Sat. Mar 7th, 2026

ପରିବା ବୋଝେଇ ଟ୍ରକ୍‌ ସହ ଥଣ୍ଡା ପାନୀୟ ଟ୍ରକ୍‌ର ଧକ୍କା

150 Views

ବୌଦ୍ଧ : ବୌଦ୍ଧ ଜିଲ୍ଲା ୫୭ ନମ୍ୱର ଜାତୀୟ ରାଜପଥର ଗୁଦୁଗୁଦା ଛକ ନିକଟରେ ଏକ ପରିବା ବୋଝେଇ ଟ୍ରକ୍ ଓ ଥଣ୍ଡା ପାନୀୟ ବୋଝେଇ ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ଦୁଇ ଟ୍ରକ୍‌ ଡ୍ରାଇଭରଙ୍କ ମୃତ୍ୟୁ ଘଟିଛି। ମୃତକଦ୍ୱୟ ହେଲେ ଉତ୍ତମ ସାହୁ ଓ କୁନା ମାଣିକ। ଉତ୍ତମଙ୍କ ଘର ବୌଦ୍ଧ ଜିଲ୍ଲା ଚାରିଛକରେ ଏବଂ କୁନାଙ୍କ ଘର ଖୋର୍ଦ୍ଧା ଜିଲ୍ଲା ପିଚୁକୁଳିରେ। ଗତକାଲି ବିଳମ୍ୱିତ ରାତିରେ ଏହି ଦୁର୍ଘଟଣା ଘଟିଛି। 

ସୂଚନାଅନୁସାରେ, ଏକ ଟ୍ରକ୍‌ ବରଗଡ଼ରୁ  ପରିବା ନେଇ ଆସୁଥିବା ବେଳେ ବିପରୀତ ଦିଗରୁ  ଏକ ଥଣ୍ଡା ପାନୀୟ ବୋଝେଇ ଟ୍ରକ୍‌ ଦ୍ରୁତ ଗତିରେ ଆସୁଥିଲା।  ଗୁଦୁଗୁଦା ଛକ ନିକଟରେ ଉଭୟ ଟ୍ରକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ଉଭୟ ଟ୍ରକ୍‌ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିଲା। ଏଥିସହ  ଦୁଇ ଟ୍ରକ୍‌ର ହେଲପର୍‌ ମଧ୍ୟ ଗୁରୁତର ଆହତ ହୋଇଛନ୍ତି।

ସ୍ଥାନୀୟ ଲୋକେ ଆହତ ହେଲ୍‌ପରଦ୍ୱୟଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଖବର ପାଇ ମନମୁଣ୍ଡା ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

By amfnews

Related Post