Thu. Dec 26th, 2024

ପେଟ୍ରୋଲ, ଡିଜେଲ ଦର ବୃଦ୍ଧିର ପ୍ରତିବାଦ କରିବ କଂଗ୍ରେସ: ଆସନ୍ତାକାଲି ଭାରତ ବନ୍ଦ

By amfnews Sep 9, 2018 #Featured
211 Views

ଭୁବନେଶ୍ୱର, ୦୯ସେପ୍ଟେମ୍ବର :

କେନ୍ଦ୍ର ସରକାର କଠୋର ଟିକସ ଲାଗୁ କରିବା ଦ୍ୱାରା ପେଟ୍ରୋଲ , ଡିଜେଲ ଓ ଇନ୍ଧନ ଗ୍ୟାସର ମୂଲ୍ୟ ଆକାଶଛୁଆଁ ହାଇଛି । ଏହାର ପ୍ରତିବାଦରେ ଆସନ୍ତାକାଲି କଂଗ୍ରେସ ଦଳ ପକ୍ଷରୁ ଦେଶବ୍ୟାପୀ ଭାରତ ବନ୍ଦ ଡାକରା ଦିଆଯାଇଛି । ଓଡିଶାରେ ଏହାକୁ ସଫଳ କରିବାପାଇଁ ରାଜ୍ୟ କଂଗ୍ରେସ ପକ୍ଷରୁ ସକଳା ୬ ଟାରୁ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯିବ । ଏଥିରେ ବହୁ ରାଜନୈତିକ ଦଳ ସାମିଲ ହେବେ ବୋଲି ପିସିସି ସଭାପତି ଶ୍ରୀ ନିରଂଜନ ପଟ୍ଟନାୟକ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷରେ ବିଜେଡି ଦଳକୁ ଟାର୍ଗେଟ୍ କରି ସେ କହିଛନ୍ତି ଯେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପ୍ରତିବାଦରେ ଗତ ୭ ତାରିଖରୁ ତିନିଦିନିଆ ଆନ୍ଦେଳନ ଚଳାଇଛନ୍ତି । ଏହା ବିଜେଡିର ସାଙ୍କେତିକ ଆନ୍ଦୋଳନ । ଯଦି ରାଜ୍ୟବାସୀଙ୍କ ପାଇଁ ନବୀନଙ୍କର ଦରଦ ରହିଛି ତେବେ ଶୁକ୍ରବାର ଭଳି ଆସନ୍ତାକାଲି ମଧ୍ୟ ବିଧାନସଭାକୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୁଲତବୀ ରଖନ୍ତୁ ବୋଲି ପିସିସି ସଭାପତି ଆହ୍ୱାନ ଦେଇଛନ୍ତି । କଂଗ୍ରେସ ଦଳର ବିଧାୟକ ମାନେ ବିଧାନସଭା ଯିବେନାହିଁ ବୋଲି ସେ କହିଛନ୍ତି ।

ବିଧାନସଭାକୁ ଯିବେନି ଦଳୀୟ ବିଧାୟକ

ବନ୍ଦ ଡାକରାରେ ସାମିଲ ହେବାକୁ ବିଜେଡିକୁ ପିସିସି ସଭାପତିଙ୍କ ଆହ୍ୱାନ

ରବିବାର ଏଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଟ୍ଟନାୟକ କହିଲେ ଯେ ବିଜେପି ସରକାର କ୍ଷମତାକୁ ଆସିବା ପରେ ଦେଶରେ ଅଚ୍ଛେଦିନ୍ ଆଣିବେ ବୋଲି କହିଥିଲେ । ମାତ୍ର ତାର ଓଲଟା ଲୋକଙ୍କୁ ଶୋଷଣ କରାଯାଉଛି । ପେଟ୍ରୋଲ , ଡିଜେଲ ଉପରେ ଟିକସ ଲଗାଇ ୫୨ ମାସ ମଧ୍ୟରେ ୧୧ ଲକ୍ଷ କୋଟି ଟଙ୍କା ଲୋକଙ୍କ ଠାରୁ ଲୁଟ୍ କରିନେଇଛନ୍ତି । ନିର୍ବାଚନ ପୂର୍ବରୁ ବିଜେପିର ସ୍ଲୋଗାନ ଏବେ ସାଧାରଣ ଲୋକଙ୍କ ପାଇଁ ପରିହାସ ପାଲଟିଛି । କେବଳ ସେତିକି ନୁହେଁ ମଧ୍ୟମ ଓ ସାଧାରଣ ବର୍ଗର ଲୋକ ,ଚାଷୀ ଓ କ୍ଷୁଦ୍ର ବ୍ୟବସାୟୀ ଏହାର ମାତ୍ରାଧିକ ବୋଝ ବହନ କରିଛନ୍ତି । ୨୦୧୪ -୧୬ରେ ଅଶୋଧିତ ତୈଳ ମୂଲ୍ୟ ବ୍ୟାରେଲ ପିଛା୧୦୭.୯ ଡଲାର ରହିଥିବା ବେଳେ ବର୍ତମାନ ଏହା ୭୩ ଡଲାର ରହିଛି । ଯାହା ୟୁପିଏ ସରକାର ସମୟରେ ଥିବା ମୂଲ୍ୟର ୪୦ ପ୍ରତିଶତ । ସେତେବେଳେ ପେଟ୍ରୋଲ ଦର ୭୧.୪୧ ଟଙ୍କା ଓ ଡିଜେଲ ଦର ୫୫.୪୯ଟଙ୍କ ଥିଲା । ଏବେ ପେଟ୍ରୋଲ ଦର ୭୯.୫୧ରେ ପହଂଚିଥିବା ବେଳେ ଡିଜେଲ ଦର ୭୧.୫୫ଟଙ୍କା ରହିଛି ।

ସେହିପରି ୨୦୧୪ ମେ ମାସ ଠାରୁ ପେଟ୍ରୋଲ ଉପରେ ଉତ୍ପାଦନ ଶୁଳ୍କ ୨୧୧.୭ ପ୍ରତିଶତ ବୃଦ୍ଧି କରାଯାଇଛି ।ସେହିସମୟରେ ସେତେବେଳେ ପେଟ୍ରୋଲ ଲିଟର ପିଛା ଶୁଳ୍କ ୯ଟଙ୍କା ୨ ପଇସା ଥିବା ବେଳେ ବର୍ତମାନ ୧୯ଟଙ୍କା ୪୮ ପଇସା ଆଦାୟ କରାଯାଇଛି । ଡିଜେଲ ଉପରୁ ଉତ୍ପାଦନ ଶୁଳ୍କ ୪୪୩.୦୬ ପ୍ରତିଶତ ବୃଦ୍ଧି ପାଇଛି । ୨୦୧୪ ୩ ଟଙ୍କା ୪୬ ପଇସା ଥିବା ବେଳେ ବର୍ତମାନ ଡିଜେଲ ଉପରୁ ୧୫ ଟଙ୍କା ୩୩ ପଇସା ଆଦାୟ କରାଯାଉଛି । ବିଜେପି ସରକାର ଆସିବା ପରେ ଉତ୍ପାଦନ ଶୁଳ୍କ ୧୨ ଥର ବୃଦ୍ଧି କରାଯାଇଛି । ଇନ୍ଧନ ଲଉଟ୍ ପାଇଁ ଦେଶବାସୀ ମୋଦି ସରକାରକୁ କ୍ଷମା ଦେବେ ନାହିଁ ଏବଂ ଆଗାମୀ ଦିନରେ ଉପଯୁକ୍ତ ଜବାବ ଦେବେ । ଅନ୍ୟପକ୍ଷରେ ଇନ୍ଧନ ଗ୍ୟାସ୍ ସିଲିଣ୍ଡର ଅଣ ସବସିଡି ୪୧୪ ଟଙ୍କା ଥିବା ବେଳେ ୨୦୧୮ରେ ଏହା ୭୫୪କୁ ବୃଦ୍ଧି ପାଇଛି । ସିଲିଣ୍ଡର ପିଛା ୩୪୦ ଟଙ୍କା ବୃଦ୍ଧି ପାଇଛି । ସେହିପରି ସବସିଡି ସିଲିଣ୍ଡର ମୂଲ୍ୟ ୪୧୨ରୁ ୪୯୬ ଟଙ୍କାକୁ ବୃଦ୍ଧି ପାଇଛି । ତେଣୁ ଲୋକଙ୍କୁ ଏଥିରୁ ମୁକ୍ତି ଦେବାକୁ ହେଲେ ପେଟ୍ରୋଲ , ଡିଜେଲ ଓ ଗ୍ୟାସକୁ ଜିଏସଟି ଅନ୍ତଭୁୁକ୍ତ କରାଯାଉ ବୋଲି ସେ ଦାବି କରିଛନ୍ତି । ଅର୍ଥମନ୍ତ୍ରୀ ବର୍ଦ୍ଧିତ ମୂଲ୍ୟ ହ୍ରାସ କରିବାପାଇଁ ମନା କରିଛନ୍ତି ।

ଅପରପକ୍ଷରେ ରାଜ୍ୟ ସରକାର ମଧ୍ୟ ପେଟ୍ରୋଲ ଡିଜେଲ ଉପରୁ ଟିକସ ଛାଡ୍ କରୁନାହାନ୍ତି । ରାଜ୍ୟ ସରକାର ୨୦୧୪ ରେ ୨୮୬୪ କୋଟି ଟଙ୍କାର ଟିକସ ହାସଲ କରିଥିବା ବେଳେ ୨୦୧୮ ରେ ୬୯୦୦ କୋଟି ଟଙ୍କା ପାଇଛନ୍ତି । ଯାହା ୧୪୪ ପ୍ରତିଶତ ବୃଦ୍ଧି ପାଇଛି । ପେଟ୍ରୋଲ ବ୍ୟବହାର ୪୦ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ରାଜ୍ୟ ସରକାର ୧୨ ହଜାର କୋଟି ଟଙ୍କାର ଶୁଳ୍କ ସଂଗ୍ରହ କରିଛନ୍ତି । ତେଣୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଟିକସ ହ୍ରାସ କଲେ ପେଟ୍ରୋଲ ଡିଜେଲ ଦର ହ୍ରାସ ପାଇବ ବୋଲି ସେ କହିଥିଲେ ।

By amfnews

Related Post