Fri. Dec 27th, 2024

ପଲ୍ଲୀଶ୍ରୀ ମେଳା-୨୦୧୮-୧୯ ନିମନ୍ତେ ପ୍ରସ୍ତୁତି ବୈଠକ

By amfnews Sep 6, 2018 #Featured
229 Views

ରାଉରକେଲା, ୬ା୯   :    ଆଜି ଅପରାହ୍ନ ୪ଟା ବେଳେ ରାଉରକେଲା ଠାରେ ପଲ୍ଲୀଶ୍ରୀ ମେଳା ୨୦୧୮-୧୯ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ରାଉରକେଲା ଅତିରିକ୍ତ ଜିଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି । ସୁନ୍ଦରଗଡ ଓର୍ମାସ ଦ୍ୱାରା ଆହୂତ ବୈଠକରେ ରାଉରକେଲା ଅତିରିକ୍ତ ଜିଲାପାଳ ମୋନୀଷା ବାନାର୍ଜୀ ଅଧ୍ୟକ୍ଷତା କରିଥିବା ବେଳେ ସୁନ୍ଦରଗଡ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ରୁମେଶ ଚନ୍ଦ୍ର ବେହେରା, ଓର୍ମାସ୍ ସହକାରୀ ନିର୍ଦ୍ଦେଶକ ସୌରଭ ରଞ୍ଜନ ଦାସ ପ୍ରମୁଖ ମଞ୍ଚାସୀନ ଥିଲେ । ଏହି ବୈଠକରେ ଚଳିତ ବର୍ଷ ପଲ୍ଲୀଶ୍ରୀ ମେଳାକୁ ସରସ ସୁନ୍ଦର ତଥା ଆକର୍ଷଣୀୟ କରିବା ଉପରେ କାର୍ଯ୍ୟସୂଚୀ ଅନୁଯାୟୀ ଆଲୋଚନା କରାଯାଇ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ଚଳିତ ବର୍ଷର ଏହି ମେଳା ସେକ୍ଟର-୫ ଭଞ୍ଜଭବନ ପ୍ରଦର୍ଶନୀ ପଡିଆ ଠାରେ ଅକ୍ଟୋବର ୩ ତାରିଖ ଠାରୁ ଆରମ୍ଭ ହୋଇ ଅକ୍ଟୋବର ୧୧ ତାରିଖ ପର୍ଯ୍ୟନ୍ତ ୯ ଦିନ ଧରି ଅନୁଷ୍ଠିତ ହେବ । ମେଳାର ଉଦ୍ଘାଟନୀ ଉତ୍ସବ ଅକ୍ଟୋବର ୩ ତାରିଖ ସନ୍ଧ୍ୟା ୬ଟା ବେଳେ ଅନୁଷ୍ଠିତ ହେବାକୁ ସ୍ଥିର କରାଯାଇଛି । ଏହି ଗ୍ରାମୀଣ ମେଳାରେ ସମୁଦାୟ ୨୦୦ଟି ଷ୍ଟଲ୍ ପ୍ରସ୍ତୁତ କରାଯାଇ ଜିଲା ତଥା ଜିଲା ବାହାର ଓ ବିଭିନ୍ନ ରାଜ୍ୟର ଗ୍ରାମୀଣ ଉତ୍ପାଦ, କୁଟୀର ଶିଳ୍ପ ଉତ୍ପାଦ ସହ ବିଭିନ୍ନ ସ୍ୱଂୟସହାୟକ ଗୋଷ୍ଠୀ ଦ୍ୱାରା ଗ୍ରାମୀଣ କଳା, କୌଶଳ ଓ କାରୁକାର୍ଯ୍ୟ ଉତ୍ପାଦଗୁଡିକ କିଣାବିକା ହେବ ।

ମେଳାକୁ ଶାନ୍ତିଶୃଙ୍ଖଳା ଓ ଲୋକାଭିମୁଖୀ କରିବା ଉପରେ ବିଭିନ୍ନ ବିଭାଗ ତରଫରୁ ଆବଶ୍ୟକୀୟ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯିବା ଉପରେ ଆଲୋଚନା ହୋଇଛି । ଯେପରି ମେଳାକୁ ଆସୁଥିବା ବ୍ୟବସାୟୀ, ମହିଳା ସ୍ୱଂୟସହାୟକ ଗୋଷ୍ଠୀ ତଥା କିଣିବିକା ନିମନ୍ତେ ଆସୁଥିବା ଜନସାଧାରଣଙ୍କ ମନୋରଞ୍ଜନ, ଖାଦ୍ୟପେୟ, ରହଣି ବ୍ୟବସ୍ଥା ତଥା ଆନୁଷଙ୍ଗିକ ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ପାଇଁ ପରାମର୍ଶ ଦିଆଯାଇଛି । ଅନୁଷ୍ଠିତ ମେଳା ସମୟରେ ପ୍ରତ୍ୟେକ ସନ୍ଧ୍ୟାରେ ଜନସାଧାରଣଙ୍କ ମନୋରଞ୍ଜନ ପାଇଁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ । ବୈଠକରେ ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀ ତଥା ସମ୍ପୃକ୍ତ କର୍ମକର୍ତ୍ତା ଅଂଶଗ୍ରହଣ କରି ଉକ୍ତ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

By amfnews

Related Post