Thu. Dec 26th, 2024

ପ୍ରଥମ ଓଡ଼ିଆ ଭାବେ ଆଇଏମଡି ମହାନିର୍ଦ୍ଦେଶକ ହେଲେ ଡ଼.ମୃତ୍ୟୁଞ୍ଜୟ ମହାପାତ୍ର

By amfnews Aug 1, 2019 #Featured
129 Views

ନୂଆଦିଲ୍ଲୀ: ‘ସାଇକ୍ଲୋନ ମ୍ୟାନ ଅଫ୍ ଇଣ୍ଡିଆ’ ଭାବେ ପରିଚିତ ଓଡ଼ିଆ ପୁଅ ମୃତ୍ୟୁଞ୍ଜୟ ମହାପାତ୍ର ଆଜି ଆଇଏମଡି( ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର)ର ମହାନିର୍ଦ୍ଦେଶକ ଭବେ ଦାୟିତ୍ୱ ନେଇଛନ୍ତି | ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରର ମହାନିର୍ଦ୍ଦେଶକ ରୂପେ ଏହି ମର୍ଯ୍ୟାଦାଜନକ ପଦରେ ସେ ୫ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିବେ। ପୂର୍ବରୁ ସାଇକ୍ଲୋନ ବାର୍ଣ୍ଣିଙ୍ଗ ଡିଭିଜନର ମୁଖ୍ୟ ରୂପେ ମତ୍ୟୁଞ୍ଜୟ ମହାପାତ୍ର ଏବଂ ତାଙ୍କର ଟିମ ଦ୍ବାରା ପ୍ରତ୍ୟେକ ଘଣ୍ଟାରେ ସୂଚନାଗୁଡ଼ିକୁ ଆକଳନ କରାଯାଇ ବାତ୍ୟାର ପୂର୍ବାନୁମାନ କରୁଥିଲେ । ବାତ୍ୟା ୫ ଦିନ ପୂର୍ବରୁ କେଉଁ ଅଞ୍ଚଳରେ ହେବ, କେଉଁଠାରେ ଲ୍ୟାଣ୍ଡଫଲ ହେବ, ବାତ୍ୟାର ତୀବ୍ରତା ସହ ଜୁଆରର ଉଚ୍ଚତା ସମ୍ପର୍କରେ ସଠିକ ବିବରଣୀ ହାସଲ କରିବା କ୍ଷେତ୍ରରେ ମୃତ୍ୟୁଞ୍ଜୟ ମହାପାତ୍ରଙ୍କର ସ୍ବତନ୍ତ୍ର ଦକ୍ଷତା ରହିଛି।

ଡ. ମହାପାତ୍ର ଭଦ୍ରକର ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ରାଜଗୁରୁପୁର ଅଞ୍ଚଳରେ ଜନ୍ମ ଗ୍ରହଣ କରିଛନ୍ତି। ସ୍ଥାନୀୟ ଅଞ୍ଚଳରେ ପ୍ରାଥମିକ ଶିକ୍ଷା ଶେଷ ପରେ ସେ ଭଦ୍ରକ କଲେଜରେ ପଦାର୍ଥ ବିଜ୍ଞାନ ଅନର୍ସ ରଖି ବିଏସସି ପାସ କରିଥିଲେ। ପରେ ବାଣୀବିହାରରେ ଏମଏସସି ପାସ ପରେ ଡିଆରଡିଓରେ ଚାକିରି ଆରମ୍ଭ କରିଥିଲେ। ସେଠାରେ ଦୁଇବର୍ଷ କାର୍ଯ୍ୟ କରିଥିଲେ। ସେଠାରୁ ସେ ଅଧ୍ୟାପନାକୁ ଫେରିଥିଲେ । ୧୯୯୨ ମସିହାରେ କିନ୍ତୁ ଆଇଏମଡିରେ ନିଯୁକ୍ତି ମିଳିଥିଲା। ଡକ୍ଟର ମହାପାତ୍ର ୧୯୯୨ରେ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ରରେ ଚାକିରି ଯୋଗ ଦେଇ ଓଡ଼ିଶାରେ କାର୍ଯ୍ୟ କରୁଥିଲେ। ୨୦୦୨ରେ ତାଙ୍କୁ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର (ଆଇଏମଡି) ଦିଲ୍ଲୀକୁ ସ୍ଥାନାନ୍ତରିତ କରାଯାଇଥିଲା।

ସେ ସାଇକ୍ଲୋନ ଵାର୍ଣ୍ଣିଂ ବିଭାଗର ମୁଖ୍ୟ ରୂପେ କାର୍ଯ୍ୟ କରି ଫାଇଲିନ୍, ତିତିଲି ଓ ଫନି ବାତ୍ୟାର ସଠିକ ପୂର୍ବାନୁମାନ କରି ଚର୍ଚ୍ଚାର କେନ୍ଦ୍ରକୁ ଆସିଥିଲେ। ଅକ୍ଟୋବର ୧୨, ୨୦୧୩ ର ଫାଇଲିନ୍ ବାତ୍ୟା, ଅକ୍ଟୋବର ୧୨, ୨୦୧୪ ହୁଡ଼ହୁଡ଼ ବାତ୍ୟା ଓ ଅକ୍ଟୋବର ୧୧, ୨୦୧୮ ର ତିତଲି ବାତ୍ୟାର ସଠିକ ଆକଳନ କରିବାରେ ସଫଳତା ହାସଲ କରିଥିଲେ। ଏହି ତିନୋଟି ପ୍ରମୁଖ ବାତ୍ୟାରେ ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ଆଗୁଆ ସୂଚନାର ଆକଳନ ସଠିକ ରହିଥିଲା ଏବଂ ତାଙ୍କ ଦ୍ବାରା ଜାରି କରାଯାଇଥିବା ସୂଚନା ଅନୁସାରେ ଅନେକ ଧନଜୀବନ ରକ୍ଷା ହୋଇପାରିଥିଲା।

By amfnews

Related Post