Fri. Mar 6th, 2026

ପଦ୍ମଶ୍ରୀ ଡ଼.ରଜତ କୁମାର କରଙ୍କୁ ଭାଷା ଆନ୍ଦୋଳନ , ଓଡିଶା ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ

331 Views

ଭୁବନେଶ୍ୱର, ଜାନୁଆରୀ ୩୦ : ଓଡ଼ିଆ ଭାଷା ,ସାହିତ୍ୟ ସଂସ୍କୃତିର ଭୀଷ୍ମ ପିତାମହ ଡ଼.ରଜତ କୁମାର କର ଜଣେ ଶିକ୍ଷାବିତ୍ ଭାବରେ ଓଡ଼ିଶା ସରକାରଙ୍କ ଶିକ୍ଷା ବିଭାଗରେ ଦୀର୍ଘଦିନ ଧରି କାମ କରି ଏସସିଇଆଇଟିର ନିର୍ଦ୍ଦେଶକ ଭାବେ ଅବସର ଗ୍ରହଣ କରିଛନ୍ତି । ଜଗନ୍ନାଥ ସଂସ୍କୃତିର ଜଣେ ଧୂରିଣ ପ୍ରବକ୍ତା ଭାବେ ସୁ ପରିଚିତ ।

ଦୀର୍ଘ ୬୦ ବର୍ଷ ଧରି ସେ ଟେଲିଭିଜନ ଓ ବେତାର ରେ ରଥଯାତ୍ରାର ଧାରା ବିବରଣୀ ପ୍ରଦାନ କରି ଓଡ଼ିଶାର ଜନମାନସରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛନ୍ତି । ବିଲୁପ୍ତ ହେବାକୁ ବସିଥିବା ପାଲା ସଂସ୍କୃତିକୁ ପ୍ରାର୍ଥନା ଜରିଆରେ ଲୋକାଭିମୁଖୀ କରେଇବାରେ ତାଙ୍କର ଭୂମିକା ଓଡ଼ିଆ ଭାଷା ସାହିତ୍ୟ ପାଇଁ ଏକ ଅମୁଲ୍ୟ ସମ୍ପଦ, ଓଡ଼ିଆ ଭାଷା ସାହିତ୍ୟ ପାଇଁ ସମସ୍ତ ସମୟ ବିନିଯୋଗ କରିବାରେ ଏକମାତ୍ର ବ୍ୟକ୍ତିତ୍ୱ କହିଲେ ଅତ୍ୟୁକ୍ତି ହେବନାହିଁ ।

ଓଡ଼ିଆ ଭାଷା ସରକାରୀ ଭାଷା ହେବା ପାଇଁ ଭାଷା ଆନ୍ଦୋଳନରେ ଯୋଗଦାନ ଦେଇ ଓଡ଼ିଆ ଭାଷା ପ୍ରତି ମମତ୍ୱବୋଧ ସମସ୍ତ ଓଡ଼ିଆଙ୍କୁ ଉଦବୋଧ କରିପାରିଛି । ଉଭୟ ଓଡ଼ିଆ ସମେତ ଇଂରାଜୀ ଭାଷାରେ ଜଣେ ବାଗ୍ମୀ ଭାବେ ତାଙ୍କର ଖ୍ୟାତି ରହିଛି ।

ଡ଼.ରଜତ କର ୧୯୩୪ ମସିହାର ଅକ୍ଟୋବର ୨ ତାରିଖରେ କଟକ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ ,ପିତା କୁଳମଣି କର ଓ ମାତା ଇନ୍ଦୁମତୀ ଦେବୀ । ସେ ରେଭେନ୍ସା କଲିଜେଟ ସ୍କୁଲର ଛାତ୍ର ଥିଲେ ଏବଂ ପରେ ଅର୍ଥନୀତିରେ ସ୍ନାତକୋତର ଡିଗ୍ରୀ କରିଥିଲେ । ସେ ଆକାଶବାଣୀର ବିଭିନ୍ନ କାର୍ଯ୍ୟକ୍ରମରେ ଅଭିନୟ କରିବା ସହିତ ଅନେକ ନାଟକ ମଧ୍ୟ ରଚନା କରିଛନ୍ତି ।

ସାହିତ୍ୟ ଓ ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଡ଼.ରଜତ କୁମାର କରଙ୍କୁ ଭାରତ ସରକାରଙ୍କ ତରଫରୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନୀତ କରିଥିବାରୁ ଭାଷା ଆନ୍ଦୋଳନ, ଓଡିଶା ତରଫରୁ ଆବାହକ ପବିତ୍ର ମହାରଥା, ଅଧକ୍ଷ ଚକ୍ରଧର ମହନ୍ତ, ନବକିଶୋର ପ୍ରଧାନ, ସୂର୍ଯ୍ୟକାନ୍ତ ସ୍ୱାଇଁ ଏବଂ ନାରାୟଣ ଖୁଣ୍ଟିଆ ପ୍ରମୁଖ ତାଙ୍କ ବାସ ଭବନ କୁ ଯାଇ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । 

ସମ୍ବର୍ଦ୍ଧନା ର ପ୍ରତିଉତ୍ତରରେ ଆଶା ପ୍ରକାଶ କଲେ ଯେ ଆମର ଭାଷା ଶାସ୍ତ୍ରୀୟ ଭାଷା ରାଜ୍ୟ ସରକାର ସରକାରୀ ଭାଷା ରେ ପରିଣତ କରିଛନ୍ତି, ଆଗାମୀ ଦିନରେ ସରକାରୀ ଚିଠି ପତ୍ର ଓ କାର୍ଯ୍ୟରେ ଓଡ଼ିଆଭାଷାର ବହୁଳ ବ୍ୟବହାର ସରକାରଙ୍କଠାରୁ ଆଶା କରନ୍ତି । ଭାଷା ଆନ୍ଦୋଳନ ମାଧ୍ୟମରେ ରାଜ୍ୟର ସମସ୍ତ ଭାଷା ଯୋଦ୍ଧା ମାନଙ୍କୁ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।

By amfnews

Related Post