ନୂଆଦିଲ୍ଲୀ: ଯୁଦ୍ଧବନ୍ଦୀ ଭାବେ ପାକିସ୍ତାନରେ ୫୮ ଘଣ୍ଟା ବିତାଇ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିଥିବା ଭାରତୀୟ ବାୟୁସେନାର ଓ୍ଵିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନଙ୍କୁ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସ୍ଆଇ ନିଜ ହେପାଜତକୁ ନେଇ ଦୀର୍ଘ ୪୦ ଘଣ୍ଟା ଧରି ଅକଥନୀୟ ନିର୍ଯାତନା ଦେଇଥିଲା।
ସ୍ୱଦେଶ ପ୍ରତ୍ୟାବର୍ତ୍ତନ ପରେ ଓ୍ଵିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନ ନିଜର ଡି-ବ୍ରିଫିଙ୍ଗ୍ କାଳରେ ଏହା କହିଥିବା; ପ୍ରତିରକ୍ଷା ମନ୍ତ୍ରାଳୟର ଏକ ବିଶ୍ୱସ୍ତ ସୂତ୍ରକୁ ଆଧାର କରି ଜାତୀୟ ସ୍ତରର ସମ୍ବାଦପତ୍ର ‘ଦି ନିୟୁ ଇଣ୍ଡିଆନ୍ ଏକ୍ସପ୍ରେସ୍’ରେ ଆଜି ପ୍ରକାଶିତ ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ପ୍ରକାଶିତ ରିପୋର୍ଟ ଅନୁଯାୟୀ, ଗତ ଫେବ୍ରୁଆରି ୨୬ ତାରିଖରେ ପାକିସ୍ତାନୀ ବାୟୁସେନାର ଏପ୍-୧୬ ଲଢ଼ୁଆ ବିମାନକୁ କ୍ଷେପଣାସ୍ତ୍ର ମାଡ଼କରି ଖସାଇ ଦେବା ପରେ ନିଜର ମିଗ୍-୨୧ ବିସନ ବିମାନ ଅଖଜ ହୋଇପଡ଼ିଥିଲା। ଫଳରେ ଅଖଜ ମିଗ୍-୨୧ରୁ ପାରାଚ୍ୟୁଟ ସାହାଯ୍ୟରେ ଓ୍ଵିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନ ଖସି ପାକ୍ ଅଧିକୃତ କଶ୍ମୀରରେ ଓହ୍ଲାଇଥିଲେ। ଏହାପରେ ପାକିସ୍ତାନୀ ସେନା ତାଙ୍କୁ ଯୁଦ୍ଧବନ୍ଦୀ କରି ନେଇଥିଲା।