Sat. Mar 7th, 2026

ପରିବାରର ପ୍ରତିପୋଷଣ ପାଇଁ ସ୍କୁଲ ଛାଡ଼ିଲେ ଆଦିବାସୀ ପୁଅ କିଶୋର, ଧରିଲେ ହାତରେ କୋଦାଳ,ଟାଙ୍ଗିଆ

164 Views

ନୂଆପଡ଼ା: ପ୍ରାଥମିକ ଶିକ୍ଷାକୁ ସାର୍ବଜନୀନ କରିବା ସହ ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବା ପାଇଁ ୬ ରୁ ୧୪ ବର୍ଷର ଝିଅ ବା ପୁଅ ସମସ୍ତଙ୍କ ଶିକ୍ଷା ଲାଭ ବାଧ୍ୟତାମୂଳକ ବୋଲି ସରକାର ନିୟମ ପ୍ରଣୟନ କରିଛନ୍ତି , ଯାହାର ଆଧାରରେ ସମସ୍ତ ଶିଶୁ ଶିକ୍ଷାକୁ ନିଜର ଅଧିକାର ରୂପେ ଗ୍ରହଣ କରିବେ । ହେଲେ ନୂଆପଡା ଜିଲ୍ଲାରେ ଏହି ନିୟମର କାର୍ଯ୍ୟକାରିତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କାରଣ ଯେଉଁ ବୟସରେ ସିଲଟ ଖଡି, କଲମ, ବସ୍ତାନି ଧରିବା କଥା ସେହି କଅଁଳ ବୟସରେ ବାପାଙ୍କ ମୃତ୍ୟୁ ପରେ ଘରର ଆର୍ଥକ ପରିସ୍ଥିତି ଦୁର୍ବଳ ହେବାରୁ ପରିବାର ପ୍ରତିପୋଷଣ କରିବା ପାଇଁ ୧୩ ବର୍ଷ କିଶୋର ହାତରେ କୋଦାଳ, ଟାଙ୍ଗିଆ ଧରି କାମ କରି ପରିବାର ପ୍ରତିପୋଷଣ କରୁଛନ୍ତି।

କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନା ପ୍ରହସନ ପାଲଟିଛି, ଯାହାକି ଏହି ୧୩ ବର୍ଷିଆ ଆଦିବାସୀ କିଶୋର ମାଝୀଙ୍କୁ ଦେଖିଲେ ଜଣାପଡ଼ିଯିବ। ନୂଆପଡା ଜିଲ୍ଲା କୋମନା ବ୍ଲକ ଧରମସାଗର ଜଗନ୍ନାଥପାଲି ଗ୍ରାମର ସ୍ଵର୍ଗୀୟ ଜଗତରାମ ମାଝୀ ଓ ବିଧବା ମାଆ ବୁଇ ମାଝୀ ଓ ନାବାଳକ ପୁଅ କିଶୋରଙ୍କ ବାପା ଆଜିକୁ ପ୍ରାୟ ୧୨ ବର୍ଷ ପୂର୍ବେ କର୍କଟ ରୋଗରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିଲେ। ତେବେ ବାପାଙ୍କ ମୃତ୍ୟୁ ପରେ ମାଁ ବୁଇ ମାଝୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡି ଯାଇଛି। ଏହି ପରିସ୍ଥିତିରେ ୧୩ ବର୍ଷିୟ କିଶୋର ଘରର ରୋଜଗାରିଆ ପୁଅ ସାଜିଛି।

କିଶୋର ନିକଟସ୍ଥ ଧରମସାଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅଷ୍ଟମ ଶ୍ରେଣୀ ଯାଏ ପାଠପଢିଛି । ବାପାଙ୍କ ମୃତ୍ୟୁ ଏବଂ ମା’ଙ୍କ ଶାରୀରିକ ଅସୁସ୍ଥତା କାରଣରୁ ପାଠପଢା ଛାଡ଼ିଦେଇ ରଫା ଓ କୋଦାଳ ଧରି ଗ୍ରାମମାନଙ୍କରେ ବିଭିନ୍ନ କାମ କରୁଥିବା ବେଳେ ଗାଈ ଚରାଇ ରୋଜଗାର କରି ପରିବାର ପ୍ରତିପୋଷଣ କରୁଛି କିଶୋର । ହେଲେ ଦୀର୍ଘଦିନ ଧରି କିଶୋର ବିଦ୍ୟାଳୟରେ ଅନୁପସ୍ଥିତ ଥିଲେ ବି ଶିକ୍ଷାବିଭାଗ ଏଥିପ୍ରତି ଦୃଷ୍ଟି ନଥିବା ଘଟଣା ରାଜ୍ୟର ସରକାରଙ୍କ ଶିକ୍ଷା ବ୍ୟବସ୍ଥାର ନଗ୍ନଚିତ୍ରକୁ ପଦାରେ ପକାଉଛି ।

ଏହା ଉପରେ କୋମନା ବ୍ଳକ ଶିକ୍ଷା ଅଧିକାରୀ ଡ. ରେଶମଲାଲ ନାଏକଙ୍କୁ ପଚାରିବାରୁ ସେ କହିଲେ ଯେ ଆମ ପାଖରେ ଖବର ନାହିଁ ଆପଣଙ୍କଠାରୁ ଖବର ପାଇଛି। ଯଦି ଚଳିତ ବର୍ଷ ଅଷ୍ଟମ ଶ୍ରେଣୀରୁ ପାଠପଢ଼ା ଚାଡିଦେଇଛି ତାହେଲେ ପୁଣି ତାକୁ ସ୍କୁଲକୁ ଅଣାଯିବ ବୋଲି କହିଛନ୍ତି। ପ୍ରକାଶ ଯେ ନୂଆପଡ଼ା ଜିଲ୍ଲାରେ ବହୁ ଛାତ୍ରଛାତ୍ରୀ ଅଧାରୁ ସ୍କୁଲ ଯାଉନଥିବା ଦେଖିବାକୁ ମିଳିଛି। ଏହାକୁ ଜିଲ୍ଲା ପ୍ରଶାସନ ତୁରନ୍ତ ଗୁରୁତର ଦେଇ ସ୍କୁଲ ଯାଉନଥିବା ଛାତ୍ରଛାତ୍ରୀ ମାନଙ୍କୁ ସ୍କୁଲ ନେବାକୁ ବ୍ୟବସ୍ଥା କରାଯାଉ ବୋଲି ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।

By amfnews

Related Post