Sun. Mar 8th, 2026

ପାକିସ୍ତାନ ଭାରତକୁ ପିଓକେ ଫେରାଇଦେଉ: ଅଠାଓ୍ୱଲେ

234 Views

ନୂଆଦିଲ୍ଲୀ  : ପିଓକେକୁ ନେଇ ଜାତିସଂଘ ପରିଷଦରେ ଭାରତ ପାକିସ୍ତାନ ଉଭୟ ନିଜର ପକ୍ଷ ରଖୁଛନ୍ତି। ଏହି ସମୟରେ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାଓ୍ୱଲେ କହିଛନ୍ତି ପାକିସ୍ତାନ ଯଦି ଭାରତ ସହ ଆଲୋଚନା ପାଇଁ ଇଚ୍ଛା ପ୍ରକାଶ କରୁଛି ତାହେଲେ ପିଓକେକୁ ଭାରତକୁ ଫେରାଇବାକୁ ପଡ଼ିବ। କାରଣ ପିଓକେ ଉପରେ ପାକିସ୍ତାନର କୌଣସି ଅଧିକାର ନାହିଁ ବୋଲି ସେ କହିଛନ୍ତି।

ଉଲ୍ଲେଖ ରହିଛି କି ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ପିଓକେ ବାସୀ ଭାରତରେ ମିଶିବା ପାଇଁ ଆନ୍ଦୋଳନ କରୁଛନ୍ତି। ଏମିତିକି ପାକିସ୍ତାନ ଅଧିକୃତ ଏହି ସ୍ଥାନରେ ବସବାସ କରୁଥିବା ସାଧାରଣ ନାଗରିକଙ୍କ ଉପରେ ପାକିସ୍ତାନୀ ସେନା ନିର୍ଯାତନା ଦେଉଥିବା ଦେଖିବାକୁ ମିଳିଛି।

ନିଜ ମନ୍ତ୍ରାଳୟର ବିଭିନ୍ନ ଯୋଜନାର ସମୀକ୍ଷା କରିବାକୁ ଚଣ୍ଡିଗଡ଼ ଯାଇ ସେ ଏହା କହିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି ଅଠାଓ୍ୱାଲେ। ସେ ଜଣେ ପରିଶ୍ରମୀ ପ୍ରଧାନମନ୍ତ୍ରୀ। ଧାରା ୩୭୦ ଉଚ୍ଛେଦ କରି ଐତିହାସିକ ପଦକ୍ଷେପ ନେଇଛନ୍ତି ବୋଲି ସେ କହିଛନ୍ତି। ହେଲେ ମୋଦିଙ୍କ ଏହି ନିଷ୍ପତ୍ତିକୁ ପାକିସ୍ତାନ ଗ୍ରହଣ ନକରିପାରି କଶ୍ମୀରକୁ ଅନ୍ତର୍ଜାତୀୟ ପ୍ରସଙ୍ଗ କରି ବିଫଳ ହେଉଛି ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଧାରା ୩୭୦ ଉଚ୍ଛେଦ ହେବା ପରେ ପିଓକେକୁ ଭାରତରେ ମିଶାଇବା ପାଇଁ ଭାରତ ପ୍ରୟାସ କରିବ ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ କହିସାରିଛନ୍ତି। ଏଥିସହ ନିକଟରେ ପୋଖରାନ ଯାଇଥିବା ବେଳେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ପିଓକେକୁ ଭାରତରେ ମିଶାଯିବ ବୋଲି ମନ୍ତବ୍ୟ ରଖିଥିଲେ।

By amfnews

Related Post