Wed. Mar 11th, 2026

ପର୍ଲ ହାର୍‌ବର୍‌ ଗୁଳିକାଣ୍ଡ ବେଳେ ଉପସ୍ଥିତ ଥିଲେ ଭାରତୀୟ ବାୟୁସେନା ମୁଖ୍ୟ ଏବଂ ତାଙ୍କ ଟିମ୍‌

259 Views

ନୂଆଦିଲ୍ଲୀ: ବୁଧବାର ଦିନ ଯୁକ୍ତରାଷ୍ଟ୍ର ଆମେରିକାର ହାଓ୍ଵାଇସ୍ଥିତ ଐତିହାସିକ ସାମରିକ ବେସ୍‌ ପର୍ଲ ହାର୍‌ବର୍‌ରେ ଗୁଳିକାଣ୍ଡ ହେବା ସମୟରେ ଭାରତୀୟ ବାୟୁସେନା ମୁଖ୍ୟ ଏୟାର୍‌ ମାର୍ସାଲ୍‌ ଆର୍‌କେଏସ୍‌ ଭଦୌରିଆ ଏବଂ ତାଙ୍କ ଟିମ୍‌ ଉପସ୍ଥିତ ଥିଲେ। ବାୟୁସେନା ମୁଖ୍ୟ ଏବଂ ସମସ୍ତ ବାୟୁସେନା କର୍ମଚାରୀ ନିରାପଦ ଅଛନ୍ତି। ଗୁଳିକାଣ୍ଡ ଘଟିବା ବେଳେ ସେମାନେ ସାମରିକ ବେସ୍‌ରେ ଗୋଟାଏ ସମ୍ମିଳନୀରେ ବସିଥିଲେ।

ଗଣମାଧ୍ୟମକୁ ଆଇଏଏଫ୍‌ ଅଧିକାରୀମାନେ କହିଛନ୍ତି: ମୁଖ୍ୟଙ୍କ ସମେତ ଭାରତୀୟ ବାୟୁସେନାର ପ୍ରତିନିଧି ଦଳର ସମସ୍ତ ସଦସ୍ୟ ନିରାପଦ ଅଛନ୍ତି ଏବଂ ଏହି ଘଟଣାରେ ପ୍ରଭାବିତ ହୋଇ ନାହାନ୍ତି। ପର୍ଲ ହାର୍‌ବର୍‌ ବେସ୍‌ର ଅନ୍ୟ ପାଖରେ ଘଟଣାଟି ଘଟିବା ସମୟରେ ‘ପେସିଫିକ୍‌ ଏୟାର୍‌ ଚିଫ୍‌ ସିମ୍ପୋଜିଅମ୍‌-୨୦୧୯ ଚାଲିଥିଲା।

ଯୁକ୍ତରାଷ୍ଟ୍ର ଆମେରିକା ନୌସେନାର ଜଣେ ନାବିକ ତିନିଜଣ ଲୋକଙ୍କୁ ଗୁଳି ମାରିବା ପରେ ନିଜେ ଗୁଳି ଖାଇ ଆତ୍ମହତ୍ୟା କରିଛନ୍ତି। ଜଏଣ୍ଟ୍‌ ବେସ୍‌ ପର୍ଲ ହାର୍‌ବର୍‌-ହିକାମ ଟୁଇଟ୍‌ କରି କହିଛି ଯେ ତିନି ପୀଡ଼ିତ ହେଉଛନ୍ତି ସାଧାରଣ ନାଗରିକ ଏବଂ ସେମାନେ ଯୁକ୍ତରାଷ୍ଟ୍ର ଆମେରିକା ପ୍ରତିରକ୍ଷା ବିଭାଗ ପାଇଁ କାମ କରୁଥିଲେ।

ସେମାନଙ୍କ ଅବସ୍ଥା ବିଷୟରେ କୌଣସି ସୂଚନା ଟୁଇଟର୍‌ରେ ଦିଆଯାଇ ନାହିଁ।

By amfnews

Related Post