Tue. Nov 26th, 2024

ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା: ରାସ୍ତା କାମ ନିମ୍ନମାନର ଅଧା‌ରୁ ଛାଡ଼ି ଚାଲିଯାଉଛନ୍ତି ଠିକାଦାର

By amfnews Nov 27, 2019 #Featured
128 Views

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ କାମ ନିମ୍ନମାନର ହେଉଛି। ତ୍ରିସ୍ତରୀୟ ଯାଞ୍ଚ୍ ହେଉଥିଲେ ବି ତାହାର ପ୍ରଭାବ ପଡ଼ୁନି। କାମ ହେବାର କିଛି ମାସ ପରେ ରାସ୍ତା ନଷ୍ଟ ହୋଇଯାଉଛି। ପୁଣି ବହୁ ସ୍ଥାନରେ ଠିକାଦାରମାନେ କାମ ଅଧାରୁ ଛାଡ଼ି ଚାଲିଯାଉଛନ୍ତି। ସମୟସୀମା ମଧ୍ୟରେ କାମ ସରୁନି। ଆଜି ବିଧାନସଭାରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଉପରେ ଏମିତି ଅଭିଯୋଗ ଗଦା କରିଥିଲେ ବିଧାୟକମାନେ। ଉଭୟ ଶାସକ ଓ ବିରୋଧୀ ଦଳ ସଦସ୍ୟଙ୍କ ସ୍ବର ସମାନ ଥିଲା। ମନ୍ତ୍ରୀ ଏ ଦିଗରେ ଠୋସ୍ ପଦକ୍ଷେପ ନେବାକୁ ଦାବି ହୋଇଥିଲା। ଅଭିଯୋଗର ଲମ୍ବା ତାଲିକା ଦେଖି ବାଚସ୍ପତି ନି‌େର୍ଦ୍ଦଶ ଦେଇଥିଲେ, ଜିଲ୍ଲାୱାରି ବିଧାୟକମାନଙ୍କୁ ଡାକି ମନ୍ତ୍ରୀ ଏହି ପ୍ରସଙ୍ଗରେ ଆଲୋଚନା କରନ୍ତୁ। ଯେଉଁଠି ରାସ୍ତା କାମ ଅଧା ଅଛି ତାହାର ତାଲିକା ମଗାଇ ସେ ଦିଗରେ ପଦକ୍ଷେପ ନିଅନ୍ତୁ।

ଅନନ୍ତ ଦାସଙ୍କ ମୂଳ ପ୍ରଶ୍ନରୁ ଆରମ୍ଭ ହୋଇଥିଲା ଆଲୋଚନା। ଶ୍ରୀ ଦାସ ପ୍ରଶ୍ନ କରିଥିଲେ, ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ରାଜସ୍ବ ଗ୍ରାମକୁ ‘ଜନବସତି’ ଧରାଯାଇ ପ୍ରକଳ୍ପ ମନୋନୟନ କରିବା ଯୋଗୁ ବଡ଼ ବଡ଼ ଗ୍ରାମରେ ଏକାଧିକ ବସତି ଥିଲେ ବି ରାସ୍ତା ନିର୍ମାଣ କରାଯାଉନି। ଫଳରେ ଲୋକମାନେ ଅସୁବିଧା ଭୋଗୁଛନ୍ତି। ସରକାର ଏହି ବସତିଗୁଡ଼ିକୁ ରାସ୍ତା ନିର୍ମାଣ ପାଇଁ ପଦକ୍ଷେପ ନେବେ କି ? ଉତ୍ତରରେ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂହ କହିଥିଲେ, ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା‌ର ନିୟମାନୁସାରେ ଗୋଟିଏ ‘ଜନବସତି’ ହେଉଛି ବସବାସ କରୁଥିବା ଲୋକମାନଙ୍କ ସମୂହ। ଏହା ସମୟ ଅନୁସାରେ ବଦଳେ ନାହିଁ। ସମତଳ ଅଞ୍ଚଳରେ ୫୦୦ ମିଟର ଏବଂ ପାହାଡ଼ିଆ ଅଞ୍ଚଳରେ ୧.୫ କିମି ବ୍ୟାସାର୍ଦ୍ଧ ମଧ୍ୟରେ ଥିବା ସମସ୍ତ ସାହି ବା ପଡ଼ାଗୁଡ଼ିକରେ ବସବାସ କରୁଥିବା ଲୋକସଂଖ୍ୟାର ସମଷ୍ଟିକୁ ନେଇ ‘ଜନବସତି’ର ଜନସଂଖ୍ୟା ନିର୍ଦ୍ଧାରଣ କରାଯାଇଥାଏ। ଏହି ଜନବସତିର ଜନସଂଖ୍ୟା ୨୦୦୧ ଜନଗଣନା ଉପରେ ଆଧାରିତ। ସେହି ଅନୁସାରେ ୨୦୦୧ ଜନଗଣନାକୁ ଭିତ୍ତି କରି ତିଆରି ହୋଇଥିବା ଜିଲ୍ଲା ଗ୍ରାମାଞ୍ଚଳ ରାସ୍ତା ଯୋଜନା(ଡିଆର୍‌ଆର୍‌ପି) ଏବଂ କୋର୍ ନେଟ୍‌ୱର୍କ ଅନୁସାରେ ଅସଂଯୋଜିତ ଜନବସତିଗୁଡ଼ିକର ପ୍ରାଥମିକତା ତାଲିକା ପ୍ରସ୍ତୁତ କରାଯାଇଥାଏ। ଏହି ପ୍ରକ୍ରିୟାରେ ପ୍ରସ୍ତୁତ ହୋଇଥିବା କୋର୍ ନେଟ୍‌ୱର୍କ ଅନୁସାରେ ୧୨ଟି ଅଣ-ଆଇଏପି ଜିଲ୍ଲାଗୁଡ଼ିକରେ ୫୦୦ରୁ ଅଧିକ ଅସଂଯୋଜିତ ଜନବସତିଗୁଡ଼ିକୁ, ୧୮ଟି ଆଇଏପି ଜିଲ୍ଲାଗୁଡ଼ିକରେ ୨୫୦ରୁ ଅଧିକ ଅସଂଯୋଜିତ ଜନବସତିଗୁଡ଼ିକୁ ଏବଂ ନକ୍ସଲ ପ୍ରଭାବିତ ୩୮ଟି ବ୍ଲକ୍‌ରେ ୧୦୦ରୁ ଅଧିକ ଅସଂଯୋଜିତ ଜନବସତିଗୁଡ଼ିକୁ ସବୁଦିନିଆ ରାସ୍ତା ଦ୍ବାରା ଜନସଂଖ୍ୟା ଭିତ୍ତିରେ ସଂଯୋଗୀକରଣ କରିବା ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ କେନ୍ଦ୍ର ସରକାର ଅନୁମୋଦନ କରିଥା’ନ୍ତି।

ଠକୁଥିବା ଠିକାଦାରଙ୍କୁ କଳା ତାଲିକାଭୁକ୍ତ କରିବାକୁ ଦାବି

ମୂଳ ପ୍ରଶ୍ନକର୍ତ୍ତା ଅନନ୍ତ ଦାସ କହିଥିଲେ, ରାଜସ୍ବ ଗ୍ରାମକୁ ଗୋଟିଏ ୟନିଟ୍‌ ଧରାଯିବା ଦ୍ବାରା ବହୁ ସମସ୍ୟା ହେଉଛି। ଗୋଟିଏ ଗୋଟିଏ ରାଜସ୍ବ ଗ୍ରାମରେ ୭/୮ ପଡ଼ା ଥିଲେ ବି ସେଠାକୁ ରାସ୍ତା ସଂଯୋଗ ହୋଇପାରୁନି। ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାର ଗାଇଡ୍‌ଲାଇନ୍ ବଦଳାଇବା ପାଇଁ କେନ୍ଦ୍ର ସହ ଆଲୋଚନା କରାଯାଉ। ସୁରେଶ ରାଉତରାୟ କହିଥିଲେ, ଖୋର୍ଦ୍ଧା ଜିଲ୍ଲାରେ ତାପଙ୍ଗଗଡ଼, ଦାରୁଠେଙ୍ଗ, ଗଙ୍ଗପଡ଼ା ପରି ଐତିହାସିକ ପୃଷ୍ଠଭୂମି ଥିବା ଗାଁକୁ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ‌େଯାଜନାରେ ତୁରନ୍ତ ରାସ୍ତା ସଂଯୋଗ କରାଯାଉ। ମୁକେଶ ମହାଲିଙ୍ଗ କହିଥିଲେ, ପିଏମ୍‌ଜିଏସ୍‌ୱାଇର ତୃତୀୟ ପର୍ଯ୍ୟାୟ ଚାଲିଲାଣି। କିନ୍ତୁ ଜିଲ୍ଲା ସର୍ଭେ ‌େକବେ ସରିବ ?

ଅତନୁ ସବ୍ୟସାଚ୍ଚୀ ନାୟକ କହିଲେ, ପିଏମ୍‌ଜିଏସ୍‌ୱାଇ ରାସ୍ତାରେ ଆଉ ଗୁଣାତ୍ମକ ମାନ ରହୁ ନାହିଁ। ବହୁ ସ୍ଥାନରେ ଠିକାଦାର କାମ ଅଧାରୁ ଛାଡ଼ି ଚାଲିଯାଉଛନ୍ତି। ଫଳରେ ୩/୪ ବର୍ଷ ଧରି ଗୋଟିଏ ଗୋଟିଏ ରାସ୍ତା କାମ ସରୁନି। ସେପରି ଠିକାଦାରଙ୍କୁ ସରକାରଙ୍କ ସବୁ ବିଭାଗରେ କଳା ତାଲିକାଭୁକ୍ତ କରାଯାଉ। ମନୋହର ରାନ୍ଧାରୀ ମଧ୍ୟ ସମାନ ଅଭିଯୋଗ କରିଥିଲେ। ଲକ୍ଷ୍ମଣ ମୁଣ୍ଡା ନିଜ ନିର୍ବାଚନମଣ୍ଡଳୀରେ ନିମ୍ନ ମାନର ରାସ୍ତା କାମ ନେଇ ଅଭିଯୋଗ କରିଥିଲେ। ଅଶୋକ ବଳ କହିଥିଲେ, ସମୟସୀମା ଭିତରେ ପିଏମ୍‌ଜିଏସ୍‌ୱାଇ ରାସ୍ତା କାମ ସରୁନି। ଯନ୍ତ୍ରୀ, ସଚିବଙ୍କ ଦୃଷ୍ଟିକୁ ଆଣିଲା ପରେ ବି କାମ ହେଉନି। ଯେତିକି କାମ ହୋଇଛି, ତାହା ବି ନିମ୍ନମାନର। ସନ୍ତୋଷ ସିଂହ ସାଲୁଜା କହିଥିଲେ, ପିଏମ୍‌ଜିଏସ୍‌ୱାଇରେ ରାସ୍ତା ପ୍ରକଳ୍ପକୁ କେନ୍ଦ୍ର ଅନୁମୋଦନ ଦେଉଥିଲେ ବି ରାଜ୍ୟରୁ ତାଲିକା ଯାଉଛି। ତେଣୁ ବାକି ରହିଯାଇଥିବା ଗାଁକୁ ତୁରନ୍ତ ରାସ୍ତା ସଂଯୋଗ ପାଇଁ ସରକାର ପଦକ୍ଷେପ ନିଅନ୍ତୁ। କୁସୁମ ଟେଟେ ଓ ମିନାକ୍ଷୀ ମହନ୍ତ ଅତିରିକ୍ତ ପ୍ରଶ୍ନ କରିଥିଲେ। ମନ୍ତ୍ରୀ ଶ୍ରୀ ସିଂହ କହିଥିଲେ, ପିଏମ୍‌ଜିଏସ୍‌ୱାଇ ରାସ୍ତା କାମର ମାନ ଯାଞ୍ଚ୍ କରିବାକୁ ତ୍ରିସ୍ତରୀୟ ଯାଞ୍ଚ୍ ବ୍ୟବସ୍ଥା କରାଯାଇଛି। ତାହା ସତ୍ତ୍ବେ ଯଦି ନିମ୍ନ ମାନର ରାସ୍ତା କାମ ହେଉଛି, ତେବେ ସେ ନେଇ ବିଧାୟକମାନେ ନିର୍ଦ୍ଦିଷ୍ଟ ଭାବେ ଲେଖିକି ଦିଅନ୍ତୁ। ଯେଉଁ ଠିକାଦାରମାନେ କାମରେ ଅବହେଳା କରୁଛନ୍ତି, ସେମାନଙ୍କୁ କଳା ତାଲିକାଭୁକ୍ତ କରିବା ପାଇଁ ପଦକ୍ଷେପ ‌ନିଆଯିବ।

By amfnews

Related Post