Sun. Jan 12th, 2025

ପଣ୍ଡିତ ନୀଳମଣି ବିଦ୍ୟାରତ୍ନଙ୍କ ୧୫୧ତମ ଜୟନ୍ତୀ ପାଳିତ

By amfnews Dec 17, 2018 #Featured
334 Views

ରାଉରକେଲା, ୧୭ା୧୨  : ରଘୁନାଥପାଲି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଓଡ଼ିଆ ଭାଷା ବିକାଶ ମଂଚର ମିଳିତ ଆନୁକୂଲ୍ୟରେ ପଣ୍ଡିତ ନୀଳମଣି ବିଦ୍ୟାରତ୍ନଙ୍କ ୧୫୧ ତମ ଜୟନ୍ତୀ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷୟିତ୍ରୀ ବିଜୟିନି ଜେନାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ପରିଚୟ ପ୍ରଦାନ ସହ ସଭାପତିତ୍ୱ ଅଭିଭାଷଣ ପ୍ରଦାନ କରିଥିଲେ । ଏଥିରେ ଜର୍ଣ୍ଣାଲିଷ୍ଟ୍ ଆସୋସିଏସନ୍ ଉପସଭାପତି କୁଞ୍ଜବିହାରୀ ରାଉତ ମୁଖ୍ୟ ଅତିଥି ଓ ମଞ୍ଚ ସାଧାରଣ ସଂପାଦକ ଆର୍ତ୍ତତ୍ରାଣ ମହାପାତ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ ପଣ୍ଡିତଙ୍କ ଜୀବନାଦର୍ଶନ ଉପରେ ଆଲୋକପାତ କରିଥିଲେ ।

ମୁଖ୍ୟ ଅତିଥି ଶ୍ରୀ ରାଉତ ପଣ୍ଡିତଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ କହିଲେ ଯେ, ନୀଳମଣି ଓଡ଼ିଆ ଭାଷା ଆନ୍ଦୋଳନର ପ୍ରମୁଖ ରଥୀ ଥିବାବେଳେ ଏକାଧାରରେ ବହୁମୁଖୀ ପ୍ରତିଭାର ଅଧିକାରୀ ଥିଲେ । ନିରପେକ୍ଷ ସାମ୍ବାଦିକତା, ପତ୍ରିକା ସଂପାଦନା, ସାହିତ୍ୟ ସର୍ଜନା, ସମାଜ ସଂସ୍କାର ଆଦି କ୍ଷେତ୍ରରେ ତାଙ୍କର ଭୂମିକା ଥିଲା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଓଡ଼ିଆ ଭାଷାଭାଷୀ ଅଂଚଳକୁ ନେଇ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ଅଭିଯାନର ସେ ଥିଲେ ଅନ୍ୟତମ ବିନ୍ଧାଣୀ । ଓଡ଼ିଶାର ସାଂସ୍କୃତିକ ଜାଗରଣରେ ତାଙ୍କ ଦ୍ୱାରା ସଂପାଦିତ ‘ସମ୍ବଲପୁର ହିତୈଷିଣୀ’ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା ବୋଲି ମୁଖ୍ୟ ଅତିଥି ଉଲ୍ଲେଖ କରିଥିଲେ । ମୁଖ୍ୟବକ୍ତା ଶ୍ରୀ ମହାପାତ୍ର କହିଲେ ଯେ, ୧୯୦୨ରେ ବିଚ୍ଛିନ୍ନାଞ୍ଚଳ ମିଶ୍ରଣ ପାଇଁ ପଣ୍ଡିତ ନୀଳମଣି ପ୍ରଥମ ପଦକ୍ଷେପ ନେଇଥିଲେ । ଉତ୍କଳ ସମ୍ମିଳନୀ ଆୟୋଜନ ପାଇଁ ଏହି ସଭା ସେତେବେଳେ ମଧୁବାବୁଙ୍କୁ ପ୍ରେରଣା ଯୋଗାଇଥିଲା ।

ସେହିପରି ସେ ଜଣେ ପ୍ରଗାଢ଼ ସାହିତ୍ୟାନୁରାଗୀ ଓ ଉଚ୍ଚମନା ସମ୍ପନ୍ନ ସାହିତ୍ୟ ଗବେଷକ ଥିବାରୁ ସେ ସଂପାଦନା ଓ ଲେଖା ମନୋନୟନ ସମୟରେ ସବୁବେଳେ ଜ୍ଞାନ ଓ ମେଧାକୁ ଗୁରୁତ୍ୱ ଦେଉଥିଲେ । ତାଙ୍କ ପାଣ୍ଡିତ୍ୟରେ ମୁଗ୍ଧ ହୋଇ ବଡ଼ମ୍ବା ରାଣୀ ତାଙ୍କୁ “ବିଦ୍ୟାରତ୍ନ” ଉପାଧିରେ ଭୂଷିତ କରିଥିଲେ । ପ୍ରାରମ୍ଭରେ ଛାତ୍ରୀ ସୋନାଲିସା ସାହୁ ଓ ବରିଷ୍ଠ ଶିକ୍ଷୟିତ୍ରୀ ଅନ୍ନପୂର୍ଣ୍ଣା କର ପଣ୍ଡିତଙ୍କ ଜୀବନାଦର୍ଶ ଓ କାର୍ଯ୍ୟକଳାପ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ପ୍ରଶ୍ନୋତ୍ତରୀ କାର୍ଯ୍ୟକ୍ରମରେ କୃତୀ ଛାତ୍ରଛାତ୍ରୀଙ୍କୁ ଅତିଥିବୃନ୍ଦ ପୁରସ୍କୃତ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ବିଦ୍ୟାଳୟର ବରିଷ୍ଠ ଶିକ୍ଷୟିତ୍ରୀ ବିଣାପାଣି ମହାନ୍ତି, ଅରୁଣା ନାୟକ, ସବିତା ବସ୍ତିଆ, ସୀମାନ୍ତିନୀ ରାଉତ, ଲିତାଳୀ ସାହୁ ପ୍ରମୁଖ ସହଯୋଗ କରିଥିବାବେଳେ ଅରୁଣା ନାୟକ ଧନ୍ୟବାଦ ଦେଇଥିଲେ ।

By amfnews

Related Post