍‌ଟ ୟୋଦା ପ୍ରଭୃତି ଚନ୍ଦ୍ରପ୍ରଭାଙ୍କୁ ଭଉଣି ବୋଲଇ ସଂବୋର୍ଦ୍ଧନ କରିଥିଲେ । ସବୁଠାରୁ କନିଷ୍ଠତମ ସଦସ୍ୟ ରେଭରେଣ୍ଟ ୟୋଦା ତାଙ୍କୁ ଚନ୍ଦ୍ରା ଅପା ବୋଲି ସଂବୋର୍ଦ୍ଧନ କରୁଥିଲା । ତାଙ୍କ ସହ ଓଉଳି ଠାରେ ବସବାସ କରୁଥିବା ତାଙ୍କ ବୃଦ୍ଧା ମା’ମଧ୍ୟ ଚନ୍ଦ୍ରପ୍ରଭ୍ରଙ୍କୁ ନିଜ ଟିଅ ଭଳି ସ୍ନେହ ଶ୍ରଦ୍ଧା କରୁଥିଲେ । ମା’ଙ୍କର ମୃତ୍ୟୁ ପରେ ସଧର୍ମ ବିହାର ସମ୍ମୁଖରେ ଏକ ସ୍ମୃତି ଫଳକ ସ୍ଥାପନ କରାଯାଇଥିଲା । ଇତି ମଧ୍ୟରେ ରେଭରେଣ୍‌ଟ ୟୋଦା କର୍କଟ ରୋଗରେ ଆକ୍ରାନ୍ତ ହୋଇ ଜାପାନ ଠାରେ ଚିକିତ୍ସିତ ହେଉଥିବା ସମୟରେ ଶେଷ ନିଃସ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ମର ଶରୀରକୁ ମା’ଙ୍କ ସମାଧି ନିକଟରେ ସମାଧି ଦେବା ଲାଗି ସେ ଶେଷ ଇଚ୍ଛା ବ୍ୟକ୍ତ କରିଥିଲେ ମଧ୍ୟ ତାହା ସମ୍ଭବ ହୋଇନାହିଁ ।

୧୯୭୨ ମସିହାରେ ଧଉଳି ପାହାଡ଼ ଉପରେ ବିଶ୍ୱଶାନ୍ତି ସ୍ତୂପ ସ୍ଥାପିତ ହୋଇ ଓଡ଼ିଶାର ପର୍ଯ୍ୟଟନ ମାନଚିତ୍ରକୁ ନୂତନ ରୂପ ଦେଇଥିଲେ ମଧ୍ୟ ଅଶୋକଙ୍କ ଶିଳାଲିପି ସମ୍ମୁଖରେ ଫୁଜୀ ସରୋବର ଏବଂ ତନ୍ମଧ୍ୟରେ ବିଦ୍ୟାଦାତ୍ରୀ ସରଶ୍ୱୋତିଙ୍କ ମନ୍ଦିର ସ୍ଥାପନ ଯଥା ନୌବିହାର ନିମନ୍ତେ ବ୍ୟବସ୍ଥା କରିବା ଲାଗି ଫୁଜୀ ଗୁରୁଜୀ, ଉପେନ୍ଦ୍ର ମଉସା ଏବଂ ସ୍ଥପତି ମିନରୁ ଓକା ଯେଉଁ ସ୍ୱପ୍ନ ଦେଖିଥିଲେ ତାହା ସବୁଦିନ ପାଇଁ ଅପୂରଣୀୟ ହୋଇ ରହିଯାଇଛି । ପୁରୀର ତନ୍ତ୍ର ସାଧକଙ୍କ ଠାରୁ କିଣା ଯାଇଥିବା ୧୮ଏକର ଚାଷ ଜମି ଯଦି ମୂଳ ଯୋଜନା ଅନୁଯାୟୀ ଖନନ କରାଯାଇଥାନ୍ତା ତେବେ ସେଥିମଧ୍ୟରୁ ସମ୍ରାଟ ଅଶୋକଙ୍କ କଳିଙ୍ଗ ଯୁଦ୍ଧ ସଂକ୍ରାନ୍ତିୟ ବହୁ ତଥ୍ୟ ଉପରେ ହୁଏତ ଆଲୋକପାତ କରାଯାଇଥାନ୍ତା ।

ମାତ୍ର ରାଜ୍ୟର ସବୁଠାରେ ପ୍ରଭାବଶାଳି ସାମ୍ବାଦିକ ଡ଼.ରାଧାନାଥ ରଥଙ୍କ ନିର୍ଦ୍ଧେଶରେ ସେହି ଇତିହାସକୁ ସବୁଦିନ ଲାଗି କବର ଦିଆଗଲା । ଫୁଜୀ ସରୋବର ପରିବର୍ତ୍ତେ ସେଠାରେ ‘ଫୁଜୀ ଉଦ୍ୟାନ’ ସ୍ଥାପନ କରି ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିବା ପାଇଁ ଡ଼.ରଥ ଅତ୍ୟନ୍ତ ଚତୁରତାର ସହ ଯେଉଁ ପ୍ରସ୍ଥାବ ଦେଇଥିଲେ ତାହା ମଧ୍ୟ ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇପାରି ନାହିଁ । ଇତି ମଧ୍ୟରେ ଚନ୍ଦ୍ରପ୍ରଭା ୨୦୧୭ ମସିହା ମାର୍ଚ୍ଚ ୧୭ତାରିଖ ଦିନ ଇହଧାମ ତ୍ୟାଗ କରିଛନ୍ତି । ଧଉଳି ଯୋଜନା ସହ ତାଙ୍କର ସଂପୃକ୍ତି ଏବଂ ଜାପାନୀ ବୌଦ୍ଧ ଭିକ୍ଷୁମାନଙ୍କୁ ଆତୀଥ୍ୟରେ ଆପାୟୀତ କରିଥିବା ଯୋଗୁଁ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ନିମନ୍ତେ ଜାପାନ ବୁଦ୍ଧ ସଂଘର ପ୍ରତିନିଧି ରେଭରେଣ୍ଟ ଓକୋନୋଗି ୨୮ ମାର୍ଚ୍ଚ ୨୦୧୭ରେ ଭୁବନେଶ୍ୱର ଆସି ପରିବାର ପ୍ରତି ସମବେଦନା ଜଣାଇଥିଲେ ।

By amfnews

Related Post