Sat. Mar 7th, 2026

ପଥରରେ ଛେଚି ସ୍କୁଲ୍‌ ପିଅନଙ୍କୁ ହତ୍ୟା

178 Views

ମୋହନା  : ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଲୁଡ୍ଡୁ ସରକାରୀ ଆଶ୍ରମ ବିଦ୍ୟାଳୟର ପିଅନଙ୍କୁ ଗତକାଲି ବିଳମ୍ବିତ ରାତିରେ ପଥର ଛେଚି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକଙ୍କ ନାଁ ଜଗନ୍ନାଥ କାର୍ଜି। ତାଙ୍କ ଘର ରାଇଗଡ଼ ବ୍ଳକ୍‌ ତୁଙ୍ଗ ଗାଁରେ।

ଗତ କିଛି ଦିନ ହେବ ଜଗନ୍ନାଥ ଓ ତାଙ୍କ ପୁଅ କେଶବ (୨୩)ଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ଏଣୁ କେଶବ ଏହି ହତ୍ୟାକାଣ୍ଡ ଘଟାଇ ଥାଇପାରନ୍ତି ବୋଲି ତାଙ୍କ ମା’ ପୁଲିସ୍‌କୁ କହିଛନ୍ତି। ଅନ୍ୟପକ୍ଷରେ ଏହି ଘଟଣା ପରେ କେଶବ ଫେରାର ହୋଇଯାଇଛନ୍ତି।

ଗତକାଲି ରାତିରେ ଜଗନ୍ନାଥ ସ୍କୁଲ୍‌ ପରିସରରେ ଥିବା ଏକ ଘରେ ଶୋଇଥିଲେ।  ଆଜି ସକାଳେ ସ୍ଥାନୀୟ ଲୋକେ ସେଠାରେ ତାଙ୍କ ମୃତଦେହ ପଡ଼ିଥିବା ଦେଖି ପୁଲିସ୍‌କୁ ଖବର ଦେଇଥିଲେ।

ଜଗନ୍ନାଥଙ୍କ ପତ୍ନୀ ନିକଟସ୍ଥ ଏକ ବାଳିକା ଆଶ୍ରମ ବିଦ୍ୟାଳୟରେ ପାଚିକା ଭାବେ କାମ କରନ୍ତି। ସେଠାରେ ସେ ନିଜ ଝିଅ ସହ ରହନ୍ତି। ଖବର ପାଇ ସେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ ଓ ଏ ହତ୍ୟାକାଣ୍ଡରେ ତାଙ୍କ ପୁଅର ସମ୍ପୃକ୍ତି ଥିବା ଅଭିଯୋଗ କରିଥିଲେ।

କେଶବ ପ୍ରେମ ବିବାହ କରିଥିଲେ। ତେବେ ତାଙ୍କ ସ୍ତ୍ରୀ ତାଙ୍କୁ ଛାଡ଼ି ଚାଲି ଯାଇଛନ୍ତି। ଏହାକୁ ନେଇ ତାଙ୍କ ପରିବାରରେ ସବୁବେଳେ ଗଣ୍ଡଗୋଳ ଓ ଅଶାନ୍ତି ଲାଗି ରହୁଥିଲା। ଏଥିଯୋଗୁ ବାପପୁଅଙ୍କ ମଧ୍ୟରେ ମତାନ୍ତର ଚାଲିଥିଲା। ଏହି କାରଣରୁ କେଶବ ଏହି ହତ୍ୟା କରି ଥାଇପାରନ୍ତି ବୋଲି ତାଙ୍କ ମା’ ପୁଲିସ୍‌କୁ ବୟାନ ଦେଇଛନ୍ତି।

By amfnews

Related Post