Sat. Mar 7th, 2026

ପରିବହନ ପାଇଁ ଭାରତର ଆବଶ୍ୟକ ୩୦ ଲକ୍ଷ ବସ୍‌; ଅଛି ମାତ୍ର ୩ ଲକ୍ଷ

196 Views

ନୂଆଦିଲ୍ଲୀ     :     ସମଗ୍ର ଦେଶରେ ସାଧାରଣ ଯାତ୍ରୀଙ୍କ ପରିବହନ ନିମନ୍ତେ ଆବଶ୍ୟକ ବସ୍‌ ଠାରୁ ୧୦%ରୁ କମ୍‌ ବସ୍‌ ରହିଛି। ଭାରତ ସରକାରଙ୍କ ତଥ୍ୟାନୁସାରେ, ଦେଶରେ ପ୍ରାୟ ୧୯ ଲକ୍ଷ ବସ୍‌ ରହିଛି। ସେଥିରୁ ୨. ୮ ଲକ୍ଷ ରାଜ୍ୟ ପରିବହନ ଦ୍ୱାରା କିଂବା ରାଜ୍ୟ କ୍ୟାରେଜ୍‌ ପରମିଟ୍‌ ଦ୍ୱାରା ଚାଲିଛି।

କେନ୍ଦ୍ର ପରିବହନ ସଚିବ ଓ୍ଵାଇଏସ୍‌ ମଲିକ କହନ୍ତି: ସାଧାରଣ ଯାତ୍ରୀଙ୍କ ସକାଶ ଆମର ୩୦ ଲକ୍ଷ ବସ୍‌ ଆବଶ୍ୟକ। ରାଜ୍ୟ ସରକାରଙ୍କ ପରିବହନ ସଂସ୍ଥାନ ଦ୍ୱାରା ଚାଳିତ ବସ୍‌ଗୁଡ଼ିକ ମଧ୍ୟ ଅତି କମ୍‌। ତେଣୁ ବ୍ୟବଧାନ ଅଧିକ ହୋଇ ଯାଉଛି। ସାଧାରଣ ପରିବହନ ବିଶେଷଜ୍ଞମାନେ କହନ୍ତି ଯେ ଉଚ୍ଚ ମାନର ବସ୍‌ ସେବା ଯୋଗାଣରେ ଅସଫଳତା ଏବଂ ବସ୍‌ ନ ମିଳିବା କାରଣରୁ ଉଭୟ ସହାରାଞ୍ଚଳ ଓ ମଫସଲ ଅଞ୍ଚଳରେ ଲୋକେ ବ୍ୟକ୍ତିଗତ ଗାଡ଼ି କିଣିବାକୁ ବାଧ୍ୟ ହେଉଛନ୍ତି।

କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କରି କହନ୍ତି: ପ୍ରତି ୧୦୦୦ ଲୋକଙ୍କ ପାଇଁ ଚୀନ୍‌ରେ ପ୍ରାୟ ୬ଟି ବସ୍‌ ଥିବା ବେଳେ ଭାରତରେ ପ୍ରତି ୧୦ ହଜାର ଲୋକଙ୍କ ପାଇଁ ମାତ୍ର ୪ଟି ବସ୍‌ ରହିଛି। ତା’ଛଡ଼ା ପ୍ରାୟ ୯୦% ଭାରତୀୟଙ୍କର ଆଦୌ ଗାଡ଼ି ନାହିଁ।

ସେମାନେ ପରିବହନ ପାଇଁ ସେୟାର୍‌ରେ ଯାଉଥିବା ଗାଡ଼ିଘୋଡ଼ା ଉପରେ ନିର୍ଭରଶୀଳ। ତେଣୁ ସାଧାରଣ ପରିବହନରେ ଉନ୍ନତି ଆଣିବାରେ ହିଁ ଏହାର ଉତ୍ତର ରହିଛି। ଟ୍ରାନ୍‌ସ୍‌ପୋର୍ଟ ଫର୍‌ ଲଣ୍ଡନ୍‌ (ଟିଏଫ୍‌ଏଲ୍‌) ଭଳି ଆଦର୍ଶ ପରିବହନ ସଂସ୍ଥାନ ଗଢ଼ିବାକୁ ଘରୋଇ ଲୋକେ ଆଗେଇ ଆସିବା ଉଚିତ। ମୁଁ ମଧ୍ୟ ଗାଡ଼ି ନିର୍ମାତାମାନଙ୍କୁ କହିଛି ଯେ ସେମାନେ ବସ୍‌ ନିର୍ମାଣ କରିବା ସହ ଅପରେଟର୍‌ କମ୍ପାନି ଖୋଲନ୍ତୁ। ସେମାନେ ବ୍ୟବସାୟ ପାଇବେ। ଯଦି ଟାଟା, ଅଶୋକ ଲେଲ୍ୟାଣ୍ଡ୍‌ ଭଳି ନିର୍ମାତାମାନେ ଏ ଭଳି ଗୁଡ଼ାଏ ବସ୍‌ ସେବା ନିମନ୍ତେ ଅର୍ଥ ବିନିଯୋଗ କରନ୍ତେ, ଭଲରେ ଚାଲି ପାରନ୍ତା।

By amfnews

Related Post