Fri. Jan 10th, 2025

ପୁରୀରେ ଆଲୋଡ଼ନ : ପୁଲିସ କ୍ବାର୍ଟର୍ସରେ ନାବାଳିକାଙ୍କୁ ଗଣଦୁଷ୍କର୍ମ

By amfnews Dec 3, 2019 #Featured
99 Views

ପୁରୀ : ହାଇଦ୍ରାବାଦରେ ଜଣେ ଡାକ୍ତରାଣୀଙ୍କୁ ଗଣଦୁଷ୍କର୍ମ ପରେ ପୋଡ଼ି ହତ୍ୟା ଘଟଣାକୁ ନେଇ ସାରା ଦେଶରେ ତୀବ୍ର ଆଲୋଡ଼ନ ସୃଷ୍ଟି ହୋଇଥିବାବେଳେ ଆଜି ପୁରୀ ସହରରେ ମଧ୍ୟ ଏଭଳି ଏକ ଜଘନ୍ୟ ଘଟଣା ଘଟିଛି। ଜଣେ କନେଷ୍ଟବଳ ଓ ତା’ର କିଛି ସହଯୋଗୀ ଜଣେ ନାବାଳିକାଙ୍କୁ ନିମାପଡ଼ାରୁ ପୁରୀ ଆଣି ପୁଲିସ କ୍ବାର୍ଟର୍ସରେ ଗଣଦୁଷ୍କର୍ମ କରିଥିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ନିମାପଡ଼ା ବସଷ୍ଟାଣ୍ଡ୍‌ରୁ ଗାଁ’ରେ ଛାଡ଼ିଦେବାକୁ କହି ଜଣେ ନାବାଳିକାଙ୍କୁ କାର୍‌ରେ ଉଠାଇ ଆଣି ଏଠାରେ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ପୀଡ଼ିତା ଜଣକ ଏଭଳି ଅଭିଯୋଗ କରିବା ପରେ କୁମ୍ଭାରପଡ଼ା ଥାନା ପୁଲିସ ଜିତେନ୍ଦ୍ର ‌ସେଠୀ ଓରଫ୍ ଜିତୁ ନାମକ ଅଭିଯୁକ୍ତ କନେଷ୍ଟବଳକୁ ପୁଲିସ କ୍ବାର୍ଟର୍ସରୁ ଥାନାକୁ ଆଣି ପଚରାଉଚରା କରୁଛି। ରାତିରେ ତାର ଅନ୍ୟ ୪ ଜଣ ସହଯୋଗୀଙ୍କୁ ମଧ୍ୟ ପୁଲିସ ଥାନାରେ ଆଣି ଅଟକ ରଖିଛି। ଜଣେ ଡିଏସ୍‌ପି ପୀଡ଼ିତାଙ୍କ ବୟାନ ରେକର୍ଡ କରିବା ସହ ଡାକ୍ତରୀ ମାଇନା କରିଛି। ଏ ନେଇ ଏକ ଗଣଦୁଷ୍କର୍ମ ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷରେ ଅଭିଯୁକ୍ତ କନେଷ୍ଟବଳ ଜଣକ ପୂର୍ବରୁ ଚାକିରିରୁ ବହିଷ୍କୃତ ହୋଇଥିବା ଜଣାପଡ଼ିଛି। ପୁରୀ ଏସ୍‌ପି ଉମାଶଙ୍କର ଦାଶ ଏହି ମାମଲାକୁ ପ୍ରତ୍ୟକ୍ଷ ଭାବେ ତଦନ୍ତ କରୁଥିବା ବେଳେ କେନ୍ଦ୍ରାଞ୍ଚଳ ଡିଆଇଜି ଆଶିଷ ସିଂହ ମଧ୍ୟ କୁମ୍ଭାରପଡ଼ା ଥାନ‌ାରେ ପହଞ୍ଚି ତଦନ୍ତର ତଦାରଖ କରୁଛନ୍ତି। ଏ ନେଇ ଆଇପିସିର ଧାରା ୩୭୬(ଜି) ଓ ପୋ‌କ୍‌ସୋ ଆଇନ୍‌ରେ ମଧ୍ୟ ମାମଲା (କେସ୍‌ ନଂ-୩୦୮/୨୦୧୯) ରୁଜୁ ହୋଇଛି।

ଅଭିଯୁକ୍ତ କନେଷ୍ଟବଳ ଜିତେନ୍ଦ୍ର ସେଠୀ

କାକଟପୁର ଅଞ୍ଚଳର ଏହି ନାବାଳିକାଙ୍କ କହିବା ଅନୁଯାୟୀ ଆଜି ଅପରାହ୍ଣ ପ୍ରାୟ ୨ଟା ବେଳେ ସେ ଭୁବନେଶ୍ବରରୁ ନିଜ ଗାଁ’କୁ ଫେରୁଥିଲେ। ତାଙ୍କ ବସ୍‌ ନିମାପଡ଼ା ବସ୍‌ଷ୍ଟାଣ୍ଡରେ ଅଟକିବା ପରେ ଭୋକ ହେବାରୁ ସେଠାରେ ଓହ୍ଲାଇ ହୋଟେଲରୁ ଆଳୁଦମ ଓ ଦହିବରା ଖାଇଥିଲେ। ମାତ୍ର ଏହି ସମୟରେ ତାଙ୍କ ବସ୍‌ଟି ଚାଲି ଯାଇଥିଲା। ତେଣୁ ସେ ଅନ୍ୟ ଏକ ବସ୍‌ରେ ଯିବା ପାଇଁ ସେଠାରେ ଅପେକ୍ଷା କରିଥିବା ବେଳେ ଜି‌ତୁ ସେଠାରେ ପହଞ୍ଚି ତାଙ୍କୁ କୁଆଡ଼େ ଯିବ ବୋଲି ପଚାରିଥିଲା। ଯୁବତୀ ଜଣକ ନିଜ ଗାଁ’ କାକଟପୁରକୁ ଯିବା ପାଇଁ କହିବାରୁ ସେ ଛାଡ଼ିଦେବ ବୋଲି କହିଥିଲା। ନାବାଳିକା ପ୍ରଥମେ ତାଙ୍କୁ ଅବିଶ୍ବାସ କରି ଯିବାକୁ ଅମଙ୍ଗ ‌ହେବାରୁ ଜିତୁ ନିଜର ପୁଲିସ ପରିଚୟପତ୍ର ଦେଖାଇ ବିଶ୍ବାସ ଜନ୍ମାଇଥିଲା। ଏହାପରେ ଏକ ଲାଲ ରଙ୍ଗର କାର୍‌ରେ ଛାଡ଼ିଦେବ ବୋଲି କହିବାରୁ ନାବାଳିକା ବିଶ୍ବାସ କରି ଉକ୍ତ କାର୍‌ରେ ବସିଥିଲେ। କାର୍‌ରେ ଜିତୁ ସହିତ ଚାରି ଜଣ ଯୁବକଙ୍କୁ ଦେଖି ସେ ଭୟଭୀତ ହେବାରୁ ସେମାନେ ତାଙ୍କୁ ଗାଁ’ରେ ଛାଡ଼ିଦେଇ ଚାଲିଯିବେ ବୋଲି କହିଥିଲେ। ତେବେ ସେମାନେ ତାଙ୍କୁ ପୁରୀରେ ଥିବା ଜିତୁର ପୁଲିସ କ୍ବାର୍ଟର୍ସକୁ ନେଇଯାଇଥିଲେ। ପୁଲିସ କନେଷ୍ଟବଳ ଥିବା ଜିତୁର ପତ୍ନୀ ସେତେବେଳେ ଡିଉଟି ଯାଇଥିଲେ। ଏହି ସମୟରେ କ୍ବାର୍ଟର୍ସରେ ଜିତୁର ପୁଅ ଶୋଇଥିଲା। ତେଣୁ ପୁଅ ଶୋଇଥିବା ରୁମ୍‌ର କବାଟ ବନ୍ଦ କରି ପାଖ ରୁମ‌୍‌ରେ ଜିତୁ ଏହି ନାବାଳିକାଙ୍କୁ ନେଇ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲା। ଏହି ସମୟରେ ଅନ୍ୟ ଦୁଇ ଜଣ ବାହାରେ ଜଗି ରହିଥିବା ବେଳେ ଜିତୁର ଅନ୍ୟ ଜଣେ ସହଯୋଗୀ ମଧ୍ୟ ଦୁଷ୍କର୍ମ କରିଥିଲା ବୋଲି ନାବାଳିକା ଅଭିଯୋଗ କରିଛନ୍ତି। ଏହାପରେ ସେମାନେ ତାଙ୍କୁ ଉକ୍ତ ରୁମ୍‌ରେ ବନ୍ଦ କରି ବାହାରକୁ ଚାଲି ଯାଇଥିଲେ। ଏହାର ସୁଯୋଗ ନେଇ ସେ ପାଖରେ ଥିବା ଲୋକମାନଙ୍କୁ ଡାକି ସେଠାରୁ ଖସି ଆସିଥିଲେ ଏବଂ କୁମ୍ଭାରପଡ଼ା ଥାନାରେ ଅଭିଯୋଗ କରିଥିଲେ।

ପୀଡ଼ିତା ନାବାଳିକା ଜଣକ ନିଜ ମୋବାଇଲରେ ଗଣଦୁଷ୍କର୍ମର ପ୍ରମାଣ ରଖିଥିବା କହିଛନ୍ତି। କେବଳ ଏତିକି ନୁହେଁ; କୌଶଳକ୍ରମେ ଜିତେନ୍ଦ୍ରର ମନିପର୍ସଟିକୁ ମଧ୍ୟ ସେ ଆଣି ପୁଲିସ ଜିମାରେ ଦେଇଛନ୍ତି। ପୁଲିସକୁ ସୂଚନା ଦେଇ ସେ କହିଛନ୍ତି ଯେ ଯେଉଁ ସମୟରେ ଜିତେନ୍ଦ୍ର ତାଙ୍କ ସହ ଦୁଷ୍କର୍ମ କରୁଥିଲା, ସେ ନିଜ ମୋବାଇଲରେ କୌଶଳକ୍ରମେ ଏହାର ଭିଡିଓ ସୁଟିଂ କରି ନେଇଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ଗଣଦୁଷ୍କର୍ମ ମାମଲା ରୁଜୁ କରି ଯୁବତୀଙ୍କ ବୟାନ ରେକର୍ଡ କରିଥିଲା। ସିଟି ଡିଏସ୍‌ପି କ୍ଷୀରସାଗର ନାୟକଙ୍କ ନେତୃତ୍ବରେ କୁମ୍ଭାରପଡ଼ା ଥାନା ଆଇଆଇସି କୁଳମଣି ସେଠୀ ପୁଲିସ କ୍ବାର୍ଟର୍ସରେ ପହଞ୍ଚି ଅଭିଯୁକ୍ତ ଜିତୁକୁ ଥାନାକୁ ଉଠାଇ ଆଣିଥିଲେ। ପରେ ପରେ ଅନ୍ୟ ୪ ଜଣ ମଧ୍ୟ ପୁଲିସ ହାତରେ ଧରା ପଡ଼ିଯାଇଥିଲେ।

ତେବେ ଚାରି ଜଣ ଯୁବକ ବସିଥିବା କାର୍‌ରେ ନାବାଳିକା ଜଣକ କାହିଁକି ବସିଥିଲେ ଏବଂ କାକଟପୁରକୁ ଯିବା ପରିବର୍ତ୍ତେ ଜିତେନ୍ଦ୍ରର କ୍ବାର୍ଟର୍ସକୁ କାହିଁକି ଯାଇଥିଲେ ଏହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ସେହିପରି ପୁଲିସ କ୍ବାର୍ଟର୍ସର ଗୋଟିଏ ରୁମ‌୍‌ରେ ଜିତେନ୍ଦ୍ରର ପୁଅ ଶୋଇଥିବା ବେଳେ ଦୁଷ୍କର୍ମ ସମୟରେ ସେ ଚିତ୍କାର କରିଥିଲେ କି ନାହିଁ ତା’କୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। ଏହି କ୍ବାର୍ଟର୍ସ ପାଖରେ ଥିବା ଅନ୍ୟ କ୍ବାର୍ଟର୍ସର ଲୋକମାନେ କିପରି ଏହି ପୀଡ଼ିତାଙ୍କ ଚିତ୍କାର ଶୁଣିପାରିନଥିଲେ ସେନେଇ ପୁଲିସ ମଧ୍ୟ ଅନୁସନ୍ଧାନ କରୁଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ପ୍ରାୟ ଦୁଇ ବର୍ଷ ତଳେ ପୂର୍ବତନ ଏସ୍‌ପି ଡା. ସାର୍ଥକ ଷଡ଼ଙ୍ଗୀ ବ୍ଲାକ୍‌ମାର୍କ ଯୋଗୁଁ ଜିତେନ୍ଦ୍ର ସମେତ ୬ ଜଣ କନେଷ୍ଟବଳଙ୍କୁ ବହିଷ୍କୃତ କରିଥିଲେ। ଏହାଛଡ଼ା ଜିତେନ୍ଦ୍ର ନାମରେ ପୂର୍ବରୁ ଅନେକ ମାମଲା ରହିଛି। କଟକରେ ନିଜର ସମ୍ପର୍କୀୟା ଶାଶୂଙ୍କୁ ଦୁଷ୍କର୍ମ କରି ଗିରଫ ହୋଇଥିଲା। ସେହିପରି ନିଜର ଦ୍ବିତୀୟ ପତ୍ନୀଙ୍କୁ ନିଆଁ ଲଗାଇ ଜିତେନ୍ଦ୍ର ହତ୍ୟା ଉଦ୍ୟମ କରି ଗିରଫ ମଧ୍ୟ ହୋଇଥିଲା। ପୁଲିସ କାର୍ଯ୍ୟକାଳ ସମୟରେ ସେ ଅନେକ ଯୁବତୀଙ୍କ ସହିତ ଯୌନ ସମ୍ପର୍କ ରଖିଥିବା ନେଇ ମଧ୍ୟ ଅଭିଯୋଗ ହୋଇଥିଲା। ଜିତେନ୍ଦ୍ରର ଚରିତ୍ର କଳଙ୍କିତ ରହିଥିବାରୁ ଶେଷରେ ତାଙ୍କୁ ସେ ସମୟର ଏସ୍‌ପି ଡା. ଷଡ଼ଙ୍ଗୀ ବାଧ୍ୟ ହୋଇ ଚାକିରିରୁ ବହିଷ୍କୃତ କରିଥିଲେ।

By amfnews

Related Post