Sat. Mar 7th, 2026

ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ତଥା ସଙ୍ଗୀତ ପରିଚାଳକ ପୂର୍ଣ୍ଣ ଖୁଣ୍ଟିଆଙ୍କର ପରଲୋକ

272 Views

ଭୁବନେଶ୍ବର: ଓଡ଼ିଶାର ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ତଥା ସଙ୍ଗୀତ ପରିଚାଳକ ପୂର୍ଣ୍ଣ ଖୁଣ୍ଟିଆଙ୍କର ଆଜି ଭୋର ୩ଟା ସମୟରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା। ପରିବାର ପକ୍ଷରୁ ପ୍ରଦତ୍ତ ସୂଚନା ଅନୁଯାୟୀ ମିଳିଥିବା ପୂର୍ଣ୍ଣ ଖୁଣ୍ଟିଆଙ୍କର ହୃଦଘାତରେ ପରଲୋକ ଘଟିଛି। ଗତକାଲି ରାତିରେ ତାଙ୍କର ଲୋ ସୁଗାର ହେବାରୁ ତାଙ୍କୁ କଟକର ଏକ ଘରୋଇ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ତାଙ୍କର ବିଧବା ପତ୍ନୀ ଆଦିତ୍ୟପ୍ରଭା ପ୍ରସାଦ ଖୁଣ୍ଟିଆ ,ଦୁଇ ଝିଅ ଏବଂ ଜଣେ ପୁଅ ଅଛନ୍ତି।


ପୂର୍ଣ୍ଣ ଖୁଣ୍ଟିଆ ୧୯୪୭ ମସିହା ଡିସେମ୍ବର ୨୭ ତାରିଖରେ କଟକର ବକ୍ସି ବଜାରର ଯାଚକ ଲେନରେ ଜନ୍ମଗ୍ରହଣ କରିଥିଲେ। ସ୍ବର୍ଗତ ପୂର୍ଣ୍ଣ ଖୁଣ୍ଟିଆ ଶତାଧିକ ଓଡ଼ିଆ ସିନେମା ଏବଂ ବହୁ ଆଲବମରେ ସଙ୍ଗୀତ ପରିଚାଳନା କରିଥିଲେ। ସେ ଜଣେ ଦକ୍ଷ ଆକର୍ଡିଆନ୍ ବାଦକ ଓ କି ବୋର୍ଡ ବାଦକ ଭାବେ ବେଶ ପରିଚିତ ଥିଲେ। ପୂର୍ଣ୍ଣ ଖୁଣ୍ଟିଆ ‘ଟିକେ ହସ ଟିକେ ଲୁହ’ ଏବଂ ‘ମହୁଆ’ ଶୀର୍ଷକରେ ନିର୍ମିତ ଦୁଇଟି ଓଡ଼ିଆ ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ।

‘ଟିକେ ହସ ଟିକେ ଲୁହ’ ସିନେମାର ଲଳିତା ଗୋ ଶ୍ୟାମକୁ କହିଦେ ଫେରିଯାଉ… , ମୁଁ ଜାଣେନା ତୁମେ ଜାଣନା ଭଲ ପାଇବା ମାନେ…ଜୀବନର ମାନେ ଖୋଜି ମୁଁ ପାଇଛି…ଆଜି ବି ବେଶ ଲୋକପ୍ରିୟ। ସୂଚନାଯୋଗ୍ୟ ‘ଟିକେ ହସ ଟିକେ ଲୁହ’ ସିନେମାର ଲଳିତା ଗୋ ଶ୍ୟାମକୁ କହିଦେ ଫେରିଯାଉ… ଗୀତ ଲାଗି  ଭଜନ ସମ୍ରାଟ ଭିକାରି ବଳଙ୍କୁ ଶ୍ରେଷ୍ଠ ପ୍ରଚ୍ଛଦପଟ୍ଟ ଗାୟକଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମିଳିଥିଲା। ପୂର୍ଣ୍ଣ ଖୁଣ୍ଟିଆଙ୍କ ବିୟୋଗରେ ଓଡ଼ିଆ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି।

By amfnews

Related Post