ଓଡ଼ିଶା,ନଭେମ୍ବର 28 : ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବାକୁ ଯାଉଛି । ଏହା ୨ ତାରିଖ ଦିନ ତାମିଲନାଡୁ ଓ ପୁଡ଼ୁଚେରି ଉପକୂଳ ଦେଇ ଅବପାତ ରୂପରେ ଅତିକ୍ରମ କରିବ । ପ୍ରଭାବରେ ତାମିଲନାଡୁ ଓ ପୁଡ଼ୁଚେରିରେ ପ୍ରବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଗତ ୨୪ ଘଣ୍ଟାରେ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲା ସମେତ ଉତ୍ତର ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ହାଲ୍କାରୁ ମଧ୍ୟମ ଧରଣର ବର୍ଷା ହୋଇଛି ।
ବର୍ତ୍ତମାନ ପାଗ ମୁଖ୍ୟତଃ ଶୁଖିଲା ରହିବ । ଆସନ୍ତା ୨-୩ ଦିନ ଭିତରେ ରାଜ୍ୟର ଅନେକ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୩-୪ ଡିଗ୍ରୀ ସେଲସିୟସ୍ କମିବା ସମ୍ଭାବନା ଅଛି । ଫଳରେ ଶୀତ ପ୍ରକୋପ ବଢ଼ିବ । ଡିସେମ୍ବର ୨ କିମ୍ବା ୩ ତାରିଖବେଳକୁ ରାଜ୍ୟରେ ପାଗ ସାମାନ୍ୟ ବଦଳିବ । ଦକ୍ଷିଣ ଓଡ଼ିଶାରେ ପାଗ ଆଂଶିକ ମେଘୁଆ ହେବା ସହ ରାଜ୍ୟରେ ପାଗ କୋହଲା ରହିପାରେ । ଗୋଟିଏ ଦୁଇଟି ଜାଗାରେ ସାମାନ୍ୟ ବର୍ଷା ସମ୍ଭାବନା ଅଛି । ଶନିବାର ସକାଳେ ଦକ୍ଷିଣ ଓଡ଼ିଶାର ଗୋଟିଏ ଦୁଇଟି ଜାଗାରେ କୁହୁଡ଼ି ହେବ ।