Thu. Jan 16th, 2025

ପାଟକୁରା ନିର୍ବାଚନ: ମତଦାନ ଆରମ୍ଭ, ସମ୍ବେଦନଶୀଳ ବୁଥ ଉପରେ ପୋଲିସର ନଜର

By amfnews Jul 20, 2019 #Featured
78 Views

ଭୁବନେଶ୍ୱର, ଜୁଲାଇ ୨୦  : ପଟକୁରା ବିଧାନସଭା ଆସନ ପାଇଁ ଶନିବାର ମତଦାନ ଆରମ୍ଭ ହୋଇଯାଇଛି। ଏହି ଆସନର ମୋଟ୍‌ ୩୦୯ଟି ବୁଥରେ ପୂର୍ବାହ୍ଣ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ଏହା ସନ୍ଧ୍ୟା ୬ଟା ଯାଏଁ ଜାରି ରହିବ। କେନ୍ଦ୍ରାପଡ଼ା ଜିଲ୍ଲାର ଡେରାବୀଶ, ମାର୍ଶାଘାଇ ଓ ଗରଦପୁର ବ୍ଲକର ୫୧ଟି ପଂଚାୟତକୁ ନେଇ ଗଠିତ ପାଟକୁରା ଆସନରେ ୧୦ ଜଣ ବିଧାୟକ ପ୍ରାର୍ଥୀଙ୍କୁ ୨ ଲକ୍ଷ, ୪୪ ହଜାର ୭୪୭ ଜଣ ମତଦାତା ଭୋଟ୍‌ ଦେଉଛନ୍ତି। ମତଦାତାଙ୍କ ମଧ୍ୟରେ ୧ ଲକ୍ଷ ୧୭ ହଜାର ୩୦୬ ଜଣ ମହିଳା, ସଂଖ୍ୟା ୧,୨୭,୪୩୧ ଜଣ ପୁରୁଷ ଓ ୧୦ ଜଣ କିନ୍ନର।

ନିର୍ବାଚନ ପଡ଼ିଆକୁ ୧୦ ଜଣ ପ୍ରାର୍ଥୀ ଓହ୍ଲାଇଥିଲେ ମଧ୍ୟ ବିଜୁ ଜନତା ଦଳ (ବିଜେଡି) ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ଵାଲ ଓ ଭାରତୀୟ ଜନତା ପାର୍ଟି (ବିଜେପି) ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ମଧ୍ୟରେ କଡ଼ା ଟକ୍କର ହୋଇପାରେ ବୋଲି ପୂର୍ବାନୁମାନ କରାଯାଉଛି।  ମାତ୍ର ମତଦାତାମାନେ କଂଗ୍ରେସ ପ୍ରାର୍ଥୀ ଜୟନ୍ତ ମହାନ୍ତିଙ୍କୁ ତୃତୀୟ ବିକଳ୍ପ ଭାବରେ ଚୟନ କରିପାରନ୍ତି।  କୃପା ପାର୍ଟି ଟିକେଟରେ ଶ୍ରୀକାନ୍ତ ସାମଲ, ସମାଜବାଦୀ ପାର୍ଟି ଟିକେଟରେ ପ୍ରଦୀପ କୁମାର ମିଶ୍ର ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ବେଳେ ସଂଜୟ କୁମାର ମିଶ୍ର, ରତିକାନ୍ତ କାନୁନ୍‌ଗୋ, ପ୍ରଫୁଲ୍ଲ ବେହେରା, ପରମାନନ୍ଦ ମହାରଣା ଓ ଦିବ୍ୟସିଂହ ଦାସ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଛନ୍ତି।

ନିର୍ବାଚନ କମିଶନଙ୍କ ତରଫରୁ ମତଦାନ ପାଇଁ ବୁଥ ମାନଙ୍କରେ ମୋଟ ୧୭୦୦ କର୍ମଚାରୀ ନିଯୁକ୍ତ ହୋଇଛନ୍ତି। ୫ ଜଣ ଜୋନାଲ ସେକ୍ଟର ମାଜିଷ୍ଟ୍ରେଟ ମତଦାନ ଉପରେ ନଜର ରଖିଛନ୍ତି। ମୋଟ୍‌ ୧୩୮ଟି ବୁଥ ଉପରେ ପୋଲିସ ନଜର ରଖିଛି। ସିଏପିଏଫର ୪ଟି କମ୍ପାନୀ ମୁତୟନ ହୋଇଛନ୍ତି। ୩୧ଟି ବୁଥରେ ୱେବ କାଷ୍ଟିଙ୍ଗ,  ୪୦ଟି ମତଦାନ କେନ୍ଦ୍ରରେ ସିସିଟିଭି, ୫୨ଟି ବୁଥରେ ମାଇକ୍ରୋ ଅବଜରଭର ଓ ୧୫ଟି ବୁଥରେ ଭିଡିଓଗ୍ରାଫି ହେଉଛି।

ସେହିପରି ନିର୍ବାଚନ ଆୟୋଗଙ୍କ ପକ୍ଷରୁ ୨୮୫୨ ଜଣ ଦିବ୍ୟାଙ୍ଗଙ୍କ ପାଇଁ ମତଦାନ କେନ୍ଦ୍ର ଗୁଡ଼ିକରେ ହୁଇଲ ଚେୟାର ବ୍ୟବସ୍ଥା କରାଯାଇଛି। ମୋଟ ୫୧ଟି ଗାଡ଼ି ଦିବ୍ୟାଙ୍ଗଙ୍କୁ ନେବା ଆଣିବା ରହିଛି।

By amfnews

Related Post