ରାଉରକେଲା, ୨୨ା୮ : ଓଡିଶାରେ ପ୍ରଥମ ଥର ପାଇଁ ହେବାକୁ ଯାଉଛି ପୁରୁଷ ହକି ବିଶ୍ୱକପ୍ ପ୍ରତିଯୋଗିତା । ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଚଳିତ ବର୍ଷ ନଭେମ୍ବର ୨୮ ତାରିଖରେ ଏହା ଆରମ୍ଭ ହେବ । ହକିର ଗଡ କୁହାଯାଉଥିବା ସୁନ୍ଦରଗଡ ଜିଲାରେ ଏଥିପାଇଁ ଉତ୍ସାହ ଦେଖା ଦେଇଛି । ଅନ୍ୟତମ ଉଦୀୟମାନ ମହିଳା ହକି ଖେଳାଳୀ ତଥା ହକି ପ୍ରଶିକ୍ଷକ ରେସ୍ମା ଲାକ୍ରା ଏଥିପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ।
ପାନପୋଷ କ୍ରୀଡା ସଙ୍ଗଠନର ସଦସ୍ୟା ରେସ୍ମା ସଙ୍ଗଠନ କର୍ମକର୍ତ୍ତାଙ୍କ ପରାମର୍ଶକ୍ରମେ ପଡିଆରେ ହକି ବିଶ୍ୱକପକୁ ୧୦୦ ଦିନ ବାକି ପାଇଁ ହକି ବାଡି ସହ ହକି ଖେଳରେ ବ୍ୟବହୃତ ଅନ୍ୟ ସାମଗ୍ରୀର ସହାୟତା ନେଇଛନ୍ତି । ବିଶେଷ କରି ଜିଲାର ଉଦୀୟମାନ ତଥା ଯୁବ ହକି ଖେଳାଳୀଙ୍କୁ ଉତ୍ସାହିତ କରିବା ଲକ୍ଷ୍ୟରେ ଏଭଳି ଉଦ୍ୟମ କରାଯାଇଛି । ବିଶ୍ୱକପକୁ ଯଥାକ୍ରମେ ୭୫, ୫୦ ଓ ୨୫ ଦିନ ବାକି ଥିବା ଦିନରେ ଏଭଳି କାର୍ଯ୍ୟକ୍ରମ କରାଯିବ ବୋଲି ପାନପୋଷ କ୍ରୀଡା ସଙ୍ଗଠନ କାର୍ଯ୍ୟକାରୀ ସଭାପତି ତଥା କ୍ରୀଡା ପ୍ରଶିକ୍ଷକ ବିକ୍ରମ ସ୍ୱାଇଁ ସୂଚନା ଦେଇଛନ୍ତି ।
ଜିଲାରେ ବିଭିନ୍ନ ଖେଳ ବିଶେଷ କରି ହକିକୁ ପ୍ରୋତ୍ସାହନ ଦେବା ପାଇଁ ସଙ୍ଗଠନ ପକ୍ଷରୁ ଗତ ୩୦ ବର୍ଷ ଧରି ଜାତୀୟ ସ୍ତରର ମହିଳା ହକି ପ୍ରତିଯୋଗିତା ଆୟୋଜନ କରାଯାଇଆସୁଛି । ଏଥିସହ ଜିଲାର ବିଭିନ୍ନ ପ୍ରକାରର କ୍ରୀଡାବିତଙ୍କୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ସଙ୍ଗଠନ ପକ୍ଷରୁ ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରାଯାଉଛି । ଏଭଳି କାର୍ଯ୍ୟକ୍ରମ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ଶ୍ରୀ ସ୍ୱାଇଁ ସୂଚନା ଦେଇଛନ୍ତି ।