Sat. Mar 14th, 2026

ପୁଣି ୨୪ ଆତଙ୍କବାଦୀଙ୍କୁ ଜମ୍ମୁ-କଶ୍ମୀରରୁ ଲକ୍ଷ୍ନୌ ଜେଲକୁ ସ୍ଥାନାନ୍ତର

181 Views

ନୂଆଦିଲ୍ଲୀ : ଧାରା ୩୭୦ ଉଚ୍ଛେଦ ପରେ ଜମ୍ମୁ-କଶ୍ମୀର ଜେଲ୍‌ରେ ଥିବା ଆତଙ୍କବାଦୀ ଏବଂ ସେମାନଙ୍କ ସମର୍ଥକମାନଙ୍କୁ ବାହାର ରାଜ୍ୟକୁ ସ୍ଥାନାନ୍ତର କରାଯାଉଛି। ଏହିକ୍ରମରେ ଆଜି ଜମ୍ମୁ-କଶ୍ମୀର ଜେଲ୍‌ରେ ଥିବା ୨୪ ଜଣ କଏଦୀଙ୍କୁ ଲକ୍ଷ୍ନୌ ଜିଲ୍ଲାର ଏକ ଜେଲକୁ ସ୍ଥାନାନ୍ତର କରାଯାଇଛି। ଏମାନେ ସମସ୍ତେ ଆତଙ୍କବାଦ ଓ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ଗିରଫ ହୋଇଥିଲେ।

ଗତ ୩ ଦିନ ମଧ୍ୟରେ ଜମ୍ମୁ-କଶ୍ମୀରର ବିଭିନ୍ନ ଜେଲରୁ ୭୦ ଜଣ କଏଦୀଙ୍କୁ ଉତ୍ତର ପ୍ରଦେଶର ଉଚ୍ଚ ସୁରକ୍ଷା ବଳୟରେ ଥିବା ଜେଲକୁ ସ୍ଥାନାନ୍ତର କରାଗଲାଣି। ଶୁକ୍ରବାର ୨୬ ଜଣଙ୍କୁ ଆଗ୍ରା କେନ୍ଦ୍ରୀୟ ଜେଲକୁ ନିଆଯାଇଥିବା ବେଳେ ଅନ୍ୟ ୨୦ ଜଣଙ୍କୁ ବରେଲୀ ଜିଲ୍ଲା ଜେଲ୍‌କୁ ନିଆଯାଇଥିଲା।

ପ୍ରଥମେ ୨୪ ଜଣ ଏକଦୀଙ୍କୁ ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ଲକ୍ଷ୍ନୌ ନିଆଯାଇଥିଲା। ବାୟୁସେନାର ବିମାନଟି ବକ୍ସିକା ତଲାବ ସ୍ଥିତ ଏୟାର ବେସ୍‌ରେ ଅବତରଣ କରିବା ପରେ ସମସ୍ତ କଏଦୀଙ୍କୁ ହାଇ ସିକ୍ୟୁରିଟି ଭ୍ୟାନ୍‌ରେ ଲକ୍ଷ୍ନୌ ସ୍ଥିତ କୋସାଇନଗଞ୍ଜ ସ୍ଥିତ ଜେଲକୁ ନିଆଯାଇଥିଲା।

ଏହି ସମୟରେ ଭ୍ୟାନ୍‌ଟି ଯିବାକୁ ଥିବା ରାସ୍ତାରେ ବିପୁଳ ପରିମାଣର ସୁରକ୍ଷାକର୍ମୀ ମୁତୟନ ହୋଇଥିଲେ। ଆଗକୁ ଜମ୍ମୁ-କଶ୍ମୀରରୁ ଅନେକ କଏଦୀଙ୍କୁ ଉତ୍ତର ପ୍ରଦେଶର ଫତେପୁର କେନ୍ଦ୍ରୀୟ ଜେଲ, ନଇନି କେନ୍ଦ୍ରୀୟ ଜେଲ, ପ୍ରାୟଗରାଜ, ବାରଣାସୀ କେନ୍ଦ୍ରୀୟ ଜେଲ ଓ ଗୋରଖପୁର କେନ୍ଦ୍ରୀୟ ଜେଲକୁ ସ୍ଥାନାନ୍ତର କରାଯିବ। ତେବେ ପୁଲିସ୍ ପକ୍ଷରୁ କେଉଁମାନଙ୍କୁ ସ୍ଥାନାନ୍ତର କରାଯାଉଛି ଏବଂ ଆଗକୁ କେଉଁମାନଙ୍କୁ ସ୍ଥାନାନ୍ତର କରାଯିବ, ସେ ସମ୍ପର୍କରେ କୌଣସି ବିସ୍ତୃତ ସୂଚନା ଦିଆଯାଇ ନାହିଁ।

By amfnews

Related Post