221 Views
ମାଥିଲି ପୁଣି ଅଟୋରେ ବୁହା ହେଲେ ପ୍ରସୂତି। ଶୋଚନୀୟ ରାସ୍ତା ସାଙ୍ଗକୁ ପ୍ରସବ ଯନ୍ତ୍ରଣାରେ ଛଟପଟ ହୋଇ ସ୍ବାସ୍ଥ୍ୟକେନ୍ଦ୍ର ଆସି ପହଞ୍ଚିଲେ। ଆମ୍ବୁଲାନ୍ସ ଉପଲବ୍ଧ ନ ଥିବାରୁ ବାଧ୍ୟ ହୋଇ ପରିବାର ଲୋକେ ଏବଂ ଆଶାଦିଦି ଅଟୋରେ ଆଣିବାକୁ ବାଧ୍ୟ ହୋଇଥିଲେ । ଶନିବାର ଏପରି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲା ମାଥିଲି ବ୍ଲକ ଅନ୍ତର୍ଗତ ଗୋଡ଼ିଆଳି ଗ୍ରାମରେ। ମହିଳାଜଣଙ୍କ ହେଲେ ଗ୍ରାମର ଲଳିତା ହନ୍ତାଳ (୨୦)।
ସୂଚନାନୁଯାୟୀ, ଲଳିତା ବ୍ଲକ ଅନ୍ତର୍ଗତ କିଆଙ୍ଗ ସଦରରେ ବିବାହ କରିଛନ୍ତି। କିଛି ଦିନ ତଳେ ନିଜ ବାପା ଗାଁ ଗୋଡିଆଳିକୁ ବୁଲିବାକୁ ଆସିଥିଲେ। ହଠାତ୍ ପୂର୍ବାହ୍ନରେ ଲଳିତାଙ୍କୁ ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଥିଲା। ଏ ନେଇ ସ୍ଥାନୀୟ ଆଶାଦିଦିଙ୍କୁ ଖବର ଦିଆଯାଇଥିଲା। ତେବେ ଲଳିତାଙ୍କ ପ୍ରସବ ଯନ୍ତ୍ରଣା ଅଧିକ ହେବାରେ ଲାଗିଥିଲା। ଆଶାଦିଦି ୧୦୮ ଏବଂ ୧୦୨ ଆମ୍ବୁଲାନ୍ସକୁ ଫୋନ କରିଥିଲେ। କିନ୍ତୁ ମାଥିଲି ସ୍ବାସ୍ଥ୍ୟକେନ୍ଦ୍ରରେ ଆମ୍ବୁଲାନ୍ସ ଉପଲବ୍ଧ ନ ଥିବା ଅଫିସ ତରଫରୁ ସ୍ପଷ୍ଟ କରାଯାଇଥିଲା । ଅନ୍ୟ ଉପାୟ ନ ପାଇ ପରିବାର ଲୋକେ ଏକ ଅଟୋକୁ ଭଡ଼ା କରିଥିଲେ। ସେହି ଅଟୋରେ ପ୍ରସୂତିଙ୍କୁ ନେଇ ଗୋଡିଆଳିରୁ ଝୁଲୁନିବାହାଲ ପର୍ଯ୍ୟନ୍ତ ରହିଥିବା ଶୋଚନୀୟ ଖାଲ ଖମା ରାସ୍ତାରେ ଅଣାଯାଇଥିଲା। ପ୍ରସବ ଯନ୍ତ୍ରଣା ସାଙ୍ଗକୁ ରାସ୍ତାର ଦୂରବସ୍ଥା ଅଧିକ ସଙ୍କଟାପନ୍ନ କରିଥିବା ପ୍ରସୂତି ଜଣକ ପ୍ରକାଶ କରିଛନ୍ତି ।
ରାଜ୍ୟ ସରକାରଙ୍କ ତରଫରୁ ପ୍ରତ୍ୟେକ ସ୍ବାସ୍ଥ୍ୟକେନ୍ଦ୍ରରେ ୧୦୨ ଏବଂ ୧୦୮ ଆମ୍ବୁଲାନ୍ସ ସେବା ଯୋଗାଇ ଦିଆଯାଇଛି । କିନ୍ତୁ ବ୍ଲକ ଅଞ୍ଚଳରେ ଦିନକୁ ଦିନ ଅଧିକ ପ୍ରସୂତି ଏବଂ ରୋଗୀ ଥିବାରୁ ଏହାକୁ ନେଇ ଆବଶ୍ୟକ ସେବା ହୋଇପାରୁ ନ ଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ଅନ୍ୟ କେତେକ ଦୁର୍ଗମ ଗାଁରେ ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡିଥିବାରୁ ଆମ୍ବୁଲାନ୍ସ ଯିବା ମଧ୍ୟ କଷ୍ଟକର ହୋଇପଡୁଛି। ମାଥିଲି ସଦରରୁ ଝୁଲୁନିବାହାଲ ୨ କିମି। ଝୁଲୁନିବାହାଲରୁ ଗୋଡିଆଳି ୩ କିମି ଦୂର ରହିଛି। ତେବେ ମୁଖ୍ୟରାସ୍ତା ପାଶର୍ବରେ ସଂଯୋଗ ହୋଇଥିବା ଝୁଲିବାହାଲଠାରୁ ଗୋଡିଆଳି ରାସ୍ତା ଅତି ଶୋଚନୀୟ ହୋଇପଡିଛ। ଦୀର୍ଘ ଦିନ ହେବ ରାସ୍ତା ମରାମତି ହେଉନଥିବାରୁ ବହୁ ସମସ୍ୟା ସୃଷ୍ଟି ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।