Sat. Mar 7th, 2026
223 Views

ଭୁବନେଶ୍ବର : ସହିଦ ନଗର ଥାନା ଭିତରେ ପଶି ପୁଲିସକୁ ମାଡ଼ ମରାଯିବା ଘଟଣା ମନରୁ ନ ଲିଭୁଣୁ ଗତ ରାତିରେ ଚନ୍ଦ୍ରଶେଖରପୁର ଥାନାର କେତେକ ପୁଲିସ କର୍ମଚାରୀ ମାଡ଼ ଖାଇବା ଚର୍ଚ୍ଚାର ବିଷୟ ହୋଇଛି। ନୀଳାଦ୍ରିବିହାର ପଣ୍ଡା ପାର୍କ ବସ୍ତିରେ ଦେଶୀ ମଦ ଜବତ କରିବା ପାଇଁ ଚଢ଼ଉ ବେଳେ ଏହି ଅଘଟଣ ଘଟିଛି। ଧରାପଡ଼ିଥିବା କେତେକ ମଦୁଆ ପୁଲିସକୁ ମାଡ଼ ମାରି ଫେରାର୍‌ ହୋଇଯାଇଛନ୍ତି। ତେବେ ଦୁଇ ଜଣ ମଦ ବେପାରୀ ଅଶୋକ ଦିଗାଲ ଓ କିରଣ ପଟ୍ଟନାୟକକୁ ପୁଲିସ ଗିରଫ କରିବାରେ ସକ୍ଷମ ହୋଇଛି। ଉଭୟଙ୍କୁ ଗିରଫ କରି ବସ୍ତିରୁ ଆଣିବା ପୁଲିସ ପାଇଁ କାଠିକର ପାଠ ହୋଇଛି। ସେମାନଙ୍କଠାରୁ ୫୦ଲିଟର ମଦ ଜବତ କରାଯାଇଛି।

ଅପରପକ୍ଷେ ପୁଲିସକୁ ଆକ୍ରମଣ କରିଥିବା ସମ୍ପୃକ୍ତ ଫେରାର୍‌ ଅଭିଯୁକ୍ତଙ୍କୁ ଧରିବା ପାଇଁ ଯାଇଥିବା ପୁଲିସ ଆଜି ବିଫଳ ହୋଇଛି। ପୁଲିସ ଧରିବାକୁ ଆସୁଥିବା ଆଗୁଆ ଜାଣିପାରି ସେମାନେ ଫେରାର ହୋଇ ଯାଇଛନ୍ତି। ଏଣୁ ଏହି ଅଭିଯୁକ୍ତଙ୍କ ସହ କୌଣସି ପୁଲିସ କର୍ମଚାରୀ ଯୋଗାଯୋଗରେ ରହୁଥିବା ଆଶଙ୍କା ପ୍ରକାଶ ପାଇଛି। ପୁଲିସକୁ ମାଡ଼ ମଧ୍ୟ କୌଣସି କର୍ମଚାରୀଙ୍କ ଇଙ୍ଗିତରେ ହୋଇଥିବା ନେଇ ଚର୍ଚ୍ଚା ହେଉଛି।

ଥାନା ଭାରପ୍ରାପ୍ତ ଅଧିକାରୀ ବିଶ୍ବରଞ୍ଜନ ନାୟକ କହିଛନ୍ତି, ପୁଲିସ ପୋଷାକରେ ଗଲେ ସେମାନେ ଫେରାର୍‌ ହୋଇଯିବା ଆଶଙ୍କା ରହିଛି। ତେଣୁ ପୁଲିସ କର୍ମଚାରୀମାନେ ସାଦା ‌ପୋଷାକରେ ଯାଇଥିଲେ। ଆକ୍ରମଣ କରିଥିବା ଯୁବକମାନଙ୍କୁ ଆମେ ଚିହ୍ନଟ କରିଛୁ। ସେମାନେ ଫେରାର୍‌ ଅଛନ୍ତି। ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ଶ୍ରୀ ନାୟକ କହିଛନ୍ତି।

ସୂଚନା ମୁତାବକ, ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ଉଭୟ ଅବକାରୀ ଓ ପୁଲିସ ପକ୍ଷରୁ ବେଆଇନ ମଦ ଭାଟି ଉପରେ ଚଢ଼ଉକୁ ଜୋରଦାର କରାଯାଇଛି। ଏହି ପରିପ୍ରେକ୍ଷୀରେ ଗତକାଲି ନୀଳାଦ୍ରି ବିହାର ପଣ୍ଡା ପାର୍କ ବସ୍ତି ଉପରେ ପୁଲିସ ଚଢ଼ଉ କରିଥିଲା। ଅଶୋକ ଓ କିରଣଙ୍କ ସମେତ ପ୍ରାୟ ୮ଜଣ ଯୁବକ ଭାଟିରେ ବସି ମଦ ପିଉଥିବା ବେଳେ ପୁଲିସ ସେମାନଙ୍କୁ ଧରିଥିଲା। ହେଲେ ସେମାନେ ପୁଲିସକୁ ଅତର୍କିତ ଆକ୍ରମଣ କରିଥିଲେ। ମାଡ଼ ମାରି ସେଠାରୁ ଖସି ପଳାଇବାକୁ ସକ୍ଷମ ହୋଇଥିଲେ। ଆଜି ଫେରାର ଅଭିଯୁକ୍ତମାନେ ଏକ ଜାଗାରେ ବସି ମଦ ପିଉଥିବା ବେଳେ ପୁଲିସ ଖବର ପାଇଥିଲା। କିନ୍ତୁ ପୁଲିସ ପହଞ୍ଚିବା ପୂର୍ବରୁ ସେମାନେ ଚାଲି ଯାଇଥିଲେ। ଫଳରେ ପୁଲିସ ହତାଶ ହୋଇ ଫେରିଥିଲା।

By amfnews

Related Post