Sat. Nov 23rd, 2024

ପ୍ରଥମ କରି ସାବରିମାଲା ମନ୍ଦିରକୁ ପଶିଲେ ଦୁଇଜଣ ୫୦ ବର୍ଷରୁ କମ୍‌ ବୟସ୍କ ମହିଳା: କେରଳରେ ହାଇ ଆଲର୍ଟ

By amfnews Jan 2, 2019 #Featured
123 Views

ତିରୁବନନ୍ତପୁରମ, ଜାନୁୟାରୀ ୦୨: ବୁଧବାର ପ୍ରତ୍ୟୁଷରେ କେରଳର ପତନମତିତ୍ତା ଜିଲ୍ଲା ଅନ୍ତର୍ଗତ ସାବରିମାଲା ମନ୍ଦିରରେ ପ୍ରବେଶ କରି ଦୁଇ ଜଣ ୫୦ ବର୍ଷରୁ କମ୍‌ ବୟସ୍କ ମହିଳା ପୂଜାର୍ଚ୍ଚନା କରିଛନ୍ତି ବୋଲି କରୁଥିବା ଦାବିକୁ ପୁଲିସ ଅସ୍ୱୀକାର କରିଛି। ଏ କଥା ପ୍ରଘଟ ହେବା ପରେ ସମଗ୍ର ରାଜ୍ୟରେ ହାଇ ଆଲର୍ଟ ଜାରି ହୋଇଛି ଏବଂ ପୁଲିସ ମଧ୍ୟ ନିରାପତ୍ତା ବ୍ୟବସ୍ଥା କଠୋର କରିଛି।

ଋତୁମତୀ ବୟସ ଚାଲୁଥିବା ମହିଳାମାନେ ମନ୍ଦିର ମଧ୍ୟକୁ ପ୍ରବେଶ କରି ପାରିବେ ନାହିଁ ବୋଲି ଶହ ଶହ ବର୍ଷ ଧରି ଚାଲିଆସିଥିବା ନିଷିଦ୍ଧାଦେଶକୁ ଗତ ସେପ୍ଟେମ୍ବର ମାସରେ ସୁପ୍ରିମ୍‌ କୋର୍ଟ ଭାଙ୍ଗିବା ପରେ ପ୍ରଥମ କରି ସାବରିମାଲା ମନ୍ଦିର ମଧ୍ୟକୁ ଏ ଦୁଇ ଜଣ ମହିଳା ପ୍ରବେଶ କରିଛନ୍ତି। ଭକ୍ତମାନଙ୍କ ବିରୋଧ ଯୋଗୁଁ ତାଙ୍କ ପୂର୍ବରୁ ୧୦ ରୁ ୫୦ ବର୍ଷ ବୟସ୍କା ମନ୍ଦିର ମଧ୍ୟକୁ ପ୍ରବେଶ କରି ପାରି ନାହାନ୍ତି।

ବିନ୍ଦୁ ନାମ୍ନା ଜଣେ ଓକିଲ ଓ କନକଦୁର୍ଗା ନାମ୍ନା ଜଣେ ସାମାଜିକକର୍ମୀ ଏକ ନିଉଜ୍‌ ଚାନେଲ୍‌କୁ କହିଛନ୍ତି ଯେ ଭୋର୍‌ ୩ଟା ବେଳେ ସେମାନେ ପର୍ବତ ଚୂଡ଼ାରେ ଅବସ୍ଥିତ ପ୍ରଭୁ ଆୟପ୍ପାଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି। ସେମାନେ ଦାବି କରୁଛନ୍ତି ଯେ ସେମାନେ ପୁରୁଷ ପୋଷାକ ପିନ୍ଧିଥିଲେ ଏବଂ ଡଜନାଧିକ ସାଦା ପୋଷାକ ପରିହିତ ପୁଲିସ ସେମାନଙ୍କ ସାଙ୍ଗରେ ଯାଇଥିଲେ।

ଖବର ମିଳୁଛି, ଉଭୟ ଗୋଟାଏ ଆମ୍ବୁଲାନ୍‌ସ୍‌ରେ ଆସିଥିଲେ ଏବଂ ପୁଲିସ ସତର୍କତାର ସହ ସେମାନଙ୍କ ଲାଗି ବନ୍ଦୋବସ୍ତ କରିଥିଲା। ଉଭୟ ମନ୍ଦିରରେ ପୂଜାର୍ଚ୍ଚନା କରୁଥିବାର ଏକ ଫଟୋ ମଧ୍ୟ ରିଲିଜ୍‌ କରିଛନ୍ତି।

ମନ୍ଦିର ପରିଚାଳନା କରୁଥିବା ଟ୍ରାଓ୍ଵାଙ୍କୋର୍‌ ଦେବସୋମ ବୋର୍ଡର ଅଧ୍ୟକ୍ଷ ଏ ପଦ୍ମକୁମାର କହିଛନ୍ତି ସେ ଏକଥା ଗଣମାଧ୍ୟ ରିପୋର୍ଟରୁ ଜାଣିବାକୁ ପାଇଛନ୍ତି। ବୋର୍ଡ ସିସିଟିଭି ଦୃଶ୍ୟାବଳୀ ଯାଞ୍ଚ କରିବ।

ମନ୍ଦିରର ମୁଖ୍ୟ ପୂଜକ କହନ୍ତି ଘଟନା ସଂକ୍ରାନ୍ତରେ ନିଶ୍ଚିତ ହେଲେ ଯାଇ ସେ ଯାହା କହିବେ।

By amfnews

Related Post