Wed. Jan 15th, 2025

ପଦାରେ ପଡ଼ିଲା ମିଲର୍ସ-ଅଧିକାରୀ ପ୍ରେମ : ଯୋଗାଣ ବିଭାଗର ଭୂମିକା ସନ୍ଦେହରେ

By amfnews Jul 13, 2019 #Featured
91 Views

ବରଗଡ଼ : ବରଗଡ଼ ଜିଲ୍ଲାରେ ମିଲର୍ସ ଏବଂ ଅଧିକାରୀଙ୍କ ଭିତିରିଆ ପ୍ରେମ ଏବେ ପଦାରେ ପଡ଼ିଛି। ମିଲର୍ସଙ୍କୁ ଚୋରା ଧାନ ଗଚ୍ଛିତ ରଖିବା, ଧାନ ଚୋରାଚାଲାଣ କରିବାରେ ଯୋଗାଣ ବିଭାଗର ସିଧା ହାତ ଥିବା ପ୍ରମାଣ ମିଳିଛି। ଖୋଦ୍‌ ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ତଥା ଖାଉଟୀ କଲ୍ୟାଣ ବିଭାଗ ଜିଲ୍ଲା ଯୋଗାଣ ବିଭାଗର କାର୍ଯ୍ୟକଳାପ ଉପରେ ସନ୍ଦେହ ପ୍ରକାଶ କରିଛି।

ଏନେଇ ବିଭାଗର ଯୁଗ୍ମସଚିବ ଡିକେ ସାହୁ ଜିଲ୍ଲାପାଳ ଇନ୍ଦ୍ରମଣି ତ୍ରିପାଠୀଙ୍କୁ ଗତ ୭ ତାରିଖ ଚିଠି ମଧ୍ୟ ଜାରି କରିଛନ୍ତି। ବିଭାଗ ତରଫରୁ ଆସିଥିବା ଚିଠି ନମ୍ବର ୧୦୨୧୨ରେ ଭଟଲି ବ୍ଲକ ଅନ୍ତର୍ଗତ ଚଢ଼େଇଗାଁ ସ୍ଥିତ ଟୁଲି ଇଂଜିନିୟରିଂ ବ୍ରୋସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌କୁ ଯୋଗାଣ ବିଭାଗ ଅହେତୁକ ଅନୁକମ୍ପା ଦର୍ଶାଇଥିବା କୁହାଯାଇଛି। ସୂଚନା ମୁତାବକ, ଗତମାସ ୨୫ ତାରିଖ ଏହି ମିଲ୍‌ ଉପରେ ରାଜ୍ୟସ୍ତରୀୟ ଗୋଟିଏ ଟିମ୍‌ ଚଢ଼ଉ କରିଥିଲା। ଚଢ଼ଉ ବେଳେ ମିଲ୍‌ ବିରୋଧରେ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିଥିଲା।

ଉକ୍ତ ମିଲ୍‌କୁ ଅମ୍ବାଭୋନା ଯୋଗାଇ ନିରୀକ୍ଷକ ୧୦ହଜାର କ୍ବିଣ୍ଟାଲ ଧାନ ଯୋଗାଇବାକୁ ଅନୁମତି ଦେଇଥିଲେ। କିନ୍ତୁ ଚଢ଼ଉ ହେବା ଦିନ ପର୍ଯ୍ୟନ୍ତ କିଛି ଧାନ ମିଲିଂ ହୋଇନଥିଲା। ଯାଂଚ ବେଳେ ପୂର୍ବ ଅନୁପାତରେ ଧାର୍ଯ୍ୟଠାରୁ ୪୨୧.୦୯ କ୍ବିଣ୍ଟାଲ ଧାନ ଅଧିକ ଥିବା ଜଣାପଡ଼ିଥିଲା। ସେହିପରି ୭୫୨୦ ଧାନବସ୍ତା ମଧ୍ୟ କମ୍‌ ରହିଥିଲା। ତେଣୁ ଏହି ମିଲ୍‌ରୁ ସଂପୂର୍ଣ୍ଣ ଧାନ ହଟାଇ ନିକଟତମ ମିଲର୍ସଙ୍କୁ ଦେବା ପାଇଁ ଚିଠିରେ ଉଲ୍ଲେଖ ରହିଛି। ତେବେ ଜିଲ୍ଲା ପ୍ରଶାସନ ଏବଂ ଯୋଗାଣ ବିଭାଗ ଏବେ ସଂପୃକ୍ତ ମିଲର୍ସଙ୍କ କାରସାଦି ଜଣାପଡ଼ିବା ପରେ କିଭଳି କାର୍ଯ୍ୟାନୁଷ୍ଠାନ ନେଉଛନ୍ତି, ତାହା ଦେଖିବାକୁ ବାକି ରହିଲା।

ପୂର୍ବରୁ ଅନୁରୂପ ଭାବେ ଲାଠ୍‌ ଇଣ୍ଡଷ୍ଟ୍ରିଜ୍‌ରେ ଚଢ଼ଉ ହୋଇଥିଲା। ସେଠାରେ ମାତ୍ରାଧିକ ଧାନ ବେଆଇନ ଭାବେ ଗଚ୍ଛିତ ଥିବା ଅଧିକାରୀମାନେ ତଦନ୍ତ ବେଳେ ପାଇଥିଲେ। ଏନେଇ ପ୍ରଶାସନ ପକ୍ଷରୁ କୋର୍ଟରେ ମାମଲା ରୁଜୁ ହୋଇଥିଲା। ଲାଠ୍‌ ଇଣ୍ଡଷ୍ଟ୍ରିଜ୍‌କୁ ଚଳିତ ଋତୁରେ ଧାନ କିଣାରୁ ବାଦ୍‌ ଦେବାକୁ ରାଜ୍ୟ ଖାଦ୍ୟ ଯୋଗାଣ ବିଭାଗ ନିର୍ଦ୍ଦେଶ ଦେଇଥିଲା। କିନ୍ତୁ ହାଇକୋର୍ଟରୁ ଲାଠ୍‌ ଇଣ୍ଡଷ୍ଟ୍ରିଜ୍‌ ଏହା ଉପରେ ରହିତାଦେଶ ଆଣିବାରେ ସଫଳ ହୋଇଥିଲା। କିନ୍ତୁ ଜିଲ୍ଲାରେ ମିଲର୍ସଙ୍କ କଳାକାରନାମାରେ ଯୋଗାଣ ଅଧିକାରୀମାନେ ସଂପୃକ୍ତ ଥିବା ଆଉ ଅଛପା ହୋଇ ରହିନାହିଁ।

By amfnews

Related Post