Sat. Mar 7th, 2026

ପ୍ରବାସୀଙ୍କୁ ନେଇ ଟ୍ରକ୍‌ ମାଲିକଙ୍କ ବେପାର: ଟ୍ରକ୍‌ ଡାଲାରେ ୫୭ ପ୍ରବାସୀ, ପ୍ରତ୍ୟେକ ଦେଇଛନ୍ତି ୩,୦୦୦

210 Views

ମୁମ୍ବାଇ: ଲକ୍‌ଡାଉନ୍‌ ପାଇଁ ଦେଶର ବିଭିନ୍ନ ସ୍ଥାନରେ ଫସି ରହିଛନ୍ତି ପ୍ରବାସୀ। ‌ଯେକୌଣସି ଉପାୟରେ ଘରକୁ ଫେରିବାପାଇଁ ପ୍ରବାସୀ ଶ୍ରମିକମାନେ ନାନାଦି ଉପାୟ ଆପଣାଉଛନ୍ତି। ଅନେକ ପ୍ରବାସୀ ଚାଲି ଚାଲି ଘରକୁ ଫେରୁଥିବା ବେ‌ଳେ ପୁଣି ଆହୁରି ଅନେକ ସାଇକେଲ୍‌ ଚଳାଇ ନିଜ ଘରକୁ ଫେରୁଛନ୍ତି। କିନ୍ତୁ ପ୍ରବାସୀଙ୍କୁ ନେଇ ଏବେ କିଛି ସ୍ଥାନରେ ଲୋକ ବ୍ୟବସାୟ ଆରମ୍ଭ କରିଦେଲେଣି। ମହାରାଷ୍ଟ୍ର‌ରେ ଜଣେ ଟ୍ରକ୍‌ ମାଲିକ ପ୍ରବାସୀ ଶ୍ରମିକଙ୍କ ଦୁଃଖର ଫାଇଦା ଉଠାଇଥିବା ଦେଖିବାକୁ ମିଳିଛି। ମହାରାଷ୍ଟ୍ରର ମୁମ୍ବାଇ-ନାସିକ୍‌ ଜାତୀୟ ରାଜପଥରେ ଏକ ଟ୍ରକ୍‌ରେ ୫୭ ଜଣ ପ୍ରବାସୀ ଶ୍ରମିକ ବୋଝେଇ ହୋଇ ଯାଉଥିବା ଦେଖିବାକୁ ମିଳିଛି। ସମସ୍ତ ପ୍ରବାସୀମାନେ ଉତ୍ତରପ୍ରଦେଶ ଯିବାପାଇଁ ବାହାରିଛନ୍ତି।

ଟ୍ରକ୍‌ଟି ମୁମ୍ବାଇରୁ ଥାନେ ଆସିବାପରେ ମୁମ୍ବାଇ-ନାସିକ ଜାତୀୟ ରାଜପଥରେ ଆଜି ସକାଳେ ଅଟକିଥିଲା। ଟ୍ରକ୍‌ରେ ମହିଳା ପୁରୁଷ ଏବଂ ଶିଶୁଙ୍କ ସମେତ ସମୁଦାୟ ୫୭ ଜଣ ଥିଲେ। ତେବେ ଟ୍ରକ୍‌ ଡ୍ରାଇଭର ଆହୁରି ଅଧିକ ଯାତ୍ରୀମାନଙ୍କୁ ନେବାପାଇଁ ବାଟରେ ଅଟକିଥିଲା। ମିଳିଥିବା ସୂଚନାନୁଯାୟୀ ଟ୍ରକ୍‌ ମାଲିକ ଜଣଙ୍କ ପ୍ରତି ପ୍ରବାସୀଙ୍କଠାରୁ ୩ ହଜାର ଟଙ୍କା ନେଇଛନ୍ତି। ସମସ୍ତଙ୍କୁ ନିଜ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚାଇବାପାଇଁ ମାଲିକ ୩ ହଜାର ଟଙ୍କା ନେଇଛନ୍ତି। ଟ୍ରକ୍‌ ଡ୍ରାଇଭର ୫୭ ଜଣଙ୍କୁ ଧରି ଯାତ୍ରା କରିବାପାଇଁ ଚାହିଥିଲେ ମଧ୍ୟ ମାଲିକ ଆହୁରି ଅଧିକ ଯାତ୍ରୀ ଚାହିଥିଲେ। ଏହାକୁ ନେଇ ସେମାନଙ୍କ ମଧ୍ୟରେ ବଚସା ବି ହୋଇଥିଲା। କିନ୍ତୁ ଅତ୍ୟଧିକ ଖରାରେ ଲୋକେ ଟ୍ରକ୍‌ ଡାଲାରେ ଲଦି ହୋଇ ଯାଉଥିବା ଦୃଶ୍ୟ ଖୁବ୍‌ ଦୁଃଖ ଦେଇଛି।

By amfnews

Related Post