କବାଟବନ୍ଧ : ଇଚ୍ଛା ଥିଲେ ଉପାୟ ବଳେ ବଳେ ଆସେ। ଦୃଢ଼ ଇଚ୍ଛାଶକ୍ତି ଆଗରେ ସବୁକିଛି ହାର୍ ମାନେ। ଏକଥା ପ୍ରମାଣିତ ହୋଇଛି ଯାଜପୁରର ଜଣେ ପଥରକଟାଳିଙ୍କ ପୁଅଙ୍କ କ୍ଷେତ୍ରରେ। ବାପା ସିନା ପଥର କାଟି ପରିବାର ଚଳାଉଥିଲେ, ହେଲେ ଦୃଢ଼ମନା ପୁଅ କଠିନ ପରିଶ୍ରମ ଓ ଅଧ୍ୟବସାୟ ବଳରେ ନାସାର ବୈଜ୍ଞାନିକ ହୋଇପାରିଛନ୍ତି। ଏଭଳି ଖବର ପ୍ରସାରିତ ହେବା ପରେ ଏବେ ଜିଲ୍ଲା ଏବଂ ବିଭିନ୍ନ ସ୍ଥାନରୁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି। ନାସାର ବୈଜ୍ଞାନିକ ପାଇଁ ଯୋଗ୍ୟତା ଅର୍ଜନ କରିବା ସହ ଆସନ୍ତା ମାର୍ଚ୍ଚ ୧୩ ତାରିଖରେ ସେଠାରେ କାର୍ଯ୍ୟରେ ଯୋଗଦେବାକୁ ଚିଠି ଆସିଛି।
ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ରାଇଛନ୍ଦା ଗ୍ରାମର ଅର୍ଜୁନ ଚରଣ ଓଝା ଓ ସାବିତ୍ରୀ ଓଝାଙ୍କ ପଞ୍ଚମ ପୁତ୍ର ହେମନ୍ତ ଓଝା(୨୫)। ୨୦୦୯ ମସିହାରେ ପିସି ଘଡାଇ ହାଇସ୍କୁଲରୁ ମାଟ୍ରିକ୍ ପାସ୍ କରିଥିଲେ ମଧ୍ୟ ଅର୍ଥ ଅଭାବରୁ ସେହିବର୍ଷ ଯୁକ୍ତ୨ରେ ନାମ ଲେଖାଇ ପାରି ନଥିଲେ। ଗୋଟିଏ ବର୍ଷ ପରେ ଭିଏନ୍ କଲେଜରେ ଯୁକ୍ତ୨ ପାଠ ପଢ଼ିଥିଲେ। ଏହାପରେ ଯୁକ୍ତ ୩ରେ ନାମ ଲେଖାଇବା ପାଇଁଁ ମଧ୍ୟ ଅର୍ଥ ପ୍ରତିବନ୍ଧକ ସାଜିଥିଲା। ସେଥିପାଇଁ ମଧ୍ୟ ଗୋଟିଏ ବର୍ଷ ପଢା ବନ୍ଦ ରହିଥିଲା। ବାପା ମାଙ୍କଡା ପଥର କାଟୁଥିଲେ। ଘର ଚଳାଇବା ସହ ପିଲାଙ୍କୁ ପାଠ ପଢାଇବା କଷ୍ଟକର ବ୍ୟାପାର ଥିଲା ବାପା ଅର୍ଜୁନଙ୍କ ପାଇଁ। ଅଧିକା ପାଠ ପଢି ବୈଜ୍ଞାନିକ ହେବାର ଇଚ୍ଛାଶକ୍ତି ଯୋଗୁଁ ହେମନ୍ତ ନିଜେ ଟିଉସନରେ ପିଲାଙ୍କୁ ପଢ଼ାଇବା ସହ ନିେଜ ପାଠ ପଢିବା ପାଇଁ ମନସ୍ଥ କରିଥିଲେ। କଟକ ରେଭେନ୍ସା କଲେଜରେ ବିଜ୍ଞାନରେ ସ୍ନାତକୋତ୍ତର ପଢ଼ିବା ସହ ଟିଉସନ ଅର୍ଥରେ ମାଡ୍ରାସରେ ପିଏଚଡି କଲେ। ସେଠାରୁ ଭାରତ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରୋଜେକ୍ଟ ନେଇ ଅନ୍ୟ ୪ଜଣଙ୍କ ସହ ସେ ଆମେରିକାର ନାସାକୁ ଯାଇଥିଲେ।