Sun. Jan 12th, 2025

ପାରାଦୀପରେ ‘ରାଣା’ ଓ ‘ଘଡ଼ିଆଳ’, ପ୍ରଦର୍ଶିତ ହେଉଛି ନୌସେନାର ବୀରତ୍ବର ଗାଥା

By amfnews Nov 25, 2019 #Featured
185 Views

ଜଗତସିଂହପୁର/ଭୁବନେଶ୍ବର : ନୌସେନା ଦିବସ ପାଳନ ଅବସରରେ ପାରାଦୀପ ବନ୍ଦରରେ ଦୁଇଟି ଯୁଦ୍ଧ ଜାହାଜ ‘ରାଣା’ ଓ ‘ଘଡିଆଳ’ ଆଜି ପହ‌ଞ୍ଚିଛି। ବିଶାଖାପାଟଣାରୁ ଆସିଥିବା ଏହି ଦୁଇଟି ଜାହାଜ ଆସନ୍ତା ୨୬ ତାରିଖ ପର୍ଯ୍ୟନ୍ତ ପାରାଦୀପ ବନ୍ଦରରେ ରହିବ। ଏଣୁ ଆଜି ଓ ଆସନ୍ତାକାଲି ଦୁଇ ଦିନ ସାଧାରଣ ଲୋକ, ସ୍କୁଲ ଛାତ୍ରଛାତ୍ରୀ ଓ ଏନ୍‌ସିସି ଛାତ୍ରଛାତ୍ରୀମାନଙ୍କୁ ଜାହାଜ ଦୁଇଟିକୁ ଦେଖାଇବା ସହ ଏହା ସମ୍ପର୍କରେ ଜାଣିବା ପାଇଁ ନୌସେନା ପକ୍ଷରୁ ବନ୍ଦୋବସ୍ତ କରାଯାଇଛି। ଫଳରେ ଆଜି ବନ୍ଦରରେ ଥିବା ଜାହାଜକୁ ଦେଖିବା ପାଇଁ ଜୋରଦାର ଭିଡ଼ ଜମିଥିବା ଦେଖିବାକୁ ମିଳିଥିଲା। ନୌସେନା ପକ୍ଷରୁ ସମସ୍ତଙ୍କୁ ଶୃଙ୍ଖଳାର ସହ ବନ୍ଦର ମଧ୍ୟକୁ ନିଆଯାଇ ଜାହାଜ ଦୁଇଟିକୁ ପରିଦର୍ଶନ କରାଯିବାର ବ୍ୟବସ୍ଥା କରାଯାଇଥିଲା

କ୍ୟାପ୍‌ଟେନ୍ ଅତୁଲ ଦେଶୱାଲଙ୍କ ନେତୃତ୍ବରେ ‘ରାଣା’ କାର୍ଯ୍ୟ କରୁଛି। ଯୁଦ୍ଧ ସମୟରେ ଏହାକୁ ସାଧାରଣତଃ ଶତ୍ରୁ ପକ୍ଷର ମିସାଇଲ୍‌ ନଷ୍ଟ କରିବାରେ ବ୍ୟବହାର କରାଯାଏ। ବିଶାଖାପାଟଣାରେ ରହୁଥିବା ଏହି ଜାହାଜଟି ୧୯୮୨ରୁ କାର୍ଯ୍ୟକ୍ଷମ ହେଲାଣି। ଏହି ଜାହାଜରେ ଯୁଦ୍ଧରେ ଲଢ଼ିବା ଭଳି ସମସ୍ତ ଅତ୍ୟାଧୁନିକ ଯନ୍ତ୍ର ଥିବା ବେଳେ ୪୦ ଜଣ ଅଧିକାରୀ ଓ ୩୦୦ କର୍ମଚାରୀଙ୍କୁ ଏଥିରେ ନିଯୁକ୍ତି ଦିଆଯାଇଛି। ସମସ୍ତଙ୍କୁ ମଧ୍ୟ ଭଲ ଭାବେ ପ୍ରଶିକ୍ଷଣ ଦିଆଯାଇଛି। ସେହିପରି କମାଣ୍ତର ରୋହିତ କାଟ୍‌ଜୁଙ୍କ ନେତୃତ୍ବରେ ‘ଘଡିଆଳ’ କାର୍ଯ୍ୟ କରୁଛି। ଏହି ଜାହାଜର ଦୈର୍ଘ୍ୟ ୧୨୪.୮୯୮ ମିଟର ଓ ଚଉଡ଼ା ୧୭.୫ ମିଟର ରହିଛି। ଏହି ଜାହାଜଟି ୫,୬୫୦ ଟନ୍ ସାମଗ୍ରୀ ବୋହି ନେବାର କ୍ଷମତା ରଖିଛି। ଏହା ସମୁଦ୍ର ମଧ୍ୟରେ ଘଣ୍ଟା ପ୍ରତି ସର୍ବାଧିକ ୧୫ ନଟିକାଲ ମାଇଲ ବେଗରେ ଗତି କରିପାରିବ। ଏହି ଜାହାଜ ୬୦ଟି ବୋଫର୍ସ ଓ ଦୁଇଟି ରକେଟ୍ ନେଇ ଯାଇପାରିବ। ଏହାସହ ଏଥିରେ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପ୍ରଭାବିତ ଲୋକମାନଙ୍କୁ ଉଦ୍ଧାର କରାଯାଇପାରିବ। ଏଥିରେ ସେମାନଙ୍କ ପାଇଁ ରିଲିଫ୍ ନେବା ପାଇଁ ବ୍ୟବସ୍ଥା ରହିଛି ବୋଲି ନୌସେନା ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।

ଏହି ସାମ୍ବାଦିକ ସମ୍ମିଳନୀରେ କ୍ୟାପଟେନ୍ ଶ୍ରୀ ଦେଶୱାଲ, କମାଣ୍ତର ଶ୍ରୀ କାଟଜୁଙ୍କ ସମେତ ଓଡ଼ିଶା ନୌସେନା ବିଭାଗ ଅଧିକାରୀ କମାଣ୍ତର ଋତୁରାଜ ସାହୁ ଓ କ୍ୟାପଟେନ୍ ସରୋଜ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଜାହାଜ ଦୁଇଟିକୁ ଦେଖିବା ପାଇଁ ପାରାଦୀପରେ ଆଜି ସକାଳୁ ଲୋକମାନଙ୍କ ଗହଳି ଆରମ୍ଭ ହୋଇଯାଇଥିଲା। କେନ୍ଦ୍ରାପଡ଼ା, ଜଗତସିଂହପୁର ସମେତ ସୁଦୂର ସମ୍ବଲପୁର, କୋରାପୁଟ ଓ ଝାରସୁଗୁଡ଼ାରୁ ମଧ୍ୟ ଲୋକ ଆସିଥିଲେ। ଲୋକମାନେ ସ୍ଥାନୀୟ ଜୟଦେବ ସଦନରେ ଧାଡ଼ି ହୋଇ ଛିଡ଼ା ହୋଇ ରହିଥିଲେ। ନୌସେନା ପକ୍ଷରୁ ୬ଟି ଯାତ୍ରୀବାହୀ ବସ୍‌ ନିୟୋଜିତ ହୋଇଥିଲା। ଏଥିରେ ଲୋକମାନଙ୍କୁ ପର୍ଯ୍ୟାୟ କ୍ରମେ ବନ୍ଦର ମଧ୍ୟରେ ଜାହାଜ ପାଖକୁ ନିଆଯାଇଥିଲା। ନୌସେନା ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ସମସ୍ତେ ଉପଭୋଗ କରିଛନ୍ତି। ଆସନ୍ତାକାଲି ମଧ୍ୟ ସମାନ ଢଙ୍ଗରେ ସମସ୍ତେ ଜାହାଜ ଦେଖିବା ପାଇଁ ଯାଇପାରିବେ ବୋଲି ଜଣାପଡ଼ିଛି।

By amfnews

Related Post