Thu. Dec 26th, 2024

ପୂର୍ବତଟ ରେଳପଥରୁ ହଟିଲା ପୁରୁଣା ସାଙ୍କେତିକ ବ୍ୟବସ୍ଥା

By amfnews Jan 31, 2019 #Featured
150 Views

ଭୁବନେଶ୍ବର , ଜାନୁଆରୀ ୩୧  : ପୂର୍ବତଟ ରେଳପଥରେ ଏକ ଗୁରୁତ୍ୱପୂର୍ଣ ନବୀକରଣ କାର୍ଯ୍ୟ ହାତକୁ ନିଆଯାଇଛି। ରେଳପଥର ଶେଷ ଯାନ୍ତ୍ରିକ(ହାତ ଭଳି ଦୃଶ୍ୟମାନ) ସାଙ୍କେତିକ ବ୍ୟବସ୍ଥାକୁ ଅପସାରଣ କରାଯାଇ ନୂତନ ରଙ୍ଗିନ ଆଲୋକ ସାଙ୍କେତିକ ବ୍ୟବସ୍ଥା କରାଯାଉଛି। ଏହି ବ୍ୟବସ୍ଥାକୁ ‘ସେମାଫୋର’ ସଙ୍କେତ ବ୍ୟବସ୍ଥା ବୋଲି କୁହାଯାଏ। ରେଳପଥର ଶେଷ ସେମାଫୋର ବ୍ୟବସ୍ଥା ଓଡ଼ିଶାର ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ନିକଟସ୍ଥ ତୁରେଇକେଲା ରୋଡ୍‌ ଷ୍ଟେସନ୍‌ରେ ରହିଛି। ଯାହାକୁ ବୁଧବାର ଓ ଗୁରୁବାର ମଧ୍ୟରେ ନୂତନ ସାଙ୍କେତିକ ବ୍ୟିବସ୍ଥା ଦ୍ୱାରା ଅପସାରିତ କରାଯିବ।

ଟିଟିଲାଗଡ଼-ରାଇପୁର ରେଳ ସେକ୍ସନରେ ଟିଟିଲାଗଡ଼ଠାରୁ ପ୍ରାୟ ୫୦ କିମି ଦୂରରେ ଏହା ଅବସ୍ଥିତ। ଗତ ବର୍ଷକ ମଧ୍ୟରେ ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରୁ ୮ଟି ଷ୍ଟେସନ୍‌ରୁ ପୂର୍ବ ପ୍ରଚଳିତ ସାଙ୍କେତିକ ବ୍ୟବସ୍ଥାକୁ ଅପସାରଣ କରିସାରିଛି। ସେଗୁଡ଼ିକ ହେଲା ଲଖନା, ଖରିଆର ରୋଡ୍‌, ନୂଆପଡ଼ା ରୋଡ୍‌, ଭୀମଖୋଜ, ବାଗବାହାରା, କୋମାଖାନ, ହରିଶଙ୍କର ରୋଡ୍‌, ତୁରେଇକେଲା ରୋଡ୍‌। ଏହି ସମସ୍ତ ଷ୍ଟେସନଗୁଡ଼ିକ ଟିଟିଲାଗଡ଼-ରାଇପୁର ରେଳସେକ୍ସନରେ ରହିଛି। ପୂର୍ବ ପ୍ରଚଳିତ ସାଙ୍କେତିକ ବ୍ୟବସ୍ଥା ପରିବର୍ତ୍ତେ ବହୁମୁଖୀ ରଙ୍ଗିନ ଆଲୋକ ସାଙ୍କେତିକ ବ୍ୟବସ୍ଥା ବହୁ ଉନ୍ନତମାନର। ଏହା ଟ୍ରେନ୍‌ ଚାଳକଙ୍କୁ ବହୁ ବ୍ୟବଧାନରୁ ଦୃଶ୍ୟମାନ ହେବ। ଫଳରେ ନିରାପତ୍ତା ସହ ଟ୍ରେନ୍‌ ପରିଚାଳନା କ୍ଷେତ୍ରରେ ଏହା ସହାୟକ ହେବ। ଏହାବ୍ୟତୀତ ବିଦ୍ୟୁତ ସର୍କିଟ ଯୋଗୁଁ ବିଫଳତା ପ୍ରତି ନଜର ଦେବା ସହିତ ଇଣ୍ଟରଲକିଂ ଓ ନିରାପତ୍ତା ସମ୍ବନ୍ଧୀୟ ଅନ୍ୟାନ୍ୟ ତ୍ରୁଟି ବିଷୟରେ ଅବଗତ କରାଇଥାଏ। ଯାହାକି ପୂର୍ବ ସାଙ୍କେତିକ ବ୍ୟବସ୍ଥା ଠାରୁ ଅଧିକ ଉନ୍ନତ ଅଟେ।

By amfnews

Related Post