ରାଉରକେଲା, ୨୬/୮: ରାଉରକେଲା ପୁଲିସ୍ ଓ ରାଉରକେଲା ଅବକାରୀ ବିଭାଗ ପକ୍ଷରୁ ମିଳିତ ଭାବେ ଏକ ବେଆଇନ୍ ମଦ ଭାଟି ଉପରେ ଚଢଉ କରାଯାଇଛି । ଚଢଉ ବେଳେ ପ୍ରାୟ ଲକ୍ଷାଧିକ ଟଙ୍କାର ମହୁର ପୋଚ ଓ ମଦ ପ୍ରସ୍ତୁତି ପାଇଁ ଆବଶ୍ୟକୀୟ ସରଞ୍ଜାମ ଜବତ କରାଯାଇଛି । ମଦ ମାଫିଆମାନେ ଫେରାର୍ ହୋଇଯାଇଛନ୍ତି ।
ଝାଡଖଣ୍ଡ ସଂଲଗ୍ନସ୍ଥ ଜରେଇକେଲା ଅଞ୍ଚଳରେ ବେଆଇନ୍ ଭାବେ ଦେଶୀ ଚୋରା ମଦ ପ୍ରସ୍ତୁତ ହେଉଥିବା ଅବକାରୀ ବିଭାଗ ନିକଟରେ ଅଭିଯୋଗ ହୋଇଥିଲା । ମାଓ ଉପଦ୍ରୁତ ଅଞ୍ଚଳରେ ଏଭଳି ବେଆଇନ୍ ମଦ କାରଖାନା ଚାଲିଥିଲା । ତେଣୁ ବିଶ୍ରା ପୁଲିସ୍ ଓ ରାଉରକେଲା ଅବକାରୀ ବିଭାଗ ଇନିସ୍ପେକ୍ଟର ମିହିର କୁମାର ସେଠୀ ଓ ଏସ୍.କେ. ଧଳସାମନ୍ତଙ୍କ ନେତୃତ୍ୱରେ ସମ୍ପୃକ୍ତ ଅଞ୍ଚଳରେ ଚଢଉ କରାଯାଇଥିଲା । ତେବେ ଚଢଉ ସମ୍ପର୍କରେ ଆଗୁଆ ଖବର ପାଇ ମଦ ମାଫିଆମାନେ ଚମ୍ପଟ ମାରିଥିଲେ ।
ଘଟଣାସ୍ଥଳରୁ ମଦ ତିଆରି ପାଇଁ ଗଚ୍ଛିତ ୨୮୫୦ କେଜି ମହୁଲ ପୋଚ ଜବତ କରାଯାଇଛି । ମଦ ପ୍ରସ୍ତୁତି ପାଇଁ ଆବଶ୍ୟକୀୟ ବିଭିନ୍ନ ସରଞ୍ଜାମ ସହ ୨୨ଟି ବଡ ପ୍ଲାଷ୍ଟିକ୍ ଡ୍ରମ୍ ଜବତ କରାଯାଇଛି । ଏହାର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।