Sat. Mar 7th, 2026

ପ୍ରଥମ କରି ସମୁଦ୍ର ମଧ୍ୟସ୍ଥ ଜାହାଜରୁ ରକେଟ୍‌ ଉତ୍‌କ୍ଷେପଣ କଲା ଚୀନ୍‌

410 Views

ବେଜିଙ୍ଗ୍‌: ବୁଧବାର ଦିନ ପ୍ରଥମ କରି ସମୁଦ୍ର ମଧ୍ୟସ୍ଥ ଜାହାଜରୁ ଚୀନ୍‌ ସଫଳତାର ସହ ରକେଟ୍‌ ଉତ୍‌କ୍ଷେପଣ କରିଥିବା କଥା ସରକାରୀ ଗଣମାଧ୍ୟମ ରିପୋର୍ଟ କରିଛି। ମଧ୍ୟାହ୍ନ ପରେ ପରେ ‘ପୀତ ସାଗର’ର ମଧ୍ୟରେ ଥିବା ଗୋଟାଏ ବିଶାଳ ଆଂଶିକ ବୁଡ଼ାଜାହାଜର ପ୍ଲାଟ୍‌ଫର୍ମ ଉପରୁ ‘ଲଙ୍ଗ୍‌ ମାର୍ଚ ୧୧’ ରକେଟ୍‌ ଉତ୍‌କ୍ଷେପିତ ହୋଇଥିଲା। ଖୁବ୍‌ ଶୀଘ୍ର ମୁତୟନ ହୋଇ ପାରିବା ଭଳି ନକ୍ସା କରାଯାଇଥିବା ଏହି କ୍ଷୁଦ୍ର ରକେଟ୍‌ଟି ଜାହାଜ ଭଳି ଭ୍ରାମ୍ୟମାଣ ଉତ୍‌କ୍ଷେପଣ ସ୍ଥଳରୁ ସାତଟି କୃତ୍ରିମ ଉପଗ୍ରହ ବହନ କରି ନେଇଛି। ସେ କୃତ୍ରିମ ଉପଗ୍ରହଗୁଡ଼ିକ ମଧ୍ୟରୁ ଗୋଟିଏ ସମୁଦ୍ର ଉପରର ବାୟୁ ମାପି ତୋଫାନ୍‌ ସମ୍ବନ୍ଧରେ ଆଗୁଆ ସୂଚନା ଦେବ।

ଚୀନ୍‌ ୧୨୫ କମ୍ପାନିର ଦୁଇଟି ଯୋଗାଯୋଗ କୃତ୍ରିମ ଉପଗ୍ରହ ମଧ୍ୟ ଉକ୍ତ ରକେଟ୍‌ଟି ନେଇ ଯାଇଛି। ଗ୍ଲୋବାଲ୍‌ ଡାଟା ନେଟ୍‌ଓ୍ଵାର୍କିଙ୍ଗ୍‌ ସେବା ଯୋଗାଇ ଦେବା ନିମନ୍ତେ ବେଜିଙ୍ଗ୍‌ର ସେ କମ୍ପାନି ଶହ ଶହ କୃତ୍ରିମ ଉପଗ୍ରହ ଉତ୍‌କ୍ଷେପଣ କରିବ ବୋଲି ଯୋଜନା କରିଛି।

ନିଜର ଉଦ୍ଦେଶ୍ୟ ନିରୋଳା ଶାନ୍ତିପୂର୍ଣ୍ଣ ବୋଲି ଚୀନ୍‌ କହୁଥିବା ବେଳେ ଯୁକ୍ତରାଷ୍ଟ୍ର ଆମେରିକାର ପ୍ରତିରକ୍ଷା ବିଭାଗ ଅଭିଯୋଗ କରିଛି କି, ସଙ୍କଟ ସମୟରେ ମହାକାଶ ଆଧାରିତ ସମ୍ବଳ ବ୍ୟବହାରରୁ ଅନ୍ୟ ଦେଶକୁ ବାଧା ଦେବା ନିମନ୍ତେ ଚୀନ୍‌ ଉଦ୍ୟମ କରୁଛି।

By amfnews

Related Post