Thu. Dec 26th, 2024

ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଥିବା ଷ୍ଟେସନ ଓ ଚଳାଚଳ କରୁଥିବା ଟ୍ରେନଗୁଡ଼ିକରେ କମୁଛି ବୁଲା ବିକାଳିଙ୍କ ପ୍ରାଦୁର୍ଭାବ

By amfnews Oct 31, 2019 #Featured
115 Views

ଭୁବ‌ନେଶ୍ବର : ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଥିବା ଷ୍ଟେସନ ଓ ଚଳାଚଳ କରୁଥିବା ଟ୍ରେନଗୁଡ଼ିକରେ ଅଣସ୍ୱୀକୃତିପ୍ରାପ୍ତ ଫେରିବାଲା/ବୁଲା ବିକାଳିଙ୍କ ଦ୍ୱାରା ବିକ୍ରୟ କରାଯାଉଥିବା ସାମଗ୍ରୀ ବାରଣ ଓ ଅନ୍ୟ କାର୍ଯ୍ୟକଳାପ ଉପରେ ଅଙ୍କୁଶ ଲଗାଯାଇପାରିଛି। ଦୁଇଟି ପର୍ଯ୍ୟାୟରେ ବ୍ୟାପକ ସଫଳତା ମିଳିଥିବା ବେଳେ ନଭେମ୍ବର ମାସରେ ତୃତୀୟ ପର୍ଯ୍ୟାୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେବ ‌ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।

ପୂର୍ବତଟ ରେଳପଥ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଦ୍ୱାରା ଟ୍ରେନ ଓ ଷ୍ଟେସନଗୁଡ଼ିକରେ ଅଣସ୍ୱୀକୃତିପ୍ରାପ୍ତ ଭେଣ୍ଡରଙ୍କ ସଂଖ୍ୟା ବହୁ ପରିମାଣରେ ହ୍ରାସ ପାଇଛି। ୨୦୧୮ରେ ଅଣସ୍ୱୀକୃତିପ୍ରାପ୍ତ ଭେଣ୍ଡରଙ୍କ ସଂଖ୍ୟା ୪୭୪୨ ରହିଥିଲା। ୨୦୧୭ରେ ୫୨୫୦ ଥିଲା। ତେବେ ୨୦୧୯ ଜୁନରୁ ସେପ୍ଟେମ୍ବର ମାସ ମଧ୍ୟରେ କଡ଼ା କାର୍ଯ୍ୟାନୁଷ୍ଠାନ ଦ୍ବାରା ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଅଣସ୍ୱୀକୃତିପ୍ରାପ୍ତ ଭେଣ୍ଡରଙ୍କ ସଂଖ୍ୟା ୧୪୫୧କୁ ହ୍ରାସ ପାଇଛି। ଦୃଢ଼ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଯାତ୍ରୀମାନେ ଏବେ ଟ୍ରେନରେ ସ୍ବଚ୍ଛତା ଅନୁଭବ କରୁଛନ୍ତି। ଟ୍ରେନ ମଧ୍ୟରେ ବୁଲା ବିକାଳିଙ୍କ ଦ୍ୱାରା ସୃଷ୍ଟି ହେଉଥିବା ଅଳିଆ ଆବର୍ଜନା ଦୂର କରାଯାଇଛି। ଚଳପ୍ରଚଳ ପାଇଁ ଯାତ୍ରୀମାନଙ୍କୁ ଟ୍ରେନ ମଧ୍ୟରେ ଅଧିକ ଜାଗା ମିଳୁଛି। ଚୋରି ଓ ଛିନତାଇ ଘଟଣା ହ୍ରାସ ପାଇଛି। ଟ୍ରେନରେ ଅପରାଧିକ କାର୍ଯ୍ୟକଳାପ ହ୍ରାସ ଘଟିଥିବା ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି।

ପୂଜା ଛୁଟି ପରେ ଅଣସ୍ୱୀକୃତିପ୍ରାପ୍ତ ବୁଲାବିକାଳିଙ୍କ କାର୍ଯ୍ୟକଳାପ ବୃଦ୍ଧି ପାଇବା ଆଶଙ୍କା କରି କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଉଭୟ ବାଣିଜ୍ୟିକ ଓ ରେଳବାଇ ସୁରକ୍ଷା ବଳକୁ ନିର୍ଦେଶ ଦିଆଯାଇଛି। ପୂର୍ବତଟ ରେଳପଥର ପ୍ରମୁଖ ସୁରକ୍ଷା ଆୟୁକ୍ତ ରାଜା ରାମଙ୍କ ନେତୃତ୍ୱରେ ଏହି କାର୍ଯ୍ୟାନୁଷ୍ଠାନକୁ ବ୍ୟାପକ କରାଯାଇଛି। ଯାତ୍ରୀ ଭିଡ଼କୁ ଦୃଷ୍ଟିରେ ରଖି ଅଣ ସ୍ୱୀକୃତିପ୍ରାପ୍ତ ବୁଲାବିକାଳିମାନେ ଖାଦ୍ୟ ଦ୍ରବ୍ୟ, ବହି ଓ ପତ୍ରିକା ସହିତ ଖେଳନା ବିକ୍ରି କରିବାର କାର୍ଯ୍ୟକଳାପ ବୃଦ୍ଧି ପାଇବା ଆଶଙ୍କା କରାଯାଉଛି। ଏହାକୁ ପ୍ରତିହତ କରିବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ତୃତୀୟ ପର୍ଯ୍ୟାୟ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ନିଷ୍ପତ୍ତି ନିଆଯାଇଛି। ଟ୍ରେନ ଯାତ୍ରା ସମୟରେ ଅଣସ୍ୱୀକୃତିପ୍ରାପ୍ତ ଫେରିବାଲାଙ୍କ କାର୍ଯ୍ୟକଳାପ କିମ୍ବା ଯାତ୍ରୀମାନଙ୍କ ସୁରକ୍ଷା ଓ ନିରାପତ୍ତା ପାଇଁ ରେଳବାଇ ସୁରକ୍ଷା ହେଲ୍ପଲାଇନ ନମ୍ବର ‘୧୮୨’ କୁ ଜଣାଇବାକୁ ପୂର୍ବତଟ ରେଳପଥ ପକ୍ଷରୁ ସାଧାରଣ ଜନତା ଓ ରେଳଯାତ୍ରୀମାନଙ୍କୁ ଅନୁରୋଧ କରାଯାଇଛି।

By amfnews

Related Post