Tue. Mar 10th, 2026

ପଚାରୁ ନାହାନ୍ତି ପୁଅବୋହୂ; ଜିଲ୍ଲାପାଳ ଓ ଏସ୍‌ପିଙ୍କ ନିକଟରେ କଲେ ଗୁହାରୀ

195 Views

ଗଜପତି : ଜାନକୀ ଅଧିକାରୀ, ବୟସ ୭୫। ପାରଳାଖେମୁଣ୍ଡି ଗୋପୀନି ସାହିର ସ୍ୱର୍ଗତ ଡାକ୍ତର ରାମଚନ୍ଦ୍ର ଅଧିକାରୀଙ୍କ ପତ୍ନୀ  । ସ୍ୱାମୀ କାହିଁ କେଉଁ କାଳରୁ ହାତ ଛାଡ଼ି ଚାଲି ଗଲେଣି। ଯେଉଁ ବୟସରେ ପୁଅବୋହୂ ସାହା ଭରସା ହେବା କଥା, ସେ ବୟସରେ ଭରସା କେବଳ ଆଶା ବାଡ଼ି।

୩ ଝିଅଙ୍କ ବିବାହ ପରେ ଗୋଟିଏ ପୁଅକୁ ନେଇ ଥିଲା ତାଙ୍କର ଅନେକ ସ୍ୱପ୍ନ । ଆର୍ଥିକ ଭାବେ ସ୍ୱଚ୍ଛଳ ଥିବା ଜାନକୀଙ୍କର ଆଶା ଥିଲା ବୋହୂ ଆସିବ, ହାତ ପରସା ଖାଇବେ, ନାତିନାତୁଣୀଙ୍କ ମେଳରେ ତାଙ୍କ ଦିନ କଟିବ। ହେଲେ ମଣିଷ ଯାହା ଚାହେଁ ତାହା ସବୁବେଳେ ପାଇ ନ ଥାଏ। ପରିଣତ ବୟସରେ ଯେଉଁଠି ଚାଲିବାକୁ ଦେହରେ ବଳ ନାହିଁ, ସେଠି ବଞ୍ଚିବା ଲାଗି ଦୀର୍ଘ ୧୭ ବର୍ଷ ହେଲା ସେ ଏକୁଟିଆ ଜାରି ରଖିଛନ୍ତି ସଂଘର୍ଷ।

ଏଥିରେ ଅତିଷ୍ଠ ହୋଇ ଜାନକୀ ନିଜର ସମସ୍ତ ସମ୍ପତିକୁ ଦାନ କରି ଏକ ବୃଦ୍ଧାଶ୍ରମ ନିର୍ମାଣ କରିବା ସହ ସେଠାରେ ଦୁଃଖୀ ମଣିଷଙ୍କ ସହ ନିଜର ଜୀବନ ବିତାଇବା ପାଇଁ ଚାହୁଁଛନ୍ତି । ହେଲେ ଏହାକୁ ନେଇ ଆପତ୍ତି ଉଠାଇଛନ୍ତି ଜାନକୀଙ୍କ ବୋହୂ। ଏନେଇ ଜାନକୀ ଏବେ ଏସ୍‌ପି ଓ ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହୋଇଛନ୍ତି।

ବୃଦ୍ଧାଙ୍କଠାରୁ ସବୁ ଶୁଣିବା ପରେ ତାଙ୍କୁ ସବୁ ପ୍ରକାର ସହଯୋଗ ଯୋଗାଇ ଦେବାର ପ୍ରତିଶୃତି ଦେଇଛନ୍ତି ଗଜପତି ଏସ୍‌ପି ସାରା ଶର୍ମା। ଲିଖିତ ଅଭିଯୋଗ ହେଲେ ପୁଅ ବୋହୁଙ୍କୁ ଆଇନ ଅନୁସାରେ ଦଣ୍ଡିତ କରାଯିବ ବୋଲି କହିଛନ୍ତି ଏସ୍‌ପି ।

ଜାନକୀ ଗଜପତି ଏସ୍‌ପି ସାରା ଶର୍ମାଙ୍କ ନିକଟରେ କରିଥିବା ଅଭିଯୋଗ ଅନୁଯାୟୀ,  ବିବାହର ମାତ୍ର ୬ ମାସ ପରେ ପୁଅବୋହୂ ତାଙ୍କୁ ଅଲଗା କରିଦେଲେ। ଏପରିକି ତାଙ୍କ ୩ ଝିଅ ଓ ସାହି ପଡ଼ିଶାଙ୍କ ସହ କଳି କରିବାରୁ ସେମାନେ ମଧ୍ୟ ଆଉ ଜାନକୀଙ୍କ ନିକଟକୁ ଆସିବାକୁ ଇଚ୍ଛା ପ୍ରକାଶ କଲେ ନାହିଁ। ଫଳରେ ବର୍ତ୍ତମାନ ସେ ସଂପୂର୍ଣ୍ଣ ଏକା ହୋଇପଡିଛନ୍ତି   ।

ଏଭଳି ୧୭ ବର୍ଷ ବିତିସାରିଥିଲେ ମଧ୍ୟ କେବେ କିଛି ଅଭିଯୋଗ କରିନାହାନ୍ତି ବରଂ ପୁଅର ଚଳିବା ପାଇଁ ସ୍ଥାବର ସମ୍ପତିର ଆୟରୁ ଭାଗ ଦେଉଛନ୍ତି  । ହେଲେ ବର୍ତ୍ତମାନ ଏହା ଅସହ୍ୟ ହେବାରୁ ସେ ଏସ୍‌ପିଙ୍କ ଦ୍ୱାରସ୍ତ ହୋଇ  ତାଙ୍କ ସହଯୋଗ କାମନା କରିଛନ୍ତି ।

ଅପରପକ୍ଷେ ବୃଦ୍ଧାଙ୍କ ଅଭିଯୋଗକୁ ତାଙ୍କ ବୋହୂ ସମ୍ପୂର୍ଣ୍ଣ ଭାବେ ଅସ୍ୱୀକାର କରିଛନ୍ତି। ଶାଶୁ ଦୀର୍ଘ ୧୭ ବର୍ଷ ହେଲା ଅଲଗା ରହୁଛନ୍ତି। ସବୁ ସମ୍ପତ୍ତି ପୁଅ ନାଁରେ ଥିବା ବେଳେ ଅନ୍ୟମାନଙ୍କ ପ୍ରରୋଚନାରେ ପଡ଼ି ସେ ଏପରି କରିବାକୁ ଚାହୁଁଛନ୍ତି।

By amfnews

Related Post