Sat. Mar 7th, 2026

ପୋଷା କୁକୁର ମୃତ୍ୟୁର ପ୍ରତିଶୋଧସ୍ୱରୂପ ତିନି କଲରାପତରିଆଙ୍କୁ ବିଷ ଦେଇ ମାରିଲେ ମାଲିକ

211 Views

ହରିଦ୍ୱାର  : ଗତ ସପ୍ତାହରେ ଶିବଲିକ ରେଞ୍ଜ୍‌ରେ ତିନୋଟି କଲରାପତରିଆଙ୍କୁ ମାରିବା ଅଭିଯୋଗରେ ଗୁରୁବାର ଦିନ ବନ ବିଭାଗ ଲାଲଧଙ୍ଗ ଗାଁ’ର ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ବନ ଅଧିକାରୀମାନଙ୍କ କହିବା ଅନୁସାରେ, ଲୋକଟି ନିଜ କୁକୁର ମୃତ୍ୟୁର ପ୍ରତିଶୋଧ ନେବା ଲାଗି କଲରାପତରିଆଙ୍କୁ ମାରିଛି।

କଲରାପତରିଆମାନଙ୍କ ଶରୀର ଉପରେ କୌଣସି ଚିହ୍ନ ନ ଥିବାରୁ ଏହା ପ୍ରତିଶୋଧାତ୍ମକ ହତ୍ୟା, ଅଣୁଜୀବ କି, ଭୂତାଣୁ ସଂକ୍ରମଣ ଜନିତ ନୁହେଁ ବୋଲି ଅଧିକାରୀମାନେ ଦାବି କରିଛନ୍ତି। ଅଭିଯୁକ୍ତ ସୁଖପାଲ୍‌ ସ୍ୱୀକାର କରିଛି ଯେ କିଛି ଦିନ ତଳେ ତା’ର ଦୁଇଟି କୁକୁରରୁ ଗୋଟିକୁ କଲରାପତରିଆ ନେଇ ଯାଇଥିଲା। ଅନ୍ୟ କୁକୁରଟି ଛୁଆ। ତାକୁ ବି କଲରାପତ୍ରିଆ ଖଣ୍ଡିଆଖାବରା କରି ପକାଇଥିଲା। ଆହତ ଛୁଆର ମୃତ୍ୟୁ ହେବା ପରେ ସେ ତା’ ଦେହରେ କୀଟନାଶକ ସଞ୍ଚନ କରି ବଣରେ ପକାଇ ଦେଇ ଆସିଥିଲା।

ଅଗଷ୍ଟ ପାଞ୍ଚ ତାରିଖ ଦି ହରିଦ୍ୱାରର ଲାନ୍‌ସ୍‌ଡଓନି ଏବଂ ରାଜାଜି ବନଖଣ୍ଡରୁ ତିନୋଟି କଲରାପତରିଆଙ୍କ ଦେହ ମିଳିଥିଲା। ଏହା ପ୍ରତିଶୋଧାତ୍ମକ ହତ୍ୟା ବୋଲି ପ୍ରାଥମିକ ତଦନ୍ତରୁ ବନ ବିଭାଗ ଜାଣିପାରିଥିଲା। ବ୍ୟବଚ୍ଛେଦରୁ ଜଣାପଡ଼ିଲା ଯେ ତିନି କଲରାପତରିଆଙ୍କ ଅନ୍ତଃନଳୀରେ କୁକୁରଛୁଆର ଲୋମ ଓ ଉପାସ୍ଥି ରହିଛି। ଅର୍ଥାତ୍‌ ସେମାନଙ୍କୁ କେହି ବିଷବୋଳା ମାଂସ ଖୋଇଥିବା କଥା ଜଣାପଡ଼ିଯାଇଥିଲା।

ନର୍ସରୀ ସବୁ ବିଷାକ୍ତ କୀଟନାଶକ ବ୍ୟବହାର କରୁଛନ୍ତି ବୋଲି ଓ୍ଵାଇଲ୍‌ଡ୍‌ଲାଇଫ୍‌ ସ୍ପେସାଲ ଅପରେସନ ଗ୍ରୁପ୍‌ ଜାଣିବା ପରେ ଜାଣିଲେ ଯେ ସୁଖପାଲ୍‌ର ପତ୍ନୀ ଚୁକ୍ତିଭିତ୍ତିରେ ଗୋଟାଏ ନର୍ସରିରେ କାମ କରୁଛନ୍ତି। ସେଇଠୁ ସେମାନଙ୍କର ସନ୍ଦେହ ସୁଖପାଲ୍‌ଙ୍କ ଉପରେ ଘନୀଭୂତ ହୋଇଥିଲା। ପଚରାଉଚୁରା ପରେ ସେ ମଧ୍ୟ ସବୁ ସ୍ୱୀକାର କରିଥିଲା।

By amfnews

Related Post